ଭୁବନେଶ୍ୱର, ୨୦।୧୧ : ଶୁକ୍ରବାର ଦିନ ୧୨ଟା ପାଖାପାଖି ଗୋପାଳପୁର ପାଖରେ ମାଡ଼ ହେବ ବାତ୍ୟା । ସେବେ ପବନର ବେଗ ୭୦ରୁ ୮୦ କିମି ଥିବ। ଲ୍ୟାଣ୍ଡଫଲ ପରେ ଶୀଘ୍ର ଦୁର୍ବଳ ହୋଇଯିବ। ପବନର ବେଗ ୫୦ରୁ ୬୦ କିମିକୁ ଖସିଯିବ। ପବନ କମ୍ ରହିବ ସତ, କିନ୍ତୁ ପ୍ରବଳ ବର୍ଷିବ। ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ହେବ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟାର ଲ୍ୟାଣ୍ଡଫଲ ଓ ତୀବ୍ରତାକୁ ନେଇ ଏଭଳି ଆକଳନ ଦେଇଛନ୍ତି। ବାତ୍ୟା ପ୍ରଥମେ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଉଛି। ଆନ୍ଧ୍ରର ଶ୍ରୀକାକୁଲମ, ବିଶାଖପାଟଣା, ପାର୍ବତୀପୁରମ୍ ଓ ବିଜୟନଗରମ୍ ଭଳି ଜିଲ୍ଲାରେ ୯୦ କିମି ପବନ ବହିପାରେ। କିନ୍ତୁ ଓଡ଼ିଶାରେ ପବନ ଅପେକ୍ଷାକୃତ କମ୍ ରହିବ । ଅଧିକ ବର୍ଷା ହେବ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଅଲଗା ପୂର୍ବାନୁମାନ କରିଥିଲେ । ସମ୍ଭାବ୍ୟ ବାତ୍ୟା ଗୁରୁବାର ସନ୍ଧ୍ୟା ସୁଦ୍ଧା ଗଞ୍ଜାମ ଉପକୂଳ ପାଖରେ ଥିଲା। ୨୦ ତାରିଖ (ଶୁକ୍ରବାର) ସକାଳେ ଏହା ଲ୍ୟାଣ୍ଡଫଲ କରିବ ବୋଲି ସେ କହିଥିଲେ। ସ୍ଥଳଭାଗ ଛୁଇଁବା ବେଳକୁ ମାତ୍ର ୩୦ରୁ ୪୦ କିମି ବେଗରେ ପବନ ବହିବ। ପବନର ଝଟ୍କା ସର୍ବାଧିକ ୫୦ କିମି ଛୁଇଁପାରେ। ଅଧିକ ପବନ ହେବାର ଆଶଙ୍କା ନାହିଁ । କିନ୍ତୁ ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ହେବ। ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

ଆମେରିକାର ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବଲୁସି) କହିଛି, ଲ୍ୟାଣ୍ଡଫଲ ବେଳେ ମାତ୍ର ୬୪ରୁ ୭୪ କିମି ବେଗରେ ପବନ ବହିପାରେ। ୨୦ ତାରିଖ ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି ସତର୍କତା ଜାରି କରିଛି। ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅଧିକ ବର୍ଷା ଯୋଗୁ ଚାଷ ପ୍ରଭାବିତ ହେବ। ଗଞ୍ଜାମ ଓ ସଂଲଗ୍ନ ଉପକୂଳ ଜିଲ୍ଲାରେ କୃଷି କ୍ଷୟକ୍ଷତି ଅଧିକ ହୋଇପାରେ। ପାଚିଲା ଧାନ ଅଧିକ ନଷ୍ଟ ହେବ।

Also Read :- ଗୁରୁତ୍ୱପୂର୍ଣ୍ଣ ଏପେକ୍ ବୈଠକ ବେଳେ ଶୋଇପଡିଲେ ଟ୍ରମ୍ପ! ଭିଡିଓ ଭାଇରାଲ ପରେ ସମାଲୋଚନା, ଦେଖନ୍ତୁ ଭିଡିଓ

ଖୋର୍ଦ୍ଧା, ଜଗତସିଂହପୁରରେ ବହୁ କ୍ଷତି ହେବ। ଗୁରୁବାର ସକାଳୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିଲା। ଶୁକ୍ରବାର ବାଲେଶ୍ଵର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ୨୦୦ରୁ ୩୦୦ ମିମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା ଅଛି। ଗଜପତି ଓ ଗଞ୍ଜାମରେ ଅଧିକ ବର୍ଷା ସହିତ ୭୦ରୁ ୮୦ କିମି ବେଗରେ ପବନ ବହିପାରେ। ଆଇଏମଡି ଏଭଳି ସତର୍କ କରାଇଛି।

ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଦିନତମାମ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ। ଗଞ୍ଜାମ ଓ ଗଜପତିକୁ ଛାଡ଼ି ଉପକୂଳବର୍ତ୍ତୀ ସବୁ ଜିଲ୍ଲା ସମେତ, ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ଆଇଏମଡି ପୂର୍ବାନୁମାନ ଦେଇଛି।