ନୂଆଦିଲ୍ଲୀ : ଦେଶରେ ଚିନିର ବଢୁଥିବା ଦର ଓ ଷ୍ଟକକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଶନିବାର ସରକାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି। ସେ ‘ଆତ୍ମ ନିର୍ଭର ଭାରତ’ର ସେହି ସ୍ଥିତିକୁ ନେଇ ପ୍ରଶ୍ନ କରିଛନ୍ତି ଯେଉଁଥିରେ ବିଦେଶରୁ ଚିନି ଆମଦାନୀ କରାଯାଉଛି, ଅନ୍ୟ ପଟେ ଆଖୁ କୁ ପେଟ୍ରୋଲରେ ବ୍ଲେଣ୍ଡ ହେଉଥିବା ଇଥାନଲ ତିଆରିରେ ଉପଯୋଗ ହେଉଛି। ତେବେ ଏହା ପୂର୍ବରୁ କେନ୍ଦ୍ର ସରକାର ଶୁକ୍ରବାର ସଫସଫା କହିଥିଲେ ଯେ ଚିନି ମୂଲ୍ୟ ବୃଦ୍ଧିରେ ଇଥାନଲର କୌଣସି ଭୂମିକା ନାହିଁ।

ଦେଶର କିଛି ସହରରେ ଚିନି କେଜି ପିଛା ଦର ୭୦ ଟଙ୍କାକୁ ପହଞ୍ଚିଲାଣି। ଗତ ୩ ମାସରେ ଚିନି ଦର ପାଖାପାଖି ୪୦% ବୃଦ୍ଧି ହୋଇଛି। ଅର୍ଥାତ କେଜି ପିଛା ଦରରେ ୧୯ ଟଙ୍କା ବୃଦ୍ଧି ହେଲାଣି। ଏଣୁ କେନ୍ଦ୍ର ସରକାର ଚିନି ଦର ନିୟନ୍ତ୍ରଣ କରିବାକୁ ଅକ୍ଟୋବର ୩୧ ତାରିଖ ସୁଦ୍ଧା ୧୦ ଲକ୍ଷ ଟନ ଚିନି ଶୁଳ୍କ ମୁକ୍ତ ଆମଦାନୀ ପାଇଁ ଅନୁମତି ଦେଇଛନ୍ତି।

ପାଗ ଖରାପ ଯୋଗୁ ହ୍ରାସ ହୋଇଛି ଆଖୁ ଉତ୍ପାଦନ
ନ୍ୟାସନାଲ ଫେଡେରେସନ ଅଫ କୋ-ଅପରେଟିଭ ସୁଗାର ଫ୍ୟାକ୍ଟ୍ରିଜ୍ (ଏନଏଫସିଏସଏଫ) ଅନୁସାରେ ଗତବର୍ଷ ଅତ୍ୟଧିକ ବର୍ଷା ଯୋଗୁ ଆଖୁ ଫସଲ ଖରାପ ହୋଇଥିଲା। ଏଣୁ ଚିନି ରିକଭରି ହାର ଅର୍ଥାତ ଆଖୁରୁ ଚିନି ପ୍ରସ୍ତୁତି ହାର ୧୨%ରୁ ତଳକୁ ହ୍ରାସ ହୋଇଥିଲା। ଅନ୍ୟ ଅର୍ଥରେ ୧ କ୍ୱିଣ୍ଟାଲ ଆଖୁରୁ ୧୨ କେଜିରୁ ବି କମ୍ ଚିନି ଉତ୍ପାଦନ ହୋଇଛି। ଏଣୁ ଦେଶରେ ମୋଟ ଚିନି ଉତ୍ପାଦନ ୩୦ ନିୟୁତ ଟନ ମଧ୍ୟରେ ଥିଲା। ଏହା ଆନୁମାନିକ ଉତ୍ପାଦନ ୩୨ ମିଲିୟନ ଟନରୁ କମ୍ ଥିଲା।

ଇଥାନଲ ଉତ୍ପାଦନ ମଧ୍ୟ ଏକ କାରଣ
ସରକାରଙ୍କ ନୂଆ ଇଥାନଲ ବ୍ଲେଣ୍ଡିଂ ନୀତି ଯୋଗୁ ଚିନି ଉତ୍ପାଦନ ବଦଳେ ଇଥାନଲ ଉତ୍ପାଦନ ଲାଗି ବହୁ ମାତ୍ରାରେ ଆଖୁ ଉପଯୋଗ ହେଉଛି। ଅଲ ଇଣ୍ଡିଆ ଡିଷ୍ଟିଲର୍ସ ଆସୋସିଏସନ ଅନୁସାରେ ଦେଶରେ ଗତବର୍ଷ ୭୨୦ କୋଟି ଲିଟର ଇଥାନଲ ଉତ୍ପାଦନ ହୋଇଛି। ଏହି ପ୍ରକ୍ରିୟା ଲାଗି ୧୩.୩ ନିୟୁତ ଟନ ଖାଦ୍ୟଶସ୍ୟ ଓ ୨.୫ନିୟୁତ ଟନ ସୁଗାର ଗ୍ରେଡ ମୋଲାସେସ୍ ଉପଯୋଗ କରାଯାଇଛି ଓ ପରେ ୩.୪ ମିଲିୟନ ଟନ ଆଖୁ ଉପଯୋଗ ହୋଇଛି।

ଷ୍ଟକ୍ କମ୍ ସତ୍ତ୍ୱେ ରପ୍ତାନୀ
କେନ୍ଦ୍ର ସରକାର ନଭେମ୍ବର ୨୦୨୫ରେ ୧.୫ ମିଲିୟନ ଟନ ଚିନି ରପ୍ତାନୀକୁ ମଞ୍ଜୁରୀ ଦେଇଥିଲେ। ଏହା ପରେ ଫେବୃଆରୀ ୨୦୨୬ରେ ଆଉ ୫ ମିଲିୟନ ଟନ ଚିନି ରପ୍ତାନୀକୁ ମଧ୍ୟ ମଞ୍ଜୁର କରାଯାଇଥିଲା। ତେବେ ଦେଶରେ ଚିନି ଦର ବଢିବା କାରଣରୁ ସରକାର ମେ ୨୦୨୬ରେ ଚିନି ରପ୍ତାନୀ ଉପରେ ରୋକ ଲଗାଇଥିଲେ, ହେଲେ ସେତେବେଳକୁ ଦେଶରୁ ୮ ମିଲିୟନ ଟନ ଚିନି ବିଦେଶ ରପ୍ତାନୀ ହୋଇସାରିଥିଲା। ଏଣୁ ଚିନି ଷ୍ଟକ୍ ୪.୭ ମିଲିୟନ ଟନରୁ ହ୍ରାସ ହୋଇ ୩.୯ ନିୟୁତ ଟନକୁ ଖସି ଆସିଛି। ଏଣୁ ଘରୋଇ ବଜାରରେ ଅଭାବ ଦେଖା ଦେଇଛି।

ପାର୍ବଣ ଋତୁରେ କଳାବଜାରୀ
ପାର୍ବଣ ଋତୁ ଯେପରି ଗଣେଶ ଚତୁର୍ଥୀ ଓ ଦୀପାବଳିରେ ମିଠା ଖର୍ଚ୍ଚ ବଢିଯାଏ। ମିଠାଇ, ଡ୍ରିଂକସ୍ ଓ ଏହିପରି ସାମଗ୍ରୀ ତିଆରି କରୁଥିବା କମ୍ପାନୀ ମାନେ ଭବିଷ୍ୟତର ଆବଶ୍ୟକତାକୁ ନଜରରେ ରଖି ଚିନି ଜମା କରିବା ଆରମ୍ଭ କରିଦିଅନ୍ତି। ଅଧିକ ଚାହିଦା ଓ ଷ୍ଟକ୍ ହ୍ରାସ ଯୋଗୁ ବଜାର ଦର ବଢିବାରେ ଲାଗେ।

୩ ମାସରେ ଗୁଡ଼ ମୂଲ୍ୟ ୨୪% ବୃଦ୍ଧି
ଚିନି ବ୍ୟତୀତ ପିଛିଲା ୩ ମାସରେ ଗୁଡ଼, ଚାଉଳ ଓ ମକ୍କା ଅଟା ଦର କ୍ରମଶଃ ୨୪, ୧୬ ଓ ୧୧% ବୃଦ୍ଧି ହୋଇଛି। ଚିନି ମୂଲ୍ୟ ବୃଦ୍ଧିର ଗୋଟିଏ କାରଣ ମିଲ୍ ରେ ଷ୍ଟକ କମ୍ ବୋଲି କୁହାଯାଉଛି। ମିଲ୍ ମାନଙ୍କ ପ୍ରାରମ୍ଭିକ ଷ୍ଟକ୍ ମଧ୍ୟ ଗତବର୍ଷ ତୁଳନାରେ କମ ରହିଛି। ଗତବର୍ଷ ଆଖୁ ପେଡା ଆରମ୍ଭ ହେବା ପୂର୍ବରୁ ମିଲ ମାନଙ୍କରେ ୪୭ ଲକ୍ଷ ଟନ ଚିନି ମହଜୁଦ ଥିଲା। ହେଲେ ଏ ବର୍ଷ ୩୨ ଲକ୍ଷ ଟନକୁ ଖସି ଆସିଛି।

୯ ବର୍ଷ ପୂର୍ବେ ଶେଷ ଥର ବିଦେଶରୁ ଚିନି ଆମଦାନୀ କରିଥିଲା ଭାରତ
ବ୍ରାଜିଲ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତ ଚିନି ଉତ୍ପାଦନକାରୀ ଦେଶ। ୨୦୨୧-୨୨ରେ ଭାରତ ରେକର୍ଡ ୧.୧କୋଟି ଟନ ଚିନି ରପ୍ତାନୀ କରିଥିଲା। ହେଲେ ସେବେଠାରୁ ଏ ପର୍ଯ୍ୟନ୍ତ ରପ୍ତାନୀ ହ୍ରାସ ଜାରି ରହିଛି। ଦେଶରେ ଚିନି ଅଭାବ ଦେଖା ଦେଲେ ଭାରତ ବ୍ରାଜିଲ ଭଳି ଦେଶରୁ ଅଶୋଧିତ ଚିନି ଆମଦାନୀ କରିଥାଏ, ତାକୁ ଦେଶରେ ରିଫାଇନ କରାଯାଏ। ଶେଷ ଥର ୨୦୧୭ ମସିହାରେ ଭାରତ ଚିନି ଆମଦାନୀ କରିଥିଲା। ସେତେବେଳେ ୨୪ଲକ୍ଷ ଟନ ଚିନି ଆମଦାନୀ ହୋଇଥିଲା। ଏବେ ପ୍ରାୟ ୧୦ ବର୍ଷ ପରେ ବିଦେଶରୁ ପୁଣି ଚିନି ଆମଦାନୀ ଆବଶ୍ୟକ ପଡିଛି।