ନୂଆଦିଲ୍ଲୀ, ୨୦।୧୧ : ସୁପ୍ରିମକୋର୍ଟ ଗୁରୁବାର ଭାରତର ସ୍ବଚ୍ଛତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି, ଭାରତ ଧନୀ ଦେଶ। କିନ୍ତୁ ସ୍ବଚ୍ଛତା ମାମଲାରେ ଏହାର ପ୍ରଦର୍ଶନ ବେଶ୍ ଖରାପ। ଆବର୍ଜନା ପରିଚାଳନା ଠିକ୍ ଭାବେ ନ ହେଲେ ଦେଶର ଛବି ଖରାପ ହେବ। ଏଥିସହ ସମାଜ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ।

ଦେଶରେ ଆବର୍ଜନା ପରିଚାଳନା ନିୟମ ଠିକ୍ ଭାବେ ଲାଗୁ ନ ହେବାକୁ ନେଇ ସର୍ବୋଚ୍ଚ ଅଦାଲତ କ୍ଷୋଭ ପ୍ରକାଶ କରିଛନ୍ତି । ଆହୁରି କହିଛନ୍ତି, ନିକୃଷ୍ଟ ସ୍ବଚ୍ଛତା ଯୋଗୁ ଅନ୍ୟ ଅଞ୍ଚଳର ବିକାଶ ଉପରେ ମଧ୍ଯ କୁପ୍ରଭାବ ପଡ଼ିବ। ବର୍ତ୍ତମାନ ଉପଲବ୍ଧ ଥିବା ସମ୍ବଳ ଦ୍ବାରା ଲକ୍ଷ୍ୟ ହାସଲ କରାଯାଇ ପାରିବ। ଏଥିଲାଗି ସରକାରୀ ଏଜେନ୍ସି ଗୁଡ଼ିକୁ ଲଗାତର ଭାବେ ନିୟମ ଲାଗୁ କରିବାକୁ ହେବ ଏବଂ ଲୋକଙ୍କୁ ବି ସହଯୋଗ କରିବାକୁ ପଡ଼ିବ।

Also Read :- ପାଖେଇ ଆସିଲା ଅକଭାନ୍ : କିଛି ଘଣ୍ଟାରେ ଆରମ୍ଭ ହୋଇଯିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ପ୍ରବଳ ବର୍ଷା ସହ ବହିବ ପବନ !

ବିଚାରପତି ଏସଭିଏନ ଭଟ୍ଟି ଏବଂ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ନଗର ନିଗମଗୁଡ଼ିକର ପରିବେଶ ନିୟମ ପାଳନ ସହ ଜଡ଼ିତ ପିଟିସନର ଶୁଣାଣି କରି ସ୍ବଚ୍ଛତା ବାବଦରେ ଏଭଳି ଟିପ୍ପଣୀ ଦେଇଛନ୍ତି। ଅଦାଲତ କହିଛନ୍ତି, ଆବର୍ଜନା ପରିଚାଳନା ନିୟମ ୨୦୨୬ ଲାଗୁର ନିରୀକ୍ଷଣ ସକାଶେ ଦୁଇଟି ପ୍ରାରମ୍ଭିକ ପର୍ଯ୍ୟାୟ ଶେଷ ହୋଇଛି। ଏଥିରେ କାମ ଆରମ୍ଭ ଏବଂ ତଦାରଖ ଲାଗି ପ୍ରଶାସନିକ ବ୍ୟବସ୍ଥା ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ। ସୁପ୍ରିମକୋର୍ଟ ଜିଲ୍ଲାପାଳମାନଙ୍କୁ ନିଜ ଅଞ୍ଚଳରେ ବହୁ ମାତ୍ରାର ଆବର୍ଜନା ସୃଷ୍ଟିକାରୀଙ୍କୁ ଚିହ୍ନଟ କରିବାକୁ ମଧ୍ୟ କହିଛନ୍ତି ।