ଭୁବନେଶ୍ୱର ୩୧।୦୩ : ରାଜ୍ୟରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଜାତୀୟ ମେଟ୍ରୋ ରେଳ ନୀତି ସହ ଅନୁପାଳନ ଆବଶ୍ୟକତା ଥିବା ବେଳେ ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ପ୍ରକଳ୍ପ ଉପରେ ପ୍ରଶ୍ନବାଚୀ ଲଗାଇଛି । ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃ-ଅନୁଧ୍ୟାନ ପାଇଁ ବର୍ତ୍ତମାନ ସରକାର ଏହି ପ୍ରକଳ୍ପକୁ ସ୍ଥଗିତ ରଖିଥିବା ସେ କହିଛନ୍ତି । ଏଥିପାଇଁ ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏଥିସହିତ "Sustainable Urban Mobility Transition Plan for Odisha" ଶୀର୍ଷକ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ଓଡ଼ିଶାରେ ମେଟ୍ରୋ ରେଳ ସମେତ ସାମଗ୍ରିକ ସହରୀ ପରିବହନ ବ୍ୟବସ୍ଥାକୁ ଚୂଡାନ୍ତ ରୂପ ଦେବାରେ ସହାଯତ ହେବ । ଉକ୍ତ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ସୁପାରିଶକୁ ଅନୁଧ୍ୟାନ କରିବା ପରେ, ସରକାର ମେଟ୍ରୋ ପ୍ରକଳ୍ପ ସଂପର୍କରେ ଆଗାମୀ ଦିନରେ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସେ କହିଛନ୍ତି ।