ନୂଆଦିଲ୍ଲୀ: ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ଗୁରୁବାର ମଧ୍ୟ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ। ଦୀର୍ଘ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ସମୟରେ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ପକ୍ଷରୁ ହାଇପ୍ରୋଫାଇଲ୍ ଆଇନଜୀବୀମାନେ ନିଜ ନିଜର ପକ୍ଷ ରଖିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କୋର୍ଟରେ ପକ୍ଷ ରଖିବା ଆରମ୍ଭ କରିଥିଲେ। ସେହିପରି ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଅନ୍ୟପଟେ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ପକ୍ଷରୁ ମାମଲା ପରିଚାଳନା କରି ଆଇନଜୀବୀ କରୁଣା ନନ୍ଦୀ ନିଜର ସପକ୍ଷ ଯୁକ୍ତି ରଖିଛନ୍ତି।

Also Read: ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ

ଖଣ୍ଡପୀଠରେ ଉଭୟ ପକ୍ଷର ଜୋରଦାର ବିତର୍କ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଛି। କୋର୍ଟଙ୍କ ପକ୍ଷରୁ ମୌଖିକ ଭାବେ କୁହାଯାଇଛି ଯେ ଆସନ୍ତା ମଙ୍ଗଳବାର ପୁଣି ରାଜ୍ୟ ସରକାରଙ୍କ ବାକି ରହିଥିବା ଯୁକ୍ତି ଶୁଣାଯିବ। ଅଦାଲତଙ୍କ ଲିଖିତ ନିର୍ଦ୍ଦେଶନାମା ଆସିବା ପରେ ପରବର୍ତ୍ତୀ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ତାରିଖ ସ୍ପଷ୍ଟ ହେବ।