ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଅବକାରୀ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ଧରୁଆଡିହି ଥାନା ଅନ୍ତର୍ଗତ ଅଳଙ୍ଗ ପାଣି ଜଙ୍ଗଲରେ ଅବକାରୀ ବିଭାଗ ଚଢ଼ାଉ ବେଳେ ଅବକାରୀ ଏସ୍ଆଇ ଫୁଲ ସାହୁଙ୍କୁ ଆକ୍ରମଣ ମାମଲାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୩ଟି ବାଇକ୍ ଜବତ ହୋଇଛି। ଏହି ମାମଲାରେ ଆହୁରି ୧୩ ଜଣ ଫେରାର ଥିବା ବେଳେ, ସେମାନଙ୍କୁ ଧରିବାକୁ ପୋଲିସର ଉଦ୍ୟମ ଜାରି ରହିଛି।

ସୂଚନା ମୁତାବକ, ଅଳଙ୍ଗ ପାଣି ଜଙ୍ଗଲରେ ଅବକାରୀ ବିଭାଗ ଓ ଧରୁଆଡିହି ପୋଲିସର ମିଳିତ ଚଢ଼ାଉ ଚାଲିଥିଲା। ଏହି ସମୟରେ ଅବକାରୀ ଏସଆଇ ଫୁଲ ସାହୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ ଅଭିଯୁକ୍ତମାନେ। ତାଙ୍କ ଉପରକୁ ପଥର ଓ ଇଟାରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଫୁଲ ସାହୁଙ୍କ ମୁଣ୍ଡ ଫାଟିଯିବା ସହ ଆଉ ଦୁଇ ଜଣ ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ତଦନ୍ତକୁ ଜୋରଦାର କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ଧରୁଆଡିହି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବାବୁଲି କିଶାନ, ହଳଧର କିଶାନ, ବେଣୁଧର କିଶାନ, ବିନୋଦ କିଶାନ ଓ ଭରତ କିଶାନ।

Also Read: ବିଶ୍ୱାସରେ ବିଷ... ଚାକିରି ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା

ଅଭିଯୁକ୍ତ ବାବୁଲି ଓ ହଳଧରଙ୍କ ଘର ମାନମୁଣ୍ଡା ହୋଇଥିବା ବେଳେ, ଅନ୍ୟ ତିନି ଅଭିଯୁକ୍ତଙ୍କ ଘର ଅଳଙ୍ଗ ପାଣି ବୋଲି ଜଣା ପଡିଛି। ସେମାନଙ୍କ ନିକଟରୁ ତିନୋଟି ବାଇକ୍ ମଧ୍ୟ ଜବତ କରିଛି ପୋଲିସ । ତେବେ ଘଟଣାରେ ସମ୍ପୃକ୍ତ ଆହୁରି ୧୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରୁଆଡିହି ପୋଲିସର ଉଦ୍ୟମ ଜାରି ରହିଛି।