ଭୁବନେଶ୍ଵର: ରାଜ୍ୟରେ ବେଆଇନ ବାଲି ଖନନ ଏବଂ ଚୋରା ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଖଣି ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୨୬ ଜାନୁଆରୀ ୧ ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ବାଲିଘାଟଗୁଡ଼ିକ ଉପରେ ଚଢ଼ାଉ କରାଯାଇ ବ୍ୟାପକ ଜରିମାନା ଆଦାୟ ସହ ଗାଡ଼ି ଜବତ କରାଯାଇଛି । ବିଧାୟକ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହି ତଥ୍ୟ ପ୍ରଦାନ କରିଛନ୍ତି ।

Alos Read: ଗୃହରେ MMDR ଝଡ଼ ମଧ୍ୟରେ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଉତ୍ତର, ରାଜସ୍ୱର ହିସାବ ରଖିଲେ ମନ୍ତ୍ରୀ

ଖୋର୍ଦ୍ଧାରେ ବଡ଼ ଆକ୍ସନ

ଗୃହରେ ତଥ୍ୟ ରଖି ପରିବହନ ମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ବାଲି କାରବାର ବିରୋଧରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଏହି ଜିଲ୍ଲାରୁ ସର୍ବାଧିକ ୧୧ କୋଟି ୧୯ ଲକ୍ଷ ୧୫ ହଜାର ୬୦୧ ଟଙ୍କା ଜରିମାନା ଆଦାୟ କରାଯାଇଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ମଧ୍ୟରୁ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୯୪ଟି ବାଲି ଉତ୍ସ ଉପରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ସମୟରେ ୧୧ଟି ମାମଲା ରୁଜୁ ହେବା ସହ ୨ କୋଟି ୩୭ ଲକ୍ଷ ୮୭ ହଜାର ୬୫୮ ଟଙ୍କା ଜବତ କରାଯାଇଛି ।

ଏସବୁ ଜିଲ୍ଲାରେ ରେଡ୍

ସେହିପରି ବାଲେଶ୍ୱର ଜିଲ୍ଲାରେ ୨୯୧ଟି ବାଲି ଉତ୍ସ ଉପରେ ଚଢ଼ାଉ କରାଯାଇ ସର୍ବାଧିକ ୨୩୪ଟି ମାମଲା ରୁଜୁ ହୋଇଛି । ଏଠାରୁ ବିଭାଗ ପକ୍ଷରୁ ୧ କୋଟି ୫୫ ଲକ୍ଷ ୨୫ ହଜାର ୨୬୪ ଟଙ୍କା ଜବତ କରାଯାଇଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ୧୮୦ଟି ବାଲି ଉତ୍ସ ଉପରେ ଚଢ଼ାଉ କରାଯାଇ ୧ କୋଟି ୮୫ ଲକ୍ଷ ୫୮ ହଜାର ୮୫୩ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ଏହା ବ୍ୟତୀତ ଦେବଗଡ଼ ଜିଲ୍ଲାରୁ ୩୩ଟି ଗାଡ଼ିରୁ ଜରିମାନା ଆଦାୟ କରାଯାଇଥିବା ବେଳେ ମୟୂରଭଞ୍ଜରେ ୨ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ସେହିପରି ବେଆଇନ ବାଲି ପରିବହନ ଅଭିଯୋଗରେ ଅନୁଗୁଳରୁ ୭୨ଟି ଏବଂ ସୋନପୁର ଜିଲ୍ଲାରୁ ୨୭ଟି ଗାଡ଼ି ଜବତ କରାଯାଇଛି ।