ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ ପରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତକାଟ ହେଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁ ମୁଣ୍ଡଫଟା ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ସେପଟେ ବିଦ୍ୟୁତ କାଟ୍ ତଥା କୌଣସି ତ୍ରୁଟି ହେଲେ ସଜାଡ଼ିବାକୁ କର୍ମଚାରୀ ଅଭାବ। କାରଣ ୬ ଦଫା ଦାବି ନେଇ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ମହାସଂଘର ଧାରଣା ଜାରି ରହିଛି। ୫ ଦିନ ହେଲା ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ସଂଘର ହଜାର ହଜାର କର୍ମଚାରୀ। ଆଉ ଏହାକୁ ଦେଖି ରାଜ୍ୟ ସରକାର ଶକ୍ତି କ୍ଷେତ୍ର ସହ ଜଡ଼ିତ ସମସ୍ତ ସଂସ୍ଥାରେ ଧର୍ମଘଟକୁ ଛଅ ମାସ ପାଇଁ ନିଷିଦ୍ଧ କରିଛନ୍ତି।

ଗୃହ ବିଭାଗର ବିଶେଷ ଶାଖା ପକ୍ଷରୁ ଜାରି ଏହି ଆଦେଶ ଅନୁଯାୟୀ, ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆକ୍ଟ ୧୯୮୮ ବଳରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନୁସାରେ, GRIDCO, OPTCL, OHPC, OPGC ସହ TPCODL, TPNODL, TPSODL ଓ TPWODL ପରି ବିଦ୍ୟୁତ ବଣ୍ଟନ କମ୍ପାନୀମାନଙ୍କୁ ଏହି ନିଷେଧାଜ୍ଞାର ଅଧୀନରେ ଆଣାଯାଇଛି। ଏଥିସହ ରାଜ୍ୟର ଅନ୍ୟାନ୍ୟ ପାୱାର ଉତ୍ପାଦନ ସଂସ୍ଥାମାନେ ମଧ୍ୟ ଏହି ଆଦେଶର ପରିଧିରେ ରହିବେ।

ଏହାର ଫଳରେ ଏହି ସଂସ୍ଥାଗୁଡ଼ିକର କର୍ମଚାରୀ, ଇଞ୍ଜିନିୟର ଓ ଅନ୍ୟ ସଂପୃକ୍ତ ସେବାକର୍ମୀମାନେ ଧର୍ମଘଟ କିମ୍ବା କାମ ବନ୍ଦ ଆନ୍ଦୋଳନ କରିପାରିବେ ନାହିଁ। ଅନଧିକୃତ ଭାବେ କାର୍ଯ୍ୟରୁ ଅନୁପସ୍ଥିତ ରହିବାକୁ ମଧ୍ୟ ଏହି ଆଇନ ଅନୁଯାୟୀ ଧର୍ମଘଟର ଶ୍ରେଣୀରେ ଗଣାଯିବ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି।