• ସୁପ୍ରିମକୋର୍ଟ ମୌଖିକ ଭାବେ କହିଛନ୍ତି ଯେ ସେ ଦିଲ୍ଲୀ-ଏନସିଆରରେ ବାଣଫୁଟା ସମ୍ପୂର୍ଣ୍ଣ ନିଷେଧ ସପକ୍ଷରେ ନୁହନ୍ତି
  • ତେବେ ଏପରି ପରିସ୍ଥିତି ସୃଷ୍ଟି ନ ହେଉ ଯେପରି କୋର୍ଟଙ୍କୁ କୌଣସି ପଦକ୍ଷେପ ନେବାକୁ ପଡେ
  • ଏହା ସହିତ ବିରାଟ କୋହଲୀଙ୍କ ଭଳି ଚର୍ଚ୍ଚିତ ମୁହଁଙ୍କୁ ଜନସଚେତନତା ସହ ଯୋଡିବା କଥା ମଧ୍ୟ କହିଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏନସିଆରରେ ଦୀପାବଳି ବାଣଫୁଟା କଟକଣା ଲଗାଇବା ପାଇଁ ରୁଜୁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ତଥାପି କୋର୍ଟ ମୌଖିକ ଭାବେ କହିଛନ୍ତି ଯେ ସେ ଦିଲ୍ଲୀ-ଏନସିଆରରେ ବାଣଫୁଟା ସମ୍ପୂର୍ଣ୍ଣ ନିଷେଧ ସପକ୍ଷରେ ନୁହନ୍ତି। କାରଣ ଏହାର ଦୂରଗାମୀ ପ୍ରଭାବ ପଡିପାରେ। ତେବେ କୋର୍ଟ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଯେ ଏପରି ପରିସ୍ଥିତି ସୃଷ୍ଟି ନ ହେଉ ଯେପରି କୋର୍ଟଙ୍କୁ କୌଣସି ପଦକ୍ଷେପ ନେବାକୁ ପଡେ। ଏହା ସହିତ ବିରାଟ କୋହଲୀଙ୍କ ଭଳି ଚର୍ଚ୍ଚିତ ମୁହଁଙ୍କୁ ଜନସଚେତନତା ସହ ଯୋଡିବା କଥା ମଧ୍ୟ କହିଛନ୍ତି।

ଶୁଣାଣି କାଳରେ ବେଞ୍ଚ ଜୋର ଦେଇ କହିଛନ୍ତି ଯେ ଯଦି ଆଦେଶକୁ କାର୍ଯ୍ୟକାରୀ କରାନଗଲା, ତେବେ ଏହି ଆଦେଶ କେବଳ ‘ପରିହାସ’ ହୋଇ ରହିଯିବ। ତେବେ କୋର୍ଟ କେନ୍ଦ୍ର ସରକାରଙ୍କୁ ବାଣ ଫୁଟାଇବା ଉପରେ ନିଷେଧ ଜାରି କରିବା ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ସେହିପରି ପ୍ରଦୂଷଣ ମୁକ୍ତ ଦୀପାବଳି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କ୍ରିଡାବିତ ଓ ସମାଜର ଅନ୍ୟ ସମ୍ମାନୀତ ସଦସ୍ୟଙ୍କ ସାହାଯ୍ୟ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଶୁଣାଣି କାଳରେ ସୁପ୍ରିମକୋର୍ଟ ଜାତୀୟ ରଜାଧାନୀରେ ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। କହିଛନ୍ତି ଯେ ଏହି ସମସ୍ୟାର ମୁକାବିଲା ନିମନ୍ତେ ଉଚ୍ଚସ୍ତରରେ କାମ କରିବାକୁ ପଡିବ। କାରଣ ଆମକୁ ପ୍ରତିବର୍ଷ ଏହି ପ୍ରସଙ୍ଗରେ ଆଦେଶ ଜାରି କରିବାକୁ ପଡୁଛି।

କୋର୍ଟ କହିଛନ୍ତି ଯେ ଏହି ମାମଲା ଏବେ କୋର୍ଟ ଲାଗି ଏକ ପ୍ରକାରର ଏକାଡେମିକ ପାଲଟିଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ତାଙ୍କ ଆଦେଶର ପାଳନ କମ ଓ ଉଲ୍ଲଂଘନ ଅଧିକ ହେଉଛି। ଏଣୁ କେବଳ କଟକଣା ଲଗାଇ ସମସ୍ୟାର ସ୍ଥାୟୀ ସମାଧାନ ବାହାର କରାଯାଇ ପାରିବନି। କୋର୍ଟ କହିଛନ୍ତି ଯେ ସରକାର ଓ ଏଜେନ୍ସୀଙ୍କୁ କିଛି ନୂଆ ତଥା ଇନୋଭେସନ ଆଧାରିତ ଉପାୟ କରିବା ଆବଶ୍ୟକ। ନୂଆ ପୀଢୀଙ୍କୁ ପ୍ରଦୂଷଣର ଖରାପ ପ୍ରଭାବ ପ୍ରତି ସଚେତନ କରିବାର ଆବଶ୍ୟକତା ରହିଛି। ଏଥି ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି ଯେ ବିରାଟ କୋହଲୀଙ୍କ ଭଳି ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କୁ ଜନସଚେତନତା କାର୍ଯ୍ୟକ୍ରମରେ ସଂଯୁକ୍ତ କରାଯାଇ ପାରିବ।

ଏହା ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ ଆତଶବାଜୀ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଲେ ଲୋକଙ୍କ ଭାବନା ଉପରେ ପ୍ରଭାବ ପଡିପାରେ। ହେଲେ ଯଦି ସାରା ଦିନ ବାଣ ଫୁଟାଇବାକୁ ସ୍ୱାଧୀନତା ଦେଇ ଦିଆଯିବ ତେବେ ଏହାର ଖରାପ ପ୍ରଭାବ ପିଲା ଓ ବୟଷ୍କଙ୍କ ସମେତ ସବୁ ଜୀବିତ ପ୍ରାଣୀଙ୍କ ଉପରେ ପଡିବ। ସୁପ୍ରିମକୋର୍ଟ ବେରିୟମ ଭଳି ରସାୟନ ଯୁକ୍ତ ବାଣକୁ ଖୋଲା ପଡିଆରେ ପରୀକ୍ଷଣ କରିବାକୁ ସମୟ ମଧ୍ୟ ଦେଇଛନ୍ତି। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ଏମ. ସୁନ୍ଦରେଶ୍ ଓ ଜଷ୍ଟିସ୍ ପି.ବି.ବରାଳେ ମୌଖିକ ଟିପ୍ପଣୀ କରି କହିଛନ୍ତି ଯେ ‘ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରସିଦ୍ଧ ବ୍ୟକ୍ତି ଯେପରି ଖେଳାଳି ଓ ସମାଜର ଅନ୍ୟ ସମ୍ମାନୀତ ଲୋକଙ୍କ ସହାୟତା କାହିଁକି ନେଉ ନାହାନ୍ତି?’

କୋର୍ଟ କହିଛନ୍ତି ଯେ ପ୍ରସିଦ୍ଧ କ୍ରିକେଟ ଖେଳାଳି ବିରାଟ କୋହଲୀଙ୍କୁ ଆପଣ ଏକ ବାର୍ତ୍ତା ଦେବାକୁ ଅନୁରୋଧ କରିପାରନ୍ତି, ଯେଉଁଥିରେ ସେ କହୁନ୍ତୁ ’ଆସନ୍ତୁ ଏହି ଦୀପାବଳିକୁ ଆନନ୍ଦମୟ କରିବା ଓ ଜୀବନରେ ଉଲ୍ଲାସର ଆନନ୍ଦ ନେବା’। ସୁପ୍ରିମକୋର୍ଟ ୨୦୨୫ର ସେହି ପିଟିସନ ଉପରେ ଶୁଣାଣି କରିଛନ୍ତି ଯାହାକୁ ୩ ଜଣ ପିଲା ରୁଜୁ କରିଛନ୍ତି। ଯେଉଁଥିରେ ସେମାନେ ଖରାପ ବାୟୁ ମାନର ଉଦାହରଣ ଦେଇ ଜାତୀୟ ରାଜଧାନୀ ଅଞ୍ଚଳରେ ବାଣ ବିକ୍ରି ଓ ଉପଯୋଗ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଜାରି କରିବାକୁ ଦାବି କରିଛନ୍ତି।