ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ହୋଇଥିବା ହିଂସା ସହ ଜଡ଼ିତ ଆବେଦନଗୁଡ଼ିକର ଶୁଣାଣି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ।  ଶୀର୍ଷ ଅଦାଲତ ନିଜର ପୂର୍ବ ଆଦେଶରେ ସଂଶୋଧନ କରି କହିଛନ୍ତି ଯେ ଗମ୍ଭୀର ଅପରାଧରେ ଜଡ଼ିତ ଲୋକଙ୍କୁ କୌଣସି ରିହାତି ମିଳିବ ନାହିଁ । ସାମାନ୍ୟ ଅଭିଯୋଗ ଥିବା କିମ୍ବା ରାଜନୈତିକ କାରଣରୁ ପ୍ରଦର୍ଶନ କରୁଥିବା ଲୋକଙ୍କୁ ରିହାତି ମିଳିବ । ରାଜ୍ୟଗୁଡ଼ିକ ପ୍ରଦର୍ଶନକାରୀଙ୍କ ବିରୋଧରେ ଥିବା ମାମଲାକୁ ଶେଷ କରିପାରିବେ କିମ୍ବା ପ୍ରତ୍ୟାହାର କରିପାରିବେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୯ ରେ ହେବ ।

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ 'ଅପରାଧିକ ପୃଷ୍ଠଭୂମି ଥିବା ପ୍ରଦର୍ଶନକାରୀ' ଶବ୍ଦର ଅର୍ଥ କେବଳ ସେହି ଲୋକଙ୍କ ପାଇଁ ଥିଲା, ଯାହାଙ୍କ ବିରୋଧରେ ଗମ୍ଭୀର ଓ ସଂଘାତିକ ଅପରାଧ (ଯେପରିକି ହତ୍ୟା) ଅଭିଯୋଗ ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ପ୍ରଦର୍ଶନକାରୀଙ୍କ ବିରୋଧରେ ଏଫଆଇଆର୍ ସମ୍ପର୍କରେ ସରକାର ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିରେ ସମ୍ପୂର୍ଣ୍ଣ କାଏମ ଅଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଜୁଲାଇ ୨୮ର ଆଦେଶ ସମ୍ପର୍କରେ ଏହା ସ୍ପଷ୍ଟ କରାଯାଉଛି ଯେ ଦିଲ୍ଲୀ ଏବଂ ଅନ୍ୟ କୌଣସି ବି ରାଜ୍ୟ ପ୍ରଦର୍ଶନକାରୀଙ୍କ ବିରୋଧରେ ରୁଜୁ ଏଫଆଇଆର୍ ବନ୍ଦ କରିବା କିମ୍ବା ପ୍ରତ୍ୟାହାର କରିବା ପାଇଁ ସ୍ୱାଧୀନ । ସିଜେଆଇ ନିଜର ପୂର୍ବ ଆଦେଶରେ ସଂଶୋଧନ କରିଛନ୍ତି । ଆଦେଶରେ "ଅପରାଧିକ ଇତିହାସ" ଶବ୍ଦର ଅର୍ଥ ଗମ୍ଭୀର ଓ ସଂଘାତିକ ଅପରାଧ ବୋଲି ଦର୍ଶାଯାଇଛି ।

କୋର୍ଟରେ ଯୁକ୍ତି ଏବଂ ବିଚାରପତିଙ୍କ ଜବାବ

ଶୁଣାଣି ସମୟରେ ଆଇନଜୀବୀ ଗୋପାଳ କହିଥିଲେ ଯେ ଆମେ ଏପରି ପୋଲିସକର୍ମୀଙ୍କୁ ଚିହ୍ନଟ କରିଛୁ ଯେଉଁମାନେ ୟୁନିଫର୍ମରେ ନଥିଲେ କିମ୍ବା ସେମାନଙ୍କ କାର୍ଯ୍ୟକଳାପ ବି ଠିକ୍ ନଥିଲା । ଏହି ମାମଲା ସିଧାସଳଖ ଛାତ୍ର ଏବଂ ପୋଲିସଙ୍କ ସହ ଜଡ଼ିତ । ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଉଲ୍ଲଂଘନ ହୋଇଛି । ସେଠାରେ କାର୍ଯ୍ୟାନୁଷ୍ଠାନରେ ଗୁଣ୍ଡାମାନେ ସାମିଲ ଥିଲେ ଏବଂ ଜବାବରେ ଏହିସବୁ ସାମିଲ ହେବା ଉଚିତ । ଅତ୍ୟାଚାର କରିବାକୁ କାହାକୁ ଲାଇସେନ୍ସ ମିଳିନାହିଁ ।

ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ଖଣ୍ଡପୀଠ ଏହି ମାମଲାରେ ଜବାବ ପାଇଁ ବିଭିନ୍ନ ଦିଗ ଉପରେ ନିର୍ଦ୍ଦେଶ ଦେବା ଉଚିତ, ନଚେତ୍ ଜବାବ ମିଳିବ ନାହିଁ । ଗୋପାଳ କହିଥିଲେ ଯେ ଏହି ମାମଲାରେ ଆଦେଶକୁ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି । ଆମେ ସେହି ପୋଲିସ ଅଫିସରମାନଙ୍କୁ ଚିହ୍ନଟ କରିସାରିଛୁ ଯେଉଁମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସତ୍ୟପାଠରେ ଦର୍ଶାଯିବା ଉଚିତ ଯେ ଆରଏଏଫକୁ ନିର୍ଦ୍ଦେଶ ଦେବା ପାଇଁ କିଏ ଦାୟୀ ଥିଲେ ।

