ନୂଆଦିଲ୍ଲୀ, ୨୪।୧୧ : ଗଡଜିଲ୍ଲା ଏଲ୍ ନିନୋ ବା ସୁପର ଏଲ୍ ନିନୋ ଚଳିତ ଶୀତଋତୁ ସହ ଆସନ୍ତାବର୍ଷ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ରହିପାରେ। ଏହାଯୋଗୁ ହିନ୍ଦୁକୁଶ ହିମାଳୟ (ଏକେଏଚ୍) ଅଞ୍ଚଳରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ହେଲେ ହିମାଳୟ ଅଞ୍ଚଳରେ ଭୂସ୍ଖଳନ ଓ ହିମସ୍ଖଳନ ଘଟିବ। ଫଳରେ ଭାରତ ସମେତ ୫ଟି ଦେଶ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଏଚକେଏଚ୍ ୱିଣ୍ଟର ଆଉଟଲୁକ୍ ୨୦୨୬ ରିପୋର୍ଟରେ ଏଭଳି ଆଶଙ୍କା ବ୍ୟକ୍ତ କରାଯାଇଛି । କାଠମାଣ୍ଡୁ ସ୍ମିତ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଇଣ୍ଟିଗ୍ରେଟେଡ ମାଉଣ୍ଟେନ ଡେଭେଲପମେଣ୍ଟ ( ଆଇସିଆଇଏମଓଡି), ବେଜିଂର ନର୍ମାଲ ୟୁନିଭର୍ସିଟି ଏବଂ ଚାଇନିଜ ଏକାଡେମି ଅଫ୍ ସାଇନସେସ୍ର ଇନଷ୍ଟିଚ୍ୟୁଟ ଅଫ୍ ଆଟମୋସ୍ଫିୟରିକ୍ ଫିଜିକ୍ସ ପକ୍ଷରୁ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁସାରେ ଏଲ୍ ନିନୋ ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ ହେବ। ଏହାର ପ୍ରଭାବ ୨୦୨୭ ଫେବ୍ରୁଆରୀ ପର୍ଯ୍ୟନ୍ତ ଲାଗି ରହିବ। ନେପାଳ ସମେତ ଆଫଗାନିସ୍ତାନ, ପାକିସ୍ତାନ, ଉତ୍ତର ଭାରତ ଏବଂ ଚୀନ୍ର ସିଜାଙ୍ଗ ସ୍ବୟଂଶାସିତ ପ୍ରଦେଶ ଉପରେ ଏହାର ପ୍ରଭାବ ପଡିବ । ଏସବୁ ଅଞ୍ଚଳରେ ଅତ୍ୟଧିକ ବର୍ଷା ଓ ଅତ୍ୟଧିକ ଥଣ୍ଡା ହେବାର ଅନୁମାନ କରାଯାଇଛି। ଆମେରିକାର ନ୍ୟାସନାଲ ଓସେନିକ ଆଣ୍ଡ ଆଟମୋସ୍ଫିୟରିକ ଆଡମିନିଷ୍ଟ୍ରେସନ (ଏନଓଏଏ) ଦର୍ଶାଇଛି ବର୍ତ୍ତମାନ ଏଲ୍ ନିନୋ ମଜଭୁତରୁ ଆହୁରି ମଜଭୁତ ସ୍ଥିତରେ ରହିଛି। ୧୯୫୦ରେ ରେକର୍ଡ ଆରମ୍ଭ କରାଯିବା ପରଠାରୁ ଏହା ସବୁଠାରୁ ଶକ୍ତିଶାଳୀ ହେବାର ୬୦ ପ୍ରତିଶତ ସମ୍ଭାବନା ରହିଛି।

ଆଇସିଆଇଏମଓଡି ବୈଜ୍ଞାନିକଙ୍କ କହିବାନୁଯାୟୀ ମଜଭୁତ ଏଲ୍ ନିନୋ ଯୋଗୁ ହିମାଳୟ ପାଦଦେଶରେ ଅଧିକ ବର୍ଷା ହେବ। ଉଚ୍ଚକ୍ଷେତ୍ରରେ ବରଫପାତ ହେବାରେ ସମ୍ଭବନା ରହିଛି। ତା'ଛଡା ଏହି ଅଞ୍ଚଳର କିଛି ସ୍ଥାନରେ ମରୁଡି ଦେଖାଦେଇପାରେ। ଏଥିସହ ଜଙ୍ଗଲରେ ନିଆଁ ଲାଗିବାର ଘଟଣା ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି।

Also Read :- ଚାଉଳ ରପ୍ତାନି ଉପରେ ୨୦% ଟ୍ୟାକ୍ସ ଲଗାଇବେ ସରକାର ? ଦର ନିୟନ୍ତ୍ରଣ ପାଇଁ ଚାଲିଛି ପ୍ରସ୍ତୁତି

ଗତ କିଛିଦିନ ତଳେ ନେପାଳ ଓ ଭୁଟାନରେ ଆସିଥିବା ପ୍ରବଳ ବର୍ଷା ଓ ପ୍ରଳୟଙ୍କରୀ ବନ୍ୟା ପରେ ଏଭଳି ଚେତାବନୀ ଦିଆଯାଇଛି । ଗତ ଅଗଷ୍ଟରେ ହିନ୍ଦୁକୁଶ ଅଞ୍ଚଳରେ ବରଫ ହ୍ରଦରେ ବିସ୍ଫୋରଣ ଯୋଗୁ ନେପାଳର ଭୋଟେକୋଶୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିରେ ୧୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ଆହୁରି ୫ ହଜାରରୁ ଅଧିକ ଲୋକଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ଗତ ଅକ୍ଟୋବରରେ ଶିକାଗୋ ବିଶ୍ଵବିଦ୍ୟାଳୟର ଜଳବାୟୁ ବିଶେଷଜ୍ଞମାନେ କହିଥିଲେ ଯେ ସମଗ୍ର ବିଶ୍ଵ ବର୍ତ୍ତମାନ ସବୁଠାରୁ ବଡ ଶକ୍ତିଶାଳୀ ଏଲ୍ ନିନୋର ସାମନା କରୁଛି। ୧୯୫୦ ମସିହା ପରେ ଏହା ସବୁଠାରୁ ଶକ୍ତିଶାଳୀ ଏଲ୍ ନିନୋ ବୋଲି ସେମାନେ ଦର୍ଶାଇଥିଲେ ।