ସୋର: ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ରାଇପୁର ଛକ ନିକଟରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ୨୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ସୋର ଥାନା ଅନ୍ତର୍ଗତ ଛତ୍ରପୁର ଗ୍ରାମର ଅଫତାର ଶାହାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅନିତା ସାହୁ ଓ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଟିମ୍ ପକ୍ଷରୁ ରାଇପୁର ଛକ ନିକଟରେ ଚଢ଼ାଉ କରାଯାଇ ଅଫତାର ଶାହାଙ୍କ ନିକଟରୁ ୨୩୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା।

Also Read: ବାଲେଶ୍ୱରରୁ ୨୫୬ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, କାର୍ ଜବତ ସହ ୩ ଜଣକୁ ଗିରଫ କଲା ପୋଲିସ

ଚଢ଼ାଉ ବେଳେ ଏକ ବାଇକ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଜବତ ବ୍ରାଉନସୁଗାର ଓ ମୋଟରସାଇକେଲର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନାର ସହ-ଉପନିରୀକ୍ଷକ ବସନ୍ତ ବାରିକଙ୍କ ସମେତ କନେଷ୍ଟବଳ ଦେବାଶିଷ ମଲ୍ଲିକ, ଶଶୀକାନ୍ତ ସାହୁ, ମିନତୀ ପରିଡ଼ା ପ୍ରମୁଖ ସାମିଲ ଥିଲେ।