ପୋଲିସ କମିଶନର ଏବଂ ଆରଏଏଫ ନିର୍ଦ୍ଦେଶକଙ୍କୁ ନୋଟିସ୍ ପଠାଇ ପଚରାଯିବା ଦରକାର ଯେ ପେଲେଟ୍ ଗନ୍ ଏବଂ ଲାଠିଚାର୍ଜ ପାଇଁ କିପରି ଅନୁମତି ଦେଲେ । ପୋଲିସକୁ ଏହିଭଳି କାମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଏହା ଉପରେ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ଆମେ ଭିଡିଓ ଦାଖଲ କରିଛୁ । ସତ୍ୟପାଠରେ ଏହି ପ୍ରଶ୍ନଗୁଡ଼ିକର ଜବାବ ଦିଆଯିବା ଉଚିତ।

ସଲିସିଟର ଜେନେରାଲ କହିଥିଲେ ଯେ ପ୍ରତିବାଦରେ ଏପରି ଅନେକ ଲୋକ ଥିଲେ ଯାହାଙ୍କ ବିରୋଧରେ ଦୁଷ୍କର୍ମ, ହତ୍ୟା ସମେତ ଅନ୍ୟାନ୍ୟ ଅପରାଧିକ ମାମଲା ପୂର୍ବରୁ ରହିଛି । ମେହେଟ୍ଟା କହିଥିଲେ ଯେ ମୁଁ ବୃନ୍ଦା ଗ୍ରୋଭରଙ୍କ ସହ ତାଲିକା ସେୟାର କରିଥିଲି । ସେଥିରେ ଦୁଷ୍କର୍ମ, ହତ୍ୟା ଏବଂ ପୋକ୍ସୋ ଭଳି ମାମଲା ଥିଲା । ଡ୍ରାଇଭିଂ ସମ୍ପର୍କିତ ନିୟମ ଉଲ୍ଲଂଘନର କୌଣସି ମାମଲା ନଥିଲା ।

ସେହିପରି ଜଣେ ଆବେଦନକାରୀଙ୍କ ପକ୍ଷରୁ ଓକିଲ, ପୂର୍ବତନ ସିଜେଆଇଙ୍କ ନେତୃତ୍ୱରେ ତଦନ୍ତର ତଦାରଖ ପାଇଁ କମିଟି ଗଠନ ଦାବି କରିଥିଲେ । ସିଜେଆଇ କହିଥିଲେ ଯେ ଆମେ ଏହା ଉପରେ କାମ କରୁଛୁ । ସେହିପରି ଓକିଲ ହରିହରନ କହିଛନ୍ତି ଯେ ପ୍ରତିବାଦ ସ୍ଥଳରେ ବ୍ୟାପକ ଭାବେ ଫେସିଆଲ୍ ସର୍ଭେଲାନ୍ସ କରାଯାଇଥିଲା । ଏଥିପାଇଁ କୌଣସି ସମ୍ମତି ନିଆଯାଇ ନଥିଲା । ଏହା ଗୋପନୀୟତା ଅଧିକାରର ଉଲ୍ଲଂଘନ । ଆଇନଜୀବୀ ଗୋପାଳ କହିଛନ୍ତି ଯେ ଆପଣ ଆଧାର ବ୍ୟବହାର କିପରି କଲେ, ଏହା ବେଆଇନ । ସେମାନେ ଏହି ଡାଟାକୁ କେତେ ସମୟ ପର୍ଯ୍ୟନ୍ତ ନିଜ ପାଖରେ ରଖିବେ ?

ବୃନ୍ଦା ଗ୍ରୋଭର ପେଲେଟ୍ ଗନ୍ ବ୍ୟବହାର ନେଇ କହିଥିଲେ ଯେ ଜମ୍ମୁ କାଶ୍ମୀର ପରେ ଦିଲ୍ଲୀରେ ଏହାର ବ୍ୟବହାର କରାଗଲା । ଏହା ପାଇଁ କୌଣସି ଆଦେଶ ଥିଲା କି? ଏ ବିଷୟରେ ଜବାବ ଦିଆଯାଉ । ସିଜେଆଇ କହିଛନ୍ତି ଯେ ଏସଜି ନିଜ ଜବାବରେ ପେଲେଟ୍ ଗନ୍ ଉପରେ ମଧ୍ୟ ସ୍ପଷ୍ଟୀକରଣ ରଖନ୍ତୁ।

ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନେ ମଧ୍ୟ ଅନଲାଇନ୍ରେ ହାଜର ହୋଇଥିଲେ । ସିଜେଆଇ ସେମାନଙ୍କୁ ମଧ୍ୟ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଗମ୍ଭୀର ଓ ସଂଘାତିକ ଅପରାଧର ରେକର୍ଡ ଥିବା ୨,୭୦୦ରୁ ଅଧିକ ଲୋକଙ୍କ ବିରୋଧରେ ରୁଜୁ ଏଫଆଇଆର୍ ପ୍ରତ୍ୟାହାର କରାଯିବ ନାହିଁ।

ପରବର୍ତ୍ତୀ ଶୁଣାଣିରେ ସର୍ବୋଚ୍ଚ ଅଦାଲତ ଏସଆଇଟି ପ୍ରସଙ୍ଗ ଉପରେ ବିଚାର କରିବେ, ପେଲେଟ୍ ଗନ୍ ଜବାବ ଉପରେ ଧ୍ୟାନ ଦେବେ ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ କେତେ ଏଫଆଇଆର୍ ପ୍ରତ୍ୟାହାର କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେଥିପ୍ରତି ଦୃଷ୍ଟି ଦେବେ । ଅଗଷ୍ଟ ୧୯ ରେ ପରବର୍ତ୍ତୀ ଶୁଣାଣି ହେବ ।