ଭଦ୍ରକ: ଭଦ୍ରକ ସହରରେ ଏକ ମେସ୍‌ରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିଥିବା ଖବରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭଦ୍ରକ ମହାବିଦ୍ୟାଳୟ ନିକଟରେ ଥିବା ଏକ ମେସ୍ରେ ଏହି ଅଘଟଣ ଘଟିଛି। ମୃତ ଛାତ୍ର ହେଉଛନ୍ତି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅନ୍ତର୍ଗତ ଯଶିପୁର ଗ୍ରାମର ଗୋଲେଖ ଚନ୍ଦ୍ର ବେହେରା।

ସୂଚନା ଅନୁଯାୟୀ, ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଗୋଲେଖ ଭଦ୍ରକ କଲେଜ ନିକଟସ୍ଥ ଏକ ମେସ୍‌ରେ ରହି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପ୍ରାୟ ଦୁଇ ମାସ ହେବ ସେ ମେସ୍ରେ ରହୁଥିବା ବେଳେ ୭ ଦିନ ତଳେ ଗାଁରୁ ଫେରିଥିଲେ। ତେବେ ଶନିବାର ଦୀର୍ଘ ସମୟ ଧରି ମେସ୍‌ର ରୁମ୍ କବାଟ ନଖୋଲିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ଖବର ପାଇ ଭଦ୍ରକ ସହରାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read: ରାଜଧାନୀରେ ରାସ୍ତାରେ ସାନ କୁମ୍ଭୀର ଏବଂ ବଡ଼ କୁମ୍ଭୀରର ଆତଙ୍କ, ମୁଖା ପିନ୍ଧି ଯୁବକଙ୍କୁ ଗୋଡ଼େଇ ଗୋଡେଇ ହାଣିଲେ...

ଅନ୍ୟପଟେ ମୃତ ଛାତ୍ରଙ୍କ ଦାଦାଙ୍କ କହିବା ଅନୁଯାୟୀ, ଗୋଲେଖ କାହିଁକି ଏଭଳି ପଦକ୍ଷେପ ନେଲେ, ସେନେଇ ପରିବାର ଲୋକେ କିଛି ଜାଣିନାହାନ୍ତି। ଛାତ୍ରଙ୍କ ବାପା ଘଟଣାସ୍ଥଳରେ ପହଞ୍ଚିବା ପରେ ରୁମ୍ର କବାଟ ଖୋଲାଯାଇ ମୃତଦେହ ଉଦ୍ଧାର କରାଯିବ ବୋଲି ଜଣାପଡ଼ିଛି। ତେବେ ଏହା ଆତ୍ମହତ୍ୟା ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।