ମୁମ୍ବାଇ : ରାମାୟଣ ଉପରେ ଫିଲ୍ମ ତିଆରି କରିବା ଏବେ ଫିଲ୍ମମେକରଙ୍କ ପାଇଁ କେବଳ ଏକ ସିନେମାଟିକ୍ ପ୍ରୋଜେକ୍ଟ ନୁହେଁ, ବରଂ ବଡ଼ ବକ୍ସ ଅଫିସ୍ ଚ୍ୟାଲେଞ୍ଜ ମଧ୍ୟ ହୋଇଛି । ପୂର୍ବେ ୨୦୨୩ରେ ପ୍ରଭାସଙ୍କ ‘ଆଦିପୁରୁଷ’କୁ ନେଇ ଦର୍ଶକଙ୍କ ମଧ୍ୟରେ ତୀବ୍ର ସମାଲୋଚନା ,ଚର୍ଚ୍ଚା ଓ ବିବାଦ ଦେଖାଯାଇଥିଲା। ଏବେ ‘ମହାକାବ୍ୟ ଶ୍ରୀ ରାମାୟଣ କଥା’ ମଧ୍ୟ ବକ୍ସ ଅଫିସରେଭଲ ପ୍ରଦର୍ଶନ କରିପାରିନଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଫିଲ୍ମଟି ସେପ୍ଟେମ୍ବର ୨୫ରେ ରିଲିଜ୍ ହୋଇଥିଲା ଏବଂ ୨୭ ସେପ୍ଟେମ୍ବର ସୁଦ୍ଧା ଏହାର ଇଣ୍ଡିଆ ନେଟ୍ କଲେକ୍ସନ୍ ପ୍ରାୟ ୦.୫ କୋଟି ଟଙ୍କା ଥିବା ଏକ ବକ୍ସ ଅଫିସ୍ ଟ୍ରାକର୍ ଦାବି କରିଛି।

ଏହି ଟ୍ରେଣ୍ଡ ମଧ୍ୟରେ ଏବେ ସବୁଠାରୁ ଅଧିକ ନଜରରେ ରହିଛି ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ ଉପରେ । ଏହି ଫିଲ୍ମରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ଏବଂ ସାଇ ପଲ୍ଲବୀ ମା' ସୀତାଙ୍କ ଭୂମିକାରେ ନଜର ଆସିବେ। kgf ଷ୍ଟାର ଯଶ ରାବଣ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମଟିର ପ୍ରଥମ ଭାଗ ୬ ନଭେମ୍ବର ୨୦୨୬ରେ ରିଲିଜ୍ ହେବାକୁ ଥିବା ବେଳେ, ଦ୍ୱିତୀୟ ଭାଗ ୨୦୨୭ରେ ଆସିବାର ସୂଚନା ଦେଇଛନ୍ତି ନିର୍ମାତା । ଏହା ଏକ ବହୁତ ବଡ଼ ପ୍ରୋଜେକ୍ଟ ଏବଂ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଫିଲ୍ମଗୁଡ଼ିକ ମଧ୍ୟରେ ଏହାକୁ ଗଣାଯାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି ପୂର୍ବରୁ ରାମାୟଣ ଆଧାରିତ କିଛି ଫିଲ୍ମ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ଏବଂ ବକ୍ସ ଅଫିସ୍ ପ୍ରଦର୍ଶନରୁ ନିର୍ମାତାମାନେ କ’ଣ ଶିଖିବେ? କେଉଁ ତ୍ରୁଟି ଗୁଡିକୁ ସୁଧାରି ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବା ଫିଲ୍ମ ? ସେପରି ରଣବୀରଙ୍କ ‘ରାମାୟଣ’ ସାମ୍ନାରେ ମଧ୍ୟ ଦର୍ଶକଙ୍କ ଆଶା, ଧାର୍ମିକ ଭାବନା, କାହାଣୀର ପ୍ରସ୍ତୁତି ଏବଂ VFX ଭଳି ଅନେକ ଜିନିଷ ଗୁରୁତ୍ୱପୂର୍ଣ୍ଣ ରହିବ । ଏହି ଚର୍ଚ୍ଚା ମଧ୍ୟରେ ଫିଲ୍ମର ଟିମ୍ ମଧ୍ୟ ଏହି ପ୍ରୋଜେକ୍ଟକୁ ନେଇ ବେଶ୍ ସଚେତନ ଥିବା କୁହାଯାଉଛି । ଅଭିନେତା ଅରୁଣ ଗୋଭିଲ, ଯିଏ ପୂର୍ବରୁ ଟିଭିରେ ରାମଙ୍କ ଭୂମିକାରେ ଲୋକପ୍ରିୟ ହୋଇଥିଲେ, ରଣବୀରଙ୍କୁ ରାମଙ୍କ ଭୂମିକା ପାଇଁ ଉପଯୁକ୍ତ ବୋଲି ପ୍ରଶଂସା କରିଛନ୍ତି।

ନୂଆ ଫିଲ୍ମର ଟିମ୍ ମଧ୍ୟ ରାମାୟଣର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗୁରୁତ୍ୱକୁ ନେଇ ଜୋର ଦେଇଛି। ତେଣୁ ‘ମହାକାବ୍ୟ ଶ୍ରୀ ରାମାୟଣ କଥା’ର ବକ୍ସ ଅଫିସ୍ ଟ୍ରେଣ୍ଡକୁ ରଣବୀରଙ୍କ ଫିଲ୍ମର ଭବିଷ୍ୟତର ସିଧାସଳଖ ସଙ୍କେତ ବୋଲି କହିବା ଏବେ ଠିକ୍ ହେବ ନାହିଁ। କାରଣ ଉଭୟ ଫିଲ୍ମର ବଜେଟ୍, ସ୍କେଲ୍, କାଷ୍ଟ, ମାର୍କେଟିଂ ଏବଂ ରିଲିଜ୍ ସ୍ଥିତି ଭିନ୍ନ। ତଥାପି ଏହି ଫଳାଫଳ ରାମାୟଣ ଆଧାରିତ ସିନେମା ପାଇଁ ଦର୍ଶକଙ୍କ ଆଶା କେତେ ଦୂର ରହିବ ସେନେଇ ଏକ ଚର୍ଚ୍ଚା ସୃଷ୍ଟି କରିଛି।