ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୁଣି ଥରେ କିଶୋରଙ୍କ ସହମତିରେ ହୋଇଥିବା ସମ୍ପର୍କରେ ପକସୋ ଆକ୍ଟ ର ଦୂରୁପଯୋଗକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବି.ଭି.ନାଗରତ୍ନା ଓ ଜଷ୍ଟିସ୍ ଆର.ମହାଦେବନଙ୍କ ବେଞ୍ଚ କହିଛନ୍ତି ଯେ ‘ଯେବେ ଟିନ-ଏଜ୍ ଝିଅମାନେ ନିଜ ପାର୍ଟନରଙ୍କ ସହିତ ପରିବାର ଲୋକଙ୍କ ବିନା ଅନୁମତିରେ ବିବାହ କରନ୍ତି ମାତା-ପିତା ପ୍ରାୟତଃ ନିଜର ତଥାକଥିତ ‘ଇଜ୍ଜତ’ ବଞ୍ଚାଇବା ପାଇଁ ଅପରାଧିକ ମାମଲା ରୁଜୁ କରିଦେଉଛନ୍ତି’। ଏଣୁ ସର୍ବୋଚ୍ଚନ୍ୟାୟାଳୟ କଡ଼ା ଶବ୍ଦରେ ପ୍ରଶ୍ନ କରିଛନ୍ତି ଯେ କୌଣସି ରାଜ୍ୟ କୌଣସି ପୁଅ ଓ ଝିଅଙ୍କ ପଳାୟନ କେସ୍ କୁ କିପରି ରୋକି ପାରିବେ?

କୋର୍ଟ କହିଛନ୍ତି ଯେ ୧୫ ଓ ୧୮ ବର୍ଷ ଏକ ସମ୍ବେଦନଶୀଳ ବୟସ ହୋଇଥାଏ,ତେବେ ଏପରି ମାମଲାକୁ ସତରେ କଣ ପକସୋ ଆଇନରେ ଆଣିବା ଉଚିତ? କାରଣ ପକସୋ ଆଇନ ପିଲାଙ୍କ ପ୍ରତି ଯୌନ ଉତ୍ପିଡନ ଓ ଶୋଷଣ ରୋକିବା ଲାଗି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ଶୁଣାଣି କିଶୋରଙ୍କ ‘ନିଜତା ଅଧିକାର’କୁ ନେଇ କୋର୍ଟ ନିଜେ ଆରମ୍ଭ କରିଥିବା ସୋ ମୋଟୁର ଏକ ମାମଲାରେ ହେଉଥିଲା। କାରଣ କିଛି ସମୟ ପୂର୍ବରୁ କୋଲକାତା ହାଇକୋର୍ଟ ଏକ ବିବାଦୀୟ ଟିପ୍ପଣୀ କରି କହିଥିଲେ ଯେ କିଶୋରୀ ଝିଅମାନେ କାହା ସହ ସମ୍ପର୍କରେ ପଡିବା ବଦଳେ ନିଜ ଇଛା ଉପରେ କାବୁ ରଖିବା ଉଚିତ। ତେବେ ପରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଏହି ରାୟକୁ ଖାରଜ କରିଦେଇଥିଲେ।

ଶୁଣାଣି କାଳରେ ବରିଷ୍ଠ ଓକିଲ ମାଧବୀ ଦିବାନ କୋର୍ଟଙ୍କୁ କହିଛନ୍ତି ଯେ ଯେଉଁ ମାମଲାରେ କୋଲକାତା ହାଇକୋର୍ଟ ଏପରି ଟିପ୍ପଣୀ କରିଥିଲେ ସେଥିରେ ଏକ ନାବାଳିକା ଜଣେ ୨୫ ବର୍ଷ ବୟଷ୍କ ପୁଅକୁ ବାହା ହୋଇପଡିଥିଲେ। ସେହି ଝିଅ ଏବେ ତା ସ୍ୱାମୀ ସହ ବେଶ୍ ଖୁସିରେ ରହୁଛି ଓ ସେ ଏବେ ମା ବି ହୋଇଛି। ମାମଲାରେ କୋର୍ଟ କହିଛନ୍ତି ଯେ ୧୬-୧୮ ବର୍ଷର କିଶୋର କିଶୋରୀ ପାରସ୍ପର ସମ୍ପର୍କରେ ପଡି ଚାଲି ଯାଉଛନ୍ତି। ଏଥିରେ ବାପମା ଆଇନଗତ କାର୍ଯ୍ୟାନୁଷ୍ଠାନର ସାହାରା ନେଉଛନ୍ତି। ହେଲେ ଶେଷରେ ଆମକୁ ସେମାନଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିବାକୁ ପଡୁଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୨ ମସିହାରେ ସହମତିରେ ସମ୍ପର୍କ ସ୍ଥାପନର ବୟସ ୧୬ରୁ ବଢାଇ ୧୮ ବର୍ଷ କରାଯାଇଥିଲା। ମାମଲାରେ ଏହି କଥାକୁ ଆଧାର କରି କୋର୍ଟ କହିଛନ୍ତି ଯେ ଏପରି ନୁହେଁ ଯେ ଏହି ପରିବର୍ତ୍ତନ ୨୦୧୨ ପରେ ହୋଇଛି, ଏହା ପୂର୍ବରୁ ମଧ୍ୟ ବାଲ୍ୟ ବିବାହ ଭଳି ହେଉଥିଲା। ହେଲେ ବୟସ ୧୮ ବର୍ଷ ନିର୍ଦ୍ଧାରିତ ହେବା ପରେ ଏବେ ଏହା ବେଆଇନ ହୋଇ ଯାଉଛି। ମାମଲାରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏଭଳି ମୋକଦ୍ଦମାରେ ସରକାର ଓ କୋର୍ଟଙ୍କ ନିର୍ଦ୍ଦେଶ ବ୍ୟବହାରିକ ହେବା ଉଚିତ, ଯାହାଦ୍ୱାରା କାହାର ଭବିଷ୍ୟତ ନଷ୍ଟ ନ ହୁଏ।