ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଚୟନ ପରୀକ୍ଷା (ଟ୍ରାଏଲ୍ସ)ରେ ଅଂଶଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, "ଆମେ ହସ୍ତକ୍ଷେପ କରୁନାହୁଁ, ଆପଣ ଯାଆନ୍ତୁ ଏବଂ ଅଂଶଗ୍ରହଣ କରନ୍ତୁ।" ଏହି ଅନୁମତି ପରେ ଭିନେଶଙ୍କ ପାଇଁ ଟ୍ରାଏଲ୍ସର ଦ୍ବାରା ଖୋଲିଥିବା ବେଳେ, ଭଲ ପ୍ରଦର୍ଶନ କରି ୨୦୨୬ ଏସୀୟ କ୍ରୀଡ଼ା ପାଇଁ ନିଜ ଟିକେଟ ପକ୍କା କରିବାକୁ ଲକ୍ଷ୍ୟ ରଖିବେ ଭିନେଶ। ୨୦୨୬ ଏସୀୟ କ୍ରୀଡ଼ା ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବ।

ହାଇକୋର୍ଟଙ୍କ ନିଷ୍ପତ୍ତିକୁ SCରେ ଚ୍ୟାଲେଞ୍ଜ କରିଥିଲା WFI

ସୂଚନାଥାଉକି, ପୂର୍ବରୁ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଏସୀୟ କ୍ରୀଡ଼ା ଚୟନ ଟ୍ରାଏଲ୍ସରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିଥିଲେ। ହେଲେ ଭାରତୀୟ କୁସ୍ତି ମହାସଂଘ (WFI) ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଏମିତିରେ ସୁପ୍ରିମକୋର୍ଟରେ ମେ ୨୯ ତାରିଖରେ ମାମଲା ଶୁଣାଣିରେ ପୁଣି ଥରେ ନିଷ୍ପତ୍ତି ଭିନେଶ ଫୋଗାଟଙ୍କ ସପକ୍ଷରେ ଆସିଛି।

Also Read: ମୁମ୍ୱାଇରୁ ବିଦା ହେବେ ହାର୍ଦ୍ଦିକ ପାଣ୍ଡ୍ୟା ! କିଏ ହେବେ ନୂଆ ଅଧିନାୟକ ?

ସୁପ୍ରିମକୋର୍ଟ ଦେଲେ ଭିନେଶଙ୍କୁ ଟ୍ରାଏଲ୍ସ ଅନୁମତି

ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ମେ ୨୨ରେ ହାଇକୋର୍ଟ ଦେଇଥିବା ରାୟକୁ ବଜାୟ ରଖିଥିଲେ। ଏହି ଆଶ୍ୱସ୍ତି ସହ ଭିନେଶ ଫୋଗାଟ ଏବେ ମେ ୩୦ ଏବଂ ୩୧ ହେବାକୁ ଥିବା ଏସୀୟ ଗେମ୍ସ ପାଇଁ ଟ୍ରାଏଲ୍ସରେ ଅଂଶଗ୍ରହଣ କରିପାରିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଭିନେଶ ଫୋଗାଟଙ୍କୁ ନିର୍ଦ୍ଧାରିତ ଏସୀୟ କ୍ରୀଡ଼ା ଚୟନ ପରୀକ୍ଷଣରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ। କୋର୍ଟ କହିଛନ୍ତି, "ଆମେ ହସ୍ତକ୍ଷେପ କରୁନାହୁଁ, ଆପଣ ଯାଆନ୍ତୁ ଏବଂ ଅଂଶଗ୍ରହଣ କରନ୍ତୁ।"

ଭିନେଶ VS WFI

ଭିନେଶ ଫୋଗାଟ ଏବଂ ଭାରତୀୟ କୁସ୍ତି ମହାସଂଘ ମଧ୍ୟରେ ବିବାଦ ମେ ମାସ ଆରମ୍ଭରୁ ଜାରି ରହିଛି। ଭାରତୀୟ କୁସ୍ତି ମହାସଂଘ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଭିନେଶଙ୍କୁ କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାରୁ ନିଷେଧ କରିଥିଲା। ଆଣ୍ଟି-ଡୋପିଂ ନିୟମ ଅନୁଯାୟୀ  ଅବସରରୁ ଫେରିବା ପାଇଁ ଆବଶ୍ୟକ ୬ ମାସର ନୋଟିସ୍ ଅବଧି ପୂରଣ କରିନଥିବା ଦର୍ଶାଇ WFI ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା। ଏହି କାରଣରୁ WFI ଭିନେଶଙ୍କୁ ଗୋଣ୍ଡାରେ ଜାତୀୟ ଓପନ୍ ରାଙ୍କିଂ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାରୁ ମଧ୍ୟ ବାରଣ କରିଥିଲା। ଯାହାପରେ ବିବାଦ ବଢ଼ିଥିଲା।