ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖରକୁ ଦିଲ୍ଲୀର ଏକ କୋର୍ଟ ୮ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ କରିଛନ୍ତି। ଠକ ସୁପ୍ରିମକୋର୍ଟ ବିଚାରପତିଙ୍କ ନାମ ନେଇ ଏକ ଅନ୍ୟ ଅପରାଧିକ ମାମଲାରେ ଜାମିନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଅଭିଯୋଗରେ କୋର୍ଟ ଏହି ଦଣ୍ଡାଦେଶ କରିଛନ୍ତି। ତିଶହଜାରୀ କୋର୍ଟଙ୍କ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜଷ୍ଟିସ୍ ହର୍ଷିତା ମିଶ୍ର ଭାରତୀୟ ଦଣ୍ଡ ସଂହିତାର ଧାରା ୧୭୦ ଅନୁସାରେ ୨ ବର୍ଷ ସଶ୍ରମ ଜେଦଣ୍ଡାଦେଶ ସହ ୫ ହଜାରଟଙ୍କା ଜରିମନା, ଧାରା ୧୮୯ ଅନୁସାରେ ୨ ବର୍ଷ କଠୋ ଜେଲ ସହ ୫ ହଜାର ଟଙ୍କା ଜରିମନା ଓ ଧାରା ୫୦୭ ଅନୁସାରେ ୪ ବର୍ଷ କଠୋର ଜେଲଦଣ୍ଡାଦେଶ କରିଛନ୍ତି।

ଅଗଷ୍ଟ ୨୯ରେ କୋର୍ଟ ଦ୍ୱାରା ଗୃହୀତ ଦଣ୍ଡାଦେଶକୁ ସୋମବାର ଉପଲବ୍ଧ କରାଯାଇଛି। ଆଦେଶରେ କୋର୍ଟ କହିଛନ୍ତି ଯେ ‘ଦଣ୍ଡ ଏପରି ହେବା ଦରକାର ଯାହା ଏହା ଦର୍ଶାଇବ ଯେ ଅପରାଧିକ ନ୍ୟାୟପ୍ରଣାଳୀ ଏକ ବିଛିନ୍ନ ବେଆଇନ କୃତ୍ୟ ଓ ସାର୍ବଜନିକ ସଂସ୍ଥାନଙ୍କ ବୈଧ କାର୍ଯ୍ୟକ୍ରମରେ ହେରଫେର, ଡରାଇବା-ଧମକାଇବା ଅଥବା ହସ୍ତକ୍ଷେପ କରିବା ଉଦ୍ଦେଶ୍ୟରେ ଜାଣିଶୁଣି କାରାଯାଇଥିବା କୃତ୍ୟ ଶୃଙ୍ଖଳା ମଧ୍ୟରେ ଅନ୍ତର କରେ’।

ସୁକେଶ ଚନ୍ଦ୍ରଶେଖର ୨୦୧୭ ମସିହାରେ ଭ୍ରଷ୍ଟାଚାର ମାମଲାରେ ପୋଲିସ ହାଜତରେ ଥିବା ବେଳେ କନଷ୍ଟେବଳ ମନଜିତର ମୋବାଇଲ ଫୋନ ଉପଯୋଗ କରିଥିଲା। ଏହି ଫୋନରୁ ସୁକେଶ ମାମଲାର ଶୁଣାଣି କରୁଥିବା ସ୍ପେଶାଲ ଜଜ ପୁନମ ଚୌଧୁରୀଙ୍କ ଲ୍ୟାଣ୍ଡଲାଇନ ଫୋନରେ ସମ୍ପର୍କ କରିଥିଲା। ସେ ପ୍ରଥମେ ନିଜକୁ ସୁପ୍ରିମକୋର୍ଟ ଜଜଙ୍କ ପ୍ରାଇଭେଟ ସେକ୍ରେଟାରୀ ଓ ପରେ ନିଜକୁ ସୁପ୍ରିମକୋର୍ଟର ସିଟିଂ ଜଜ ବୋଲି ପରିଚୟ ଦେଇଥିଲା। ଏଥିରେ ସୁକେଶ ନିଜର ଜାମିନ ଯଥାଶୀଘ୍ର ମଞ୍ଜୁର କରିବାକୁ ସ୍ପେଶାଲ ଜଜଙ୍କ ଉପରେ ଚାପ ପକାଇଥିଲା।

କୋର୍ଟ ସୁକେଶର ଏହି କୃତ୍ୟକୁ ସଂସ୍ଥାଗତ ଅବହେଳା ବୋଲି କହିଛନ୍ତି। ତିଶହଜାର କୋର୍ଟର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ହର୍ଷିତା ମିଶ୍ର ମାମଲାରେ ସୁକେଶକୁ ଦୋଷୀ ସାବ୍ୟସ୍ତ କରିବା ସହ ଏହା କୌଣସି ସାଧାରଣ ଠକେଇ ନୁହେଁ ବରଂ ବିଚାର ପ୍ରକ୍ରିୟାର ପବିତ୍ରତା ଓ ସ୍ୱାଧୀନତା ଉପରେ ସିଧା ଆକ୍ରମଣ ବୋଲି କହିଛନ୍ତି। ତେବେ ସୁକେଶକୁ ପୋଲିସ ହାଜତରେ ଫୋନ ଦେଇଥିବା କନଷ୍ଟେବଲର ମଧ୍ୟ ଏବେ ଯାଞ୍ଚ ଚାଲିଛି। କୋର୍ଟ ଏ କଥାରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯେ ହାଜତରେ ସୁକେଶ ହାତକୁ ଫୋନ ଗଲା କିପରି?ଏଣୁ କୋର୍ଟ ମନଜିତ ମାମଲାକୁ ନୂଆ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।