ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ଭାରତର ଭୋଟର ଲିଷ୍ଟରେ ତାଙ୍କ ନାମ ଥିବା ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସ ରାଉଜ ଏଭେନ୍ୟୁ କୋର୍ଟରେ ରିପୋର୍ଟ ଦାଖଲ କରିଛି। ପୋଲିସ ରିପୋର୍ଟରେ କୁହାଯାଇଛି ସୋନିଆ ଗାନ୍ଧି ୧୯୮୦ ମସିହାରେ ଭାରତୀୟ ନାଗରିକ ନଥିଲେ। ହେଲେ ସେତେବେଳେ ତାଙ୍କ ନାମ ଭୋଟର ଲିଷ୍ଟରେ ଥିଲା। ତାଙ୍କୁ ୧୯୮୩ ମସିହାରେ ଭାରତର ନାଗରିକତା ମିଳିଥିଲା।

ପୋଲିସ କୋର୍ଟକୁ କହିଛି ଯେ ଏହି ତଥ୍ୟର ପୁଷ୍ଟି ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ) ଓ ଗୃହମନ୍ତ୍ରାଳୟରୁ କରିଛି। ପୋଲିସ ଦିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଠାରୁ ମଧ୍ୟ କିଛି ରେକର୍ଡ ମଗାଇଛି। ଏବେ ତାଙ୍କ ଜବାବକୁ ଅପେକ୍ଷା କରାଯାଇଛି। ଏଣୁ କୋର୍ଟ ପୋଲିସକୁ ତଦନ୍ତ ପୁରା କରିବାକୁ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୧୪ ତାରିଖରେ ହେବ। ସୋନିଆ ଗାନ୍ଧିଙ୍କ ବିରୋଧରେ ଆଗତ ପିଟିସନରେ ଅଭିଯୋଗ କରାଯାଇଛି ଯେ ସେ ୩୦ ଏପ୍ରିଲ ୧୯୮୩ରେ ଭାରତର ନାଗରିକତା ହାସଲ କରିଥିଲେ। ତେବେ ତାଙ୍କ ନାମ ୧୯୮୦ ଭୋଟର ଲିଷ୍ଟରେ ବି ଥିଲା। ପିଟିସନରେ ପ୍ରଶ୍ନ କରାଯାଇଛି ଯେ ନାଗରିକତା ହାସଲ କରିବା ପୂର୍ବରୁ ତାଙ୍କ ନାମ ଦିଲ୍ଲୀ ଭୋଟର ଲିଷ୍ଟରେ କେଉଁ ଆଧାରରେ ପଞ୍ଜିକୃତ ହୋଇଥିଲା ଓ ଏଥି ଲାଗି କେଉଁସବୁ କାଗଜପତ୍ର ଉପଯୋଗ କରାଯାଇଥିଲା?

ଅଭିଯୋଗରେ ଏହା ବି ପ୍ରଶ୍ନ କରାଯାଇଛି ଯେ ୧୯୮୨ ମସିହାରେ ସୋନିଆଙ୍କ ନାମ ଭୋଟର ଲିଷ୍ଟରୁ କାହିଁକି ହଟାଇ ଦିଆଯାଇଥିଲା?ଯଦି ୧୯୮୩ ମସିହାରେ ନାଗରିକତା ମିଳିଲା ତେବେ ଏହା ପୂର୍ବରୁ ଭୋଟର ଲିଷ୍ଟରେ ନାମ ଯୋଡିବା ପାଇଁ କେଉଁ କାଗଜପତ୍ର ଉପଯୋଗ ହୋଇଥିଲା? ଆବେଦନକାରୀ ଏହି ପ୍ରକ୍ରିୟାରେ କଥିତ ରୂପେ ଜାଲି କାଗଜପତ୍ର ବ୍ୟବହାର କରାଯାଇଥିଲା ବୋଲି ଆଶଙ୍କା କରିଛନ୍ତି। ଏହା ପୂର୍ବରୁ ଏହି ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ନଭେମ୍ବର ୧୮ ତାରିଖରେ ଦିଲ୍ଲୀ ପୋଲିସକୁ ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ମାଗିଥିଲେ।

ଏହି ଶୁଣାଣି ୧୯୮୦ ମସିହାର ଭୋଟର ଲିଷ୍ଟରେ ସୋନିଆ ଗାନ୍ଧିଙ୍କ ନାମ କଥିତ ରୂପେ ସାମିଲ କରାଯିବା ମାମଲାରେ ଏଫଆଇଆର ରୁଜୁ କରିବା ଦାବିରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ହୋଇଛି। ଅଭିଯୋଗକାରୀ ତଥା ଓକିଲ ବିକାଶ ତ୍ରିପାଠୀ କୋର୍ଟରେ ୧୯୮୦, ୧୯୮୧ ଓ ୧୯୮୩ ମସିହାର ସତ୍ୟାପିତ ଭୋଟର ଲିଷ୍ଟକ କପି ଦାଖଲ କରିଛନ୍ତି। ଏହା ପୂର୍ବରୁ ନଭେମ୍ବର ୬ ତାରିଖରେ କୋର୍ଟ ଅଭିଯୋଗକାରୀଙ୍କୁ ଅତିରିକ୍ତ ଡକ୍ୟୁମେଣ୍ଟ ଦାଖଲ କରିବାକୁ ଅନୁମତି ଦେଇଥିଲେ।

ଏହି ମାମଲାକୁ ପୁଣି ମୂଳରୁ ନୂଆ କରି ଶୁଣାଣି କରାଯାଉଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ସ୍ପେଶାଲ ଜଜ୍ ଜଷ୍ଟିସ୍ ବିଶାଲ ଗୋଗନେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଆଦେଶକୁ ରଦ୍ଦ କରି ମାମଲାକୁ ପୁରନର୍ବିଚାର ନିମନ୍ତେ ପଠାଇ ଦେଇଥିଲେ। ସ୍ପେଶାଲ କୋର୍ଟ କହିଥିଲେ ଯେ ମାଜିଷ୍ଟ୍ରେଟ୍ ଙ୍କ ଆଦେଶ ତର୍କ ସଂଗତ ନଥିଲା ଓ ଅଭିଯୋଗ ଉପରେ ଆଇନ ଅନୁସାରେ ମୂଳରୁ ବିଚାର କରାଯିବା ଆବଶ୍ୟକ। ଏହା ପୂର୍ବରୁ ଆଡଭୋକେଟ ବିକାଶ ତ୍ରିପାଠୀ ମାଜିଷ୍ଟ୍ରେଟଙ୍କ ଆଦେଶକୁ ଦୌରାଜଜ କୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ।