ଭୁବନେଶ୍ବର ୧୩।୧୦: ରାଜନୀତିରୁ ଏବେ ଲୋକଭବନ । ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏବେ ରାଜ୍ୟପାଳ ଥିବା ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେବେ ବ୍ରଜ ମୋହନ ରାମ । ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ବ୍ରଜ ମୋହନ ରାମଙ୍କର ରହିଛି ଦୀର୍ଘ ରାଜନୈତିକ ଅଭିଜ୍ଞତା । ସେ ଅବିଭକ୍ତ ବିହାର ବିଧାନସଭାର ସଦସ୍ୟ ଥିବାବେଳେ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡ ପାଲାମୁ ଲୋକସଭା ଆସନରୁ ତିନିଥର ସାଂସଦ ନିର୍ବାଚିତ ହୋଇଥିଲେ । ୧୯୯୬, ୧୯୯୮ ଓ ୧୯୯୯ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ତାଙ୍କ ନିଯୁକ୍ତି ପରେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କର ନୂଆ ଭୂମିକା ଉପରେ ରହିବ ସମସ୍ତଙ୍କ ନଜର ।

ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ତାଙ୍କ ନିଯୁକ୍ତି ପରେ ରାଜ୍ୟର ଶିକ୍ଷା, ଉଚ୍ଚ ଶିକ୍ଷାନୁଷ୍ଠାନ ଓ ସାମ୍ବିଧାନିକ ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ସେପଟେ ବ୍ରଜ ମୋହନ ରାମଙ୍କ ଦାୟିତ୍ୱ ଗ୍ରହଣ ପୂର୍ବରୁ ରାଜ୍ୟରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ନୂଆ ରାଜ୍ୟପାଳଙ୍କର ଅନୁଭବ ଓଡ଼ିଶା ପାଇଁ ସହାୟକ ହେବ । ଦୀର୍ଘ ସମୟ ଧରି ସାମ୍ବିଧାନିକ ଦାୟିତ୍ୱର ଅନୁଭବ ଓଡ଼ିଶା ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏପଟେ ଓଡ଼ିଶାର ଆଗାମୀ ରାଜନୀତି ପାଇଁ ବ୍ରଜ ମୋହନଙ୍କ ଆଗମନଙ୍କୁ ନେଇ ଅଙ୍କ କଷିଛନ୍ତି ରାଜନୈତିକ ବିଶେଷଜ୍ଞ ।

ପ୍ରାୟ ବର୍ଷେ ୯ ମାସର କାର୍ଯ୍ୟକାଳ ପରେ ଓଡ଼ିଶା ରାଜ୍ୟପାଳ ପଦରୁ ଦାୟିତ୍ଵ ହସ୍ତାନ୍ତର କରିବେ ହରିବାବୁ କମ୍ଭମପାଟି । ଆନ୍ଧ୍ରପ୍ରଦେଶର ବରିଷ୍ଠ ରାଜନେତା ହରିବାବୁ କମ୍ଭମପାଟି, ପ୍ରଥମେ ମିଜୋରାମ ଏବଂ ପରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୨୧ ଜୁଲାଇ ୧୯ରେ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିବା ହରିବାବୁ ପ୍ରାୟ ୩ ବର୍ଷ ୫ ମାସ ସେଠାରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୨୫ ଜାନୁଆରୀ ୩ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଇ ୧ ବର୍ଷ ୯ ମାସ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ଥିଲେ । ତାଙ୍କ କାର୍ଯ୍ୟକାଳରେ ରାଜ୍ୟର ବିକାଶ, ଶିକ୍ଷାର ଉନ୍ନତି ଓ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଭଳି ପ୍ରସଙ୍ଗ ଉପରେ ସେ ଗୁରୁତ୍ୱ ଦେଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଓଡ଼ିଶା ଲୋକଭବନକୁ ମିଳିଥିଲା ଜାତୀୟ ସ୍ୱୀକୃତି ।

Also Read:- କନ୍ଧମାଳ ମହିଳା ଜନ୍ମ ଦେଲେ ଦୁଇଟି ମୁଣ୍ଡ ଥିବା ଶିଶୁ, SNCUରେ ଚାଲିଛି ଚିକିତ୍ସା

ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ ପକ୍ଷରୁ ଲୋକଭବନକୁ ମିଳିଥିଲା ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ । ସୌରଶକ୍ତିର ବ୍ୟବହାର, ଇଲେକ୍ଟ୍ରିକ୍ ଯାନ ଚଳାଚଳ ଏବଂ ପରିବେଶ ଅନୁକୂଳ ବ୍ୟବସ୍ଥା ଥିଲା ଏହି ସଫଳତାର ପ୍ରମୁଖ ଦିଗ । ଏବେ ତାଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ନିଯୁକ୍ତ ହେବା ପରେ ହରିବାବୁଙ୍କ କାର୍ଯ୍ୟକାଳ ଓ ଓଡ଼ିଶା ପ୍ରତି ତାଙ୍କ ଅବଦାନକୁ ନେଇ ମନେ ପକାଇଛନ୍ତି ରାଜ୍ୟର ନେତୃତ୍ୱ ।

ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କ ସମ୍ମୁଖରେ ରହିବ ଓଡ଼ିଶାର ସାମ୍ବିଧାନିକ ପରମ୍ପରାକୁ ଆଗକୁ ବଢ଼ାଇବା, ବିଶ୍ୱବିଦ୍ୟାଳୟଗୁଡ଼ିକର କାର୍ଯ୍ୟକଳାପ ସହ ଜଡ଼ିତ ଦାୟିତ୍ୱ ତୁଲାଇବା ଏବଂ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାମ୍ବିଧାନିକ ଭୂମିକା ନିର୍ବାହ କରିବା । ତେବେ ତାଙ୍କର ଅଭିଜ୍ଞତା ଓ ଦୃଷ୍ଟିକୋଣ ଓଡ଼ିଶାର ରାଜଭବନକୁ କିଭଳି ନୂଆ ଦିଗ ଦେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।