ମୁମ୍ବାଇ: ଦଶନ୍ଧି ଧରି ନିଜର ଅଭିନୟ ଓ କମେଡିରେ ଦର୍ଶକଙ୍କ ମନ ଜିତିଥିବା ବଲିଉଡ ଅଭିନେତା ଗୋବିନ୍ଦାଙ୍କ ପରିବାରରୁ ଏବେ ଆଉ ଦୁଇଜଣ ସଦସ୍ୟ ବଡ଼ ପରଦାରେ ଏଣ୍ଚ୍ରି ମାରିବାକୁ ଯାଉଛନ୍ତି। ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଓ ପୁଅ ୟଶବର୍ଦ୍ଧନ ଆହୁଜା ଏକାସାଙ୍ଗରେ ବଲିଉଡରେ ଡେବ୍ୟୁ କରିବେ। ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ଏକତା କପୁର।

ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସୁନୀତା ଆହୁଜା ଏହି ସୂଚନା ଦେବା ସହ କହିଛନ୍ତି,ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିବ। ଫିଲ୍ମରେ ସେ ନିଜ ପୁଅ ୟଶଙ୍କ ମା' ଭୂମିକାରେ ଅଭିନୟ କରୁଛନ୍ତି।

ନିଜ ବଲିଉଡ ଦେବ୍ୟୁ ଓ ଏହାର ପ୍ରଯୋଜକ ଏକତା କପୁରଙ୍କୁ ନେଇ ସୁନୀତା କହିଛନ୍ତି, "ମୁଁ ୟଶ ସହ ଗୋଟେ ଫିଲ୍ମ କରିଛି, ସେପ୍ଟେମ୍ବର ମାସରେ ଫିଲ୍ମଟି ରିଲିଜ୍ ହୋଇଯିବ। ଏକତା କପୁରଙ୍କ ପ୍ରତି ମୋର ଅପାର ଭଲପାଇବା ଓ ସମ୍ମାନ ରହିଛି। ତାଙ୍କ ପାଇଁ ହିଁ ମୁଁ ନେଟଫ୍ଲିକ୍ସର ଏକ ଶୋ କରିଥିଲି। ଆମ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ୟଶଙ୍କ ଫିଲ୍ମରେ ମୁଁ ତାଙ୍କ ମା'ର ଭୂମିକାରେ ଅଭିନୟ କରୁଛି। ବୋଧହୁଏ ବଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମା' ଓ ପୁଅଙ୍କୁ ଏକାସାଙ୍ଗରେ ଲଞ୍ଚ କରାଯାଉଛି।"

ଦର୍ଶକ ଓ ପ୍ରଶଂସକଙ୍କ ପାଖରେ ନିବେଦନ କରି ସୁନୀତା କହିଛନ୍ତି "ମୁଁ କେବଳ ଏତିକି ଚାହୁଁଛି ଯେ, ଆପଣମାନେ ମୋତେ ସବୁବେଳେ ଭଲପାଇବା ଓ ଆଶୀର୍ବାଦ ଦେଇଆସିଛନ୍ତି, ସେହିଭଳି ମୋ ପୁଅ ୟଶଙ୍କୁ ମଧ୍ୟ ଭଲପାଇବା ଓ ଆଶୀର୍ବାଦ ଦିଅନ୍ତୁ।" ତେବେ ଫିଲ୍ମର ନାଁ କଣ ରହିଛି, ଷ୍ଟୋରୀ ଲାଇନ କଣ, ତାହା ଏହେ ପୂରା ସସପେନ୍ସରେ ରହିଛି। 

ସୁପରଷ୍ଟାର ଗୋବିନ୍ଦାଙ୍କ ପୁଅ ୟଶ ଆହୁଜା ପ୍ରଥମ ଥର ପାଇଁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ଏ ତାଙ୍କ ଭଉଣୀ ଟିନା ଆହୁଜା ଏହାପୂର୍ବରୁ ଅଭିନୟ ଜଗତରେ ପାଦ ରଖି ସାରିଛନ୍ତି। ଟିନା ୨୦୧୫ରେ ମୁକ୍ତିଲାଭ କରିଥିବା 'ସେକେଣ୍ଡ ହ୍ୟାଣ୍ଡ ହଜବେଣ୍ଡ' ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ।

ଅନ୍ୟପଟେ, ସୁନୀତା ଆହୁଜା ନିକଟରେ ରିଆଲିଟି ଶୋ 'ଲକ ଅପ' ଛାଡ଼ି ଦେଇଥିଲେ। ସ୍ୱାସ୍ଥ୍ୟଗତ କାରଣ ସେ ଶୋ ଛାଡ଼ିଥିବା କହିଥିଲେ। ତେବେ ସେ ରିଆଲିଟି ଶୋ କରିଥିଲେ ବି କେବେ ଫିଲ୍ମମରେ ଡେବ୍ୟୁ କରି ନଥିଲେ। ଏହା ତାଙ୍କ ପ୍ରଥମ ବଲିଉଡ ଡେବ୍ୟୁ ହେବ।