ମାଦ୍ରିଦ: ଇରାନ ଉପରେ ଆକ୍ରମଣ କରୁଥିବା ଆମେରିକୀୟ ଯୁଦ୍ଧ ବିମାନ ଲାଗି ସ୍ପେନ ତାର ଆକାଶ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷାମନ୍ତ୍ରୀ ମାର୍ଗାରିଟା ରୋବଲସ୍ ସୋମବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମିଳିତ ମିଲେଟ୍ରି ବେସ୍ ଉପଯୋଗ ଉପରେ ରୋକ ଲଗାଇବା ପାଇଁ ସ୍ପେନ ତାର ପୂର୍ବ ନିଷ୍ପତ୍ତିକୁ ବଢାଇ ଦେଇଛି। ମାଦ୍ରିଦରେ ସାମ୍ବାଦିକଙ୍କ ସହ ଆଲୋଚନାରେ ରୋବଲସ୍ କହିଛନ୍ତି ଯେ ଇରାନ ସମ୍ପର୍କିତ ସାମରିକ ଗତିବିଦ୍ଧି ପାଇଁ ନା ସ୍ପେନର ସାମରିକ ଘାଟି ଉପଯୋଗ ହେବ ନା ଏରୋସ୍ପେସ୍।

ପୂର୍ବରୁ ଏହି ସୂଚନା ଏକ ସ୍ପେନୀୟ ସମ୍ବାଦପତ୍ର ସମର୍ଥିତ ସାମରିକ ସୂତ୍ରରୁ ଦେଇଥିଲା। ରିପୋର୍ଟ ଅନୁସାରେ ଏହି କଟକଣା କାରଣରୁ ଆମେରିକା ଯୁଦ୍ଧ ବିମାନଙ୍କୁ ମଧ୍ୟପ୍ରାଚ୍ୟରେ ନିଜ ଲକ୍ଷ୍ୟ ଉଦ୍ଦେଶ୍ୟରେ ଯାତ୍ରା ପାଇଁ ସ୍ପେନକୁ ବାଇପାସ କରିବାକୁ ପଡିବ। ତେବେ ଜରୁରିକାଳୀନ ପରିସ୍ଥିତିରେ ଆକାଶ ସୀମା ବନ୍ଦ ନିୟମ ଲାଗୁ ହେବ ନାହିଁ ବୋଲି କୁହାଯାଇଛି। ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ ବିରୋଧ କରୁଥିବା ମୁଖର ସମାଲୋଚକଙ୍କ ମଧ୍ୟରେ ଅନ୍ୟତମ। ସେ ଏହି ଆକ୍ରମଣକୁ ଅବୈଧ ଓ ଦାୟିତ୍ୱହୀନତା ବୋଲି ମଧ୍ୟ କହିଛନ୍ତି।

ଏଥି ରାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଞ୍ଚେଜଙ୍କୁ ସମ୍ଭାବିତ ଆର୍ଥିକ ପରିଣାମର ଚେତାବନୀ ମଧ୍ୟ ଦେଇଛନ୍ତି। କହିଛନ୍ତି ସଂଘର୍ଷ ସମ୍ପର୍କିତ ଅଭିଯାନ ନିମନ୍ତେ ସ୍ପେନ ନିଜ ସାମରିକ ଘାଟି ଉପଯୋଗ ନ କଲେ ମାଦ୍ରିଦ ସହିତ ବାଣିଜ୍ୟ ବନ୍ଦ କରାଯିବ। ସ୍ପେନ ସରକାରଙ୍କ ଦ୍ୱାରା ଆମେରିକା ଓ ଇସ୍ରାଏଲର ଇରାନ ଉପରେ ଆକ୍ରମଣକୁ ଅବୈଧ କୁହାଯିବା ପରେ ୱାସିଂଟନ ଓ ମାଦ୍ରିଦ ମଧ୍ୟରେ ଉତ୍ତେଜନା ବଢି ଯାଇଛି। ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାର ଇରାନ ସମ୍ପର୍କିତ ଆକ୍ରମଣ ସମ୍ବଦ୍ଧିତ ଅଭିଯାନ ନିମନ୍ତେ ଦକ୍ଷିଣ ସ୍ପେନରେ ଥିବା ଆମେରିକା ଓ ସ୍ପେନର ମିଳିତ ବିମାନ ଓ ନୌସେନା ଘାଟିକୁ ଆମେରିକୀୟ ବିମାନଙ୍କ ଲାଗି ନିଷିଦ୍ଧ କରିଦେଇଛନ୍ତି।

ସ୍ପେନର ଏହି ପଦକ୍ଷେପ ଟ୍ରମ୍ପଙ୍କୁ ଅସନ୍ତୁଷ୍ଟ କରିଛି। ଏଣୁ ସ୍ପେନ ସହ ପୂର୍ଣ୍ଣ ବାଣିଜ୍ୟ କଟକଣା ଲଗାଇବାକୁ ଧମକ ଦେଇଛନ୍ତି। ଏହା ଛଡା ଟ୍ରମ୍ପ ନାଟୋ କୁ ମଧ୍ୟ ସମାଲୋଚନା କରିଥିଲେ। ଏହି ସବୁ ଧମକ ସତ୍ତ୍ୱେ ସ୍ପେନ ଅଧକାରୀମାନେ କହିଛନ୍ତି ଯେ