ଭୁବନେଶ୍ୱର, ୨୪/୦୯ : ବାଲେଶ୍ଵରରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିବା ୫ ଓରାଙ୍ଗଉଟାନ ଶାବକ ଧୀରେ ଧୀରେ ପୂର୍ବାପେକ୍ଷା ଅଧିକ ସକ୍ରିୟ ହେଉଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟୁଛି। ସାଧାରଣ ଭାବରେ ସେମାନେ ଖାଇବା ପିଇବା କରୁଛନ୍ତି। ତେବେ ଗୋଟିଏ ଶାବକଠାରେ ରକ୍ତହୀନତା ଦେଖାଦେଇଛି। ତେଣୁ ତା’ର ସ୍ବାସ୍ଥ୍ୟ ଉପରେ ଅଧିକ ନଜର ରଖାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

Also Read :- Horoscope Today : ସେପ୍ଟେମ୍ବର ୨୪ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ସୂଚନାଯୋଗ୍ୟ, ଗତ ୮ ତାରିଖ ରାତିରେ ବାଲେଶ୍ଵରରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ଲାଳନପାଳନ କେନ୍ଦ୍ର ସଙ୍ଗରୋଧ ଗୃହରେ ସେମାନଙ୍କୁ ରଖାଯାଇଛି। ପିସିସିଏଫଙ୍କ ଦ୍ୱାରା ଗଠିତ ବୈଷୟିକ କମିଟି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

ତାଙ୍କ ପରାମର୍ଶରେ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ଚିକିତ୍ସା କରୁଛନ୍ତି। କିଛି ସମୟ ଅନ୍ତରରେ ଆବଶ୍ୟକ ଖାଦ୍ୟ ଦିଆଯାଉଛି। କ୍ଷୀର ପାଉଡ଼ର ପରିମାଣ ବୃଦ୍ଧି କରାଯିବା ସହିତ ଗାଜର ଓ ବିନ୍ସ ସିଝା ଖାଇବାକୁ ଦିଆଯାଉଛି। ସଙ୍ଗରୋଧରେ ରହିବା ଇତିମଧ୍ୟରେ ୧୬ ଦିନ ବିତିଗଲାଣି। ସେମାନେ ଖେଳକୁଦ କରିବା ସହିତ ସକ୍ରିୟ ହେଉଛନ୍ତି। ନିୟମ ଅନୁଯାଇ ସେମାନେ ଆହୁରି ୧୪ ଦିନ ସଙ୍ଗରୋଧରେ ରହିବେ। ପରେ ସେମାନେ କେଉଁଠି ରହିବେ ସ୍ପଷ୍ଟ ହେବ।