ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ୱାମୀକୁ କାବୁ କରିଛି ପୋଲିସ। ନୟାପଲ୍ଲୀ ଥାନା ଅଧୀନ ବ୍ରିଟ୍ କଲୋନୀରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ରୋଷେଇ କରୁଥିବା ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଘଟିଥିଲା ଗଣ୍ଡଗୋଳ। ଏହାପରେ ଅଭିଯୁକ୍ତ ସ୍ୱାମୀ ଘରର କବାଟ ଭିତର ପଟୁ ବନ୍ଦ କରି ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ରୋଷେଇ ଘରେ ଥିବା ତାୱାରେ ମୁଣ୍ଡକୁ ଆଘାତ କରି ସ୍ତ୍ରୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ଘଟଣା ସମୟରେ ଘର ଭିତରୁ ବନ୍ଦ ଥିବାରୁ ପଡ଼ୋଶୀ ଓ ଭଡ଼ାଟିଆମାନେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଭଡ଼ାଟିଆମାନଙ୍କ ସହାୟତାରେ ଘରର ଗ୍ରିଲ୍ ଭାଙ୍ଗି ପୋଲିସ ଭିତରକୁ ପ୍ରବେଶ କରିଥିଲା। ଏହାପରେ ଅଭିଯୁକ୍ତ ସ୍ୱାମୀ ସର୍ବେଶ୍ୱର ପ୍ରଧାନଙ୍କୁ କାବୁ କରିଥିବା ଜଣାପଡ଼ିଛି।

ମୃତକ ହେଉଛନ୍ତି ବନସ୍ନିତା ସ୍ୱାଇଁ। ପ୍ରାୟ ଦେଢ଼ ବର୍ଷ ତଳେ ସର୍ବେଶ୍ୱର ପ୍ରଧାନଙ୍କ ସହ ବନସ୍ନିତାଙ୍କ ବିବାହ ହୋଇଥିଲା। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣାସ୍ଥଳରେ ଜୋନ୍-୫ ଏସିପି, ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ କ୍ରମ ସମ୍ପର୍କରେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣା ପରେ ବ୍ରିଟ୍ କଲୋନୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।