ସୁନ୍ଦରଗଡ଼: ଭଙ୍ଗା ଦଦରା ମାଟି ଘର । କେଉଁଠି ଛାତ ଖପର ଭାଙ୍ଗି ଗଲାଣି.. ତ’ କେଉଁଠି ବର୍ଷାରେ କାନ୍ଥ ଭିଜି ଆଁ କଲାଣି । ପୁଣି ଘର ଚାରିପଟେ ବଣ ଜଙ୍ଗଲ । କାନ୍ଥରୁ ମାଟି ଖସି ବାରଣ୍ଡାରେ ପଡିଛି, ସେହି ବାରଣ୍ଡାରେ ରହିଛି ଏକ ଖଟିଆ ଆଉ ସେହି ଖଟିଆରେ ବିତୁଛି ସୁଦାମ କିଷାନଙ୍କ ଜୀବନ। ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ କିଞ୍ଜିମା ଗାଁର ସୁଦାମ କିଷାନ । ଯାହାଙ୍କର ସହଚର ଦୁଃଖ, ଯନ୍ତ୍ରଣା। ଆହୁରି ଦୁଃଖଦ ତାଙ୍କ ଜୀବନ ସଂଘର୍ଷ। କିନ୍ତୁ ତାଙ୍କର ଏହା ଦୁର୍ଭାଗ୍ୟ ନୁହେଁ। ଆମ ବ୍ୟବସ୍ଥାର ତ୍ରୁଟି। ତାଙ୍କୁ ଦେଖିଲେ ମନରେ ପ୍ରଶ୍ନ ଆସେ, ତାହେଲେ କାହାପାଇଁ ଏ ସରକାରୀ ଯୋଜନା ?

ସୂଚନା ଅନୁସାରେ, ଅକାଳ ବିୟୋଗରେ ପୁଅକୁ ହରାଇଥିଲେ ସୁଦାମ। ପରେ ସ୍ତ୍ରୀ ମଧ୍ୟ ପୁଅକୁ ଝୁରି ଝୁରି ଆରପାରିକୁ ଚାଲି ଗଲେ। ଆଉ ଏବେ ଛାତିକୁ ପଥର କରି ଏକାକୀ ଜୀବନ କାଟୁଛନ୍ତି ସୁଦାମ କିଷାନ। ପରିଣତ ବୟସରେ ଭତ୍ତା ହିଁ ଥିଲା ସୁଦାମଙ୍କ ଏକ ମାତ୍ର ସାହା ଭରସା । ହେଲେ ବିଡ଼ମ୍ବନାର ବିଷୟ ଭତ୍ତା ନମିଳିବାରୁ ସୁଦାମଙ୍କ ଜୀବନ ଭୋକ ଉପାସରେ ଆହୁରି ଦୁର୍ବିସହ ହୋଇପଡ଼ିଛି। ବାଡ଼ିରୁ ଶାଗ ପତ୍ର ଯୋଗାଡ଼ କରି ସେଇଥିରେ ଜୀଉଁଛନ୍ତି ଜୀବନ। ସରକାରୀ ସହାୟତା କଥା କହିଲେ ପାଞ୍ଚ କେଜି ଚାଉଳ ଆଉ ବାର୍ଦ୍ଧକ୍ୟ ଭତ୍ତା। କିନ୍ତୁ ଦୁଃଖ ଯେ, ଚାଉଳ ମିଳୁଛି ହେଲେ ତିନିମାସ ହେଲା ଭତ୍ତା ମିଳୁ ନାହିଁ । ଅଭାବ ଅସହାୟ ସୁଦାମଙ୍କ ଆଖିର ଅଶ୍ରୁ ଅବିରତ ଯାହା କରି ଚାଲିଛି ନୀରବ ପ୍ରତିବଦ।

ସୁଦାମ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛନ୍ତି, ‘ ମୋତେ ପକ୍କା ଘରଟିଏ ଦିଅନ୍ତୁ। ନଚେତ ଏହି ଭଙ୍ଗା ଘରେ କେତେବେଳେ ବି ମୋ ଜୀବନ ଚାଲି ଯାଇପାରେ । ସୁଦାମଙ୍କ ଅବସ୍ଥାର ବିକଳ ଚିତ୍ର ଦେଖିଲେ ବି ମନରେ ପ୍ରଶ୍ନ ଆସେ ସରକାରଙ୍କ ଏତେ ଯୋଜନା କାହାପାଇଁ । ଲୋକଙ୍କ ପାଖରେ କାହିଁକି ପହଞ୍ଚି ପାରୁନାହିଁ ପ୍ରଶାସନ। ଯୋଜନାର ରୂପାୟନ ବା କାର୍ଯ୍ୟକାରିତା, ତାହାର ତଦାରଖ କଣ ସରକାରୀ ବାବୁ ଓ ସରକାରଙ୍କ ଦାୟିତ୍ୱ ନୁହେଁ କି। କାଗଜପତ୍ରରେ କଣ ବିକାଶ ବାସ୍ତବ ହୁଏ? ଆମ ବ୍ୟବସ୍ଥା ସେହି ନାଲିଫିତା ଭିତରୁ ବାହାରି କେବେ କାର୍ଯ୍ୟକାରିତାକୁ ଦୃଶ୍ୟମାନ କରିବ।

Also Read: କଅଁଳ ବୟସରେ ୬ ପ୍ରାଣୀଙ୍କ ଦାୟିତ୍ଵ, ପରିବାର ପାଇଁ ଅଧାରୁ ଛାଡ଼ିଲେ ପାଠ

ତେବେ ଦିନ ତମାମ ଭତ୍ତାକୁ ନେଇ ନ୍ୟୁଜ ସେଭେନରେ ନ୍ୟୁଜ ଖବର ପ୍ରସାରଣ ପରେ ସୁଦାମ କିଷାନଙ୍କ ପାଖରେ ପହଞ୍ଚିଛି ବ୍ଲକ ପ୍ରଶାସନ। ସଦର ବିଡ଼ିଓ ମୋତିଲାଲ ସୁଲିଆ ସ୍ଥାନୀୟ ଲୋକ ପ୍ରତିନିଧି ଅଶ୍ବିନୀ ନାଏକ ଏବଂ ବ୍ଲକ ଖାଉଟି ଅଧିକାରୀ ପହଂଚି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।