ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ବୁଲା ପଶୁଙ୍କ ଯୋଗୁ ହେଉଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏ ନେଇ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ମାମଲାରେ କ୍ଷତିପୂରଣ ଦେବାକୁ ପ୍ରଭାବୀ ତନ୍ତ୍ର ବିକଶିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ୍ ଏନ.କୋଟିଶ୍ୱର ସିଂହଙ୍କ ପୀଠ ଏ ବାବଦେ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଏପରି ମାମଲାରେ ପଶୁଙ୍କ ମାଲିକଙ୍କୁ ଦାୟୀ କରାଯିବା ଉଚିତ ଏବଂ ଚରି ଯାଇଥିବା ପଶୁ ସବୁଦିନ ସନ୍ଧ୍ୟାରେ ଯେପରି ଘରକୁ ଫେରନ୍ତି ତାହା ମାଲିକ ସୁନିଶ୍ଚିତ କରିବା ଦରକାର ବୋଲି କହିଛନ୍ତି।

ପୀଠ କହିଛନ୍ତି ଯେ ସବୁ ରାଜ୍ୟ ଯେଉଁମାନେ ଗୃହପାଳିତ ପଶୁଙ୍କ ପାଇଁ ଆଇନ କରିଛନ୍ତି ସେହି ଆଇନକୁ ତୁରନ୍ତ ଅକ୍ଷରସଃ ପାଳନ କରନ୍ତୁ। ପାଦଚଲା ପଥିକ ଓ ବାହନ ଚାଳକ ଉଭୟ ମାମଲାରେ ପଶୁଙ୍କ କାରଣରୁ ହେଉଥିବା ଦୁର୍ଘଟଣା ଲାଗି କ୍ଷତିପୂରଣ ପ୍ରଦାନ ନିମନ୍ତେ ଆବଶ୍ୟକ ସଂଶୋଧନ କରାଯିବା ଦରକାର ବୋଲି ପୀଠ କହିଛନ୍ତି। ଶୀର୍ଷ ନ୍ୟାୟାଳୟ ସବୁ ପଶୁଙ୍କ ଟ୍ୟାଗିଙ୍ଗ ବାଧ୍ୟତାମୂଳକ କରିବାକୁ କହିଥିବା ବେଳେ ଏହା ଦ୍ୱାରା ସେମାନଙ୍କ ଉପରେ ନଜର ରଖିବା, ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସେବା, ପଶୁ ଚିକିତ୍ସା ଯାଞ୍ଚ ଓ ଟିକାକରଣ ପ୍ରକ୍ରିୟାରେ ସୁଧାର ହେବ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରୁଜୁ ହୋଇଥିବା ଜନୈକ ମହିଳାଙ୍କ ଆବେଦନ ଉପରେ ଶୁଣାଣି କାଳରେ ଦେଇଛନ୍ତି। ହାଇକୋର୍ଟ ମହିଳାଙ୍କ ୨୯.୩୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିକୁ ରଦ୍ଦ କରିଦେଇଥିଲେ। ମହିଳାଙ୍କ ସ୍ୱାମୀ ସଡ଼କରେ ଯାଉଥିବା ବେଳେ ଏକ ବୁଲା ଷଣ୍ଢ ଆକ୍ରମଣ କରିଥିଲା, ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ପରଲୋକରେ ମହିଳା ପର୍ଯ୍ୟାପ୍ତ କ୍ଷତିପୂରଣ ଦାବି କରି ହାଇକୋର୍ଟରେ ଆବେଦନ କରିଥିଲେ।