ପାଟନା, ୨୬/୦୮ : ବୟସ ମାତ୍ର ୬ ବର୍ଷ । ପ୍ରଥମ କିମ୍ବା ଦ୍ୱିତୀୟ ଶ୍ରେଣୀରେ ପଢୁଥିବ । କିନ୍ତୁ କମ୍ ବୟସରେ ସେ ଦେଖିଛି ପ୍ରଶାସନର ଅପାରଗତା । କିପରି ଛାତ୍ରଛାତ୍ରୀ ଏବଂ ପରୀକ୍ଷାର୍ଥୀମାନେ ନାନା ସମସ୍ୟାର ସାମ୍ନା କରନ୍ତି ତାହା ତାକୁ ଆନ୍ଦୋଳିତ କରିଛି । ଏଥିପାଇଁ ସେ ସିଧାସଳଖ କଲେକ୍ଟର କି ଏମଏଲଏ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିଛି ପ୍ରଶ୍ନ । ଆଉ ନିଜ ଦାବିରେ ମାଗିଛି ଇସ୍ତଫା । ବିହାରର ପାଟନା ଆନ୍ଦୋଳନରେ ଏବେ ୬ ବର୍ଷୀୟ ଏକ ବାଳକର ସ୍ଲୋଗାନ ଭାଇରାଲ ହେଉଛି ।

 

ବିହାର ଚାଲିଛି ଛାତ୍ର ଆନ୍ଦୋଳନ । ଟିଆରଇରେ ଏକକ ପରୀକ୍ଷା ଏବଂ ନେଗେଟିଭ୍ ମାର୍କିଂ ହଟାଇବା ଦାବିରେ ଆନ୍ଦୋଳନ କରୁଛନ୍ତି ହଜାର ହଜାର ଛାତ୍ରଛାତ୍ରୀ ।ଏଥିପାଇଁ ପାଟନାରେ ଛାତ୍ରମାନେ ଜୋରଦାର ଆନ୍ଦୋଳନ କରିଛନ୍ତି । ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ଗିରଫ ମଧ୍ୟ ହୋଇଛନ୍ତି । ପୋଲିସର ଲାଠିମାଡରେ ଆହତ ହୋଇଛନ୍ତି । ଏହାର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହି ଆନ୍ଦୋଳନରେ ୬ ବର୍ଷର ଆଦିତ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ପ୍ରଥମ ଶ୍ରେଣୀରେ ପଢୁଥିବା ଆଦିତ୍ୟ ସରକାରଙ୍କ ନିକଟରେ ବଡ଼ ଦାବି ରଖିଛି । ଯାହା ଏବେ ଚର୍ଚ୍ଚାରେ । ତାଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ।

ଭାଇରାଲ ହେଉଛି ପ୍ରଥମ ଶ୍ରେଣୀର ଆଦିତ୍ୟ

ଛାତ୍ର ଆନ୍ଦୋଳନରେ ଅନେକ ଚିତ୍ର ସାମ୍ନାକୁ ଆସୁଛି । ହେଲେ ୬ ବର୍ଷର ଆଦିତ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ତାଙ୍କର ଭାଇରାଲ ଭିଡିଓରେ ସେ କହୁଛନ୍ତି ଯେ, ସରକାର ଛାତ୍ରଙ୍କ ପାଇଁ ଚାକିରିର ବ୍ୟବସ୍ଥା କରିବା ଦରକାର । ଛାତ୍ରମାନେ ବେରୋଜଗାର ହେଉଛନ୍ତି । ସରକାର ଆସେ ଏବଂ ଯାଏ । କିନ୍ତୁ ଦେଶର ଭବିଷ୍ୟତ ସହ ସରକାର ଖେଳୁଛନ୍ତି । ଏହା ଛାତ୍ରଙ୍କ ଜୀବନ ଏବଂ କ୍ୟାରିଅର ଉପରେ ପ୍ରଭାବ ପକାଉଛି । ଏହାସହ ସେ ଛାତ୍ରଙ୍କୁ ନିଜର ସମର୍ଥନ ଦେବାକୁ ଆନ୍ଦୋଳନକୁ ଆସିଥିବା କହିଛନ୍ତି ।

ସରକାରଙ୍କୁ ପ୍ରଶ୍ନ

ଆଦିତ୍ୟ ପଚାରିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଛାତ୍ରଙ୍କୁ ଚାକିରି ଦେବା କଥା କଣ ହେଲା । ଚାକିରି ପାଇଁ ଆସିଥିବା ୟୋଜନା ସବୁ ଏବେ କେଉଁଠି । ସିଏମ୍ ଅନେକ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ କିଛି ପୂରଣ ହୋଇନି । ଚାକିରି ଦେବାକୁ କହି ସରକାର ଲାଠି ଦେଉଛନ୍ତି ବେଲା ଆଦିତ୍ୟ କହିବା ସହ ସମ୍ରାଟଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ।