ନୂଆଦିଲ୍ଲୀ: ସାଧାରଣତଃ ଜଣେ ବ୍ୟକ୍ତି ନିଜର ସମସ୍ତ ସମ୍ପତ୍ତି ପରିବାର କିମ୍ବା ରକ୍ତ ସମ୍ପର୍କୀୟଙ୍କ ନାମରେ ଉଇଲ୍ (Will) କରିଥାନ୍ତି। କିନ୍ତୁ ଚୀନ ସାଂଘାଇ ସହରରୁ ଏକ ଭିନ୍ନ ଧରଣର ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୧୯ ବର୍ଷର ଛାତ୍ର ନିଜ ପରିବାରକୁ ବାଦ୍ ଦେଇ ନିଜର ପିଲାଦିନର ସାଙ୍ଗକୁ ୨୦ ମିଲିୟନ୍ ୟୁଆନ୍ (ପ୍ରାୟ ୨୮.୧ କୋଟି ଟଙ୍କା) ମୂଲ୍ୟର ସମସ୍ତ ସମ୍ପତ୍ତି ଆଇନଗତ ଭାବେ ଦାନ କରିଛନ୍ତି।

'ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ'ର ରିପୋର୍ଟ ଅନୁସାରେ, ଲି (Li) ସାଙ୍ଗିଆ ବିଶିଷ୍ଟ ଏହି କଲେଜ ଛାତ୍ର ଜଣକ ସାଂଘାଇର ରେଜିଷ୍ଟ୍ରେସନ୍ ସେଣ୍ଟର'କୁ ଯାଇ ନିଜ ନାମରେ ଥିବା ଏକ ଫ୍ଲାଟ୍ ଏବଂ ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ ଜମାକୁ ସାଙ୍ଗ ନାମରେ କରି ଦେଇଛନ୍ତି । ଲି'ଙ୍କ କହିବା ଅନୁସାରେ, ସେ ଛୋଟ ଥିବା ସମୟରେ ତାଙ୍କ ବାପା-ମା'ଙ୍କ ମଧ୍ୟରେ ବିବାହ ବିଚ୍ଛେଦ (Divorce) ହୋଇଯାଇଥିଲା ଏବଂ ପରେ ଦୁହେଁ ଅଲଗା ସ୍ଥାନରେ ଦ୍ବିତୀୟ ବିବାହ କରିଥିଲେ। ଯଦିଓ ବାପା-ମା' ସମ୍ପତ୍ତିକୁ ତାଙ୍କ ନାମରେ କରିଦେଇଥିଲେ, କିନ୍ତୁ ତାଙ୍କ ପିଲାଦିନେ ସେମାନେ ତାଙ୍କୁ ସମୟ ଦେଇନଥିଲେ। ଏଥିପାଇଁ ସେ ନିଜ ବାପା-ମା'ଙ୍କଠାରୁ ମାନସିକ ସ୍ତରରେ ବହୁତ ଦୂରେଇ ଯାଇଥିଲେ।

ଲି ଜଣେ 'ଏକ୍ସଟ୍ରିମ୍ ସ୍ପୋର୍ଟସ' ପ୍ରେମୀ ଏବଂ ସେ ନିୟମିତ ଭାବେ ଏଭଳି ଖେଳରେ ଭାଗ ନିଅନ୍ତି ଯେଉଁଠାରେ ଜୀବନ ପ୍ରତି ବିପଦ ଥାଏ। ତେଣୁ ଭବିଷ୍ୟତର ଅନିଶ୍ଚିତତାକୁ ଆଖିରେ ରଖି ସେ ଅଳ୍ପ ବୟସରୁ ହିଁ ନିଜ ସମ୍ପତ୍ତିର ଉତ୍ତରାଧିକାରୀ ସ୍ପଷ୍ଟ କରିବାକୁ ଚାହୁଁଥିଲେ। ଲି ନିଜ ବାପା ଓ ମା'ଙ୍କର ଦ୍ବିତୀୟ ସ୍ବାମୀ/ସ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଅପରିଚିତ ମନେ କରନ୍ତି। ଯଦି ତାଙ୍କର କିଛି ଦୁର୍ଘଟଣା ଘଟେ, ତେବେ ସେହି ଅପରିଚିତ ବ୍ୟକ୍ତିମାନେ ଯେପରି ତାଙ୍କ ସମ୍ପତ୍ତିର ଫାଇଦା ନ ଉଠାଇ ପାରିବେ, ସେଥିପାଇଁ ସେ ନିଜର ସବୁଠାରୁ ବିଶ୍ବାସୀ ଏବଂ ପିଲାଦିନର ସାଙ୍ଗକୁ ସବୁକିଛି ଦେଇଦେବାକୁ ଶ୍ରେୟସ୍କର ମନେକଲେ।

ଆଇନ ଅନୁସାରେ, ଯଦି କୌଣସି ବ୍ୟକ୍ତି ଆଇନଗତ ଉତ୍ତରାଧିକାରୀ ସ୍ଥିର କରିନଥାନ୍ତି, ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ପିଲା ଏବଂ ବାପା-ମା' ପ୍ରଥମ ଆଇନଗତ ଦାବିଦାର ହୁଅନ୍ତି। ଲି ଅବିବାହିତ ଏବଂ ତାଙ୍କର କୌଣସି ସନ୍ତାନ ନଥିବାରୁ ସ୍ବାଭାବିକ ଭାବେ ଏହି ସମ୍ପତ୍ତି ତାଙ୍କ ବାପା-ମା'ଙ୍କ ପାଖକୁ ଯାଇଥାନ୍ତା। କିନ୍ତୁ ଚୀନ୍ ଆଇନରେ ଏକ ବିଶେଷ ପ୍ରାବଧାନ ରହିଛି । ଯଦି କେହି ଚାହିଁବେ ତେବେ ପରିବାର ବ୍ୟତୀତ ଯେକୌଣସି ବ୍ୟକ୍ତିଙ୍କୁ ନିଜର ଉତ୍ତରାଧିକାରୀ କରିପାରିବେ।

କାର୍ଯ୍ୟାଳୟର ମ୍ୟାନେଜର ହୁଆଙ୍ଗ ହାଇବୋଙ୍କ ସୂଚନା ଅନୁଯାୟୀ, ଲି'ଙ୍କ ମୃତ୍ୟୁ ପରେ ତାଙ୍କ ସାଙ୍ଗକୁ ସମ୍ପତ୍ତି ବିଷୟରେ ଜଣାପଡ଼ିବାର ୬୦ ଦିନ ମଧ୍ୟରେ ଆଇନଗତ ଭାବେ ଏହି ସମ୍ପତ୍ତିକୁ ଗ୍ରହଣ କରିବାକୁ ପଡ଼ିବ। ଯଦି ସେ ଏହି ସମୟସୀମା ମଧ୍ୟରେ ଏହାକୁ ଗ୍ରହଣ ନକରନ୍ତି, ତେବେ ଆଇନଗତ ପ୍ରକ୍ରିୟା ରଦ୍ଦ ହେବାର ସମ୍ଭାବନା ରହିଛି ।