ନୂଆଦିଲ୍ଲୀ: ନାସା (NASA) ର ସାଟେଲାଇଟରୁ ମିଳିଥିବା ଚିତ୍ରରୁ ଜଣାପଡ଼ିଛି ଯେ, ପ୍ରଶାନ୍ତ ମହାସାଗରରେ 'ସୁପର୍ ଏଲ୍ ନିନୋ' (Super El Niño) ସକ୍ରିୟ ହୋଇଛି। ଏହି ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ଵରୂପ ବିଷୁବୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କେତେକ ଭାଗରେ ସମୁଦ୍ର ପତ୍ତନ ବା ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇଥିବା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ହୋଇଛି। 'ସେଣ୍ଟିନେଲ୍-୬ ମାଇକେଲ୍ ଫ୍ରେଲିଚ୍' (Sentinel–6 Michael Freilich) ନାମକ ସାଟେଲାଇଟ୍, ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହେବାର ସଙ୍କେତ ଦେଇଥିଲା, ଏହା ଏବେ 'ସୁପର୍ ଏଲ୍ ନିନୋ'ର ସ୍ଥିତିକୁ ସ୍ପଷ୍ଟ କରିଛି। ଏହା ପୂର୍ବରୁ ଜୁନ୍ ୧୧ ତାରିଖରେ 'ନ୍ୟାସନାଲ୍ ଓସେନିକ୍ ଆଣ୍ଡ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ' (NOAA) ଏଲ୍ ନିନୋର ଆଗମନ ନେଇ ଘୋଷଣା କରିଥିଲା।

ନାସା ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ମିଳିଥିବା ସାଟେଲାଇଟ୍ ଚିତ୍ର ଗୁଡ଼ିକ ଏହି ଜଳବାୟୁ ପରିବର୍ତ୍ତନର ଏକ ବଡ଼ ପ୍ରମାଣ। ବିଜ୍ଞାନ ଅନୁସାରେ, ସମୁଦ୍ର ପୃଷ୍ଠର ଉଚ୍ଚତା ବୃଦ୍ଧି ପାଇବା ଏହା ଦର୍ଶାଏ ଯେ, ମହାସାଗରର ତାପମାତ୍ରା ଧୀରେ ଧୀରେ ବଢୁଛି। ଯେତେବେଳେ ସମୁଦ୍ରର ଜଳ ଗରମ ହୁଏ, ସେତେବେଳେ ତାହାର ଆୟତନ ବା ଭଲ୍ୟୁମ୍ (Volume)ବଢ଼େ, ସେଥିପାଇଁ ଜଳସ୍ତର ଉପରକୁ ଉଠିଥାଏ।

ବିଷୁବୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାଧାରଣ ଅପେକ୍ଷା ଅଧିକ ଉଷ୍ମତା ଏବଂ ସମୁଦ୍ର ପୃଷ୍ଠର ଉଚ୍ଚତା ବୃଦ୍ଧି ପାଇବା ସିଧାସଳଖ ଭାବେ ଏଲ୍ ନିନୋ ସହ ଜଡ଼ିତ। ଏଲ୍ ନିନୋ ହେଉଛି ଏକ ପ୍ରାକୃତିକ ପାଣିପାଗ ଚକ୍ର, ଯାହା ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ଗରମ ହେବା ଯୋଗୁଁ ସୃଷ୍ଟି ହୋଇଥାଏ। କିନ୍ତୁ ଯେତେବେଳେ ଏହି ତାପମାତ୍ରା ସ୍ଵାଭାବିକ ସୀମା ଠାରୁ ବହୁତ ଅଧିକ ବୃଦ୍ଧି ପାଏ, ସେତେବେଳେ ଏହାକୁ 'ସୁପର୍ ଏଲ୍ ନିନୋ' କୁହାଯାଏ। ଏହାର ପ୍ରଭାବ ସାରା ବିଶ୍ଵର ପାଣିପାଗ ଉପରେ ପଡ଼ିଥାଏ।

ଏହି ସୁପର୍ ଏଲ୍ ନିନୋ ସକ୍ରିୟ ହେବା ଯୋଗୁଁ ଆଗାମୀ ଦିନରେ ଅନେକ ଦେଶରେ ପାଣିପାଗର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏସିଆ ଏବଂ ଅଷ୍ଟ୍ରେଲିଆ ଭଳି ଅଞ୍ଚଳରେ ଏହା ଯୋଗୁଁ କମ୍ ବର୍ଷା କିମ୍ବା ଗମ୍ଭୀର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ, ଯାହା କୃଷି ଉତ୍ପାଦନକୁ ପ୍ରଭାବିତ କରିବ। ଅପରପକ୍ଷରେ, ଦକ୍ଷିଣ ଆମେରିକାର କେତେକ ଦେଶରେ ଏହା ଦ୍ଵାରା ପ୍ରବଳ ବର୍ଷା ଏବଂ ବନ୍ୟା ସ୍ଥିତି ଉପୁଜିଥାଏ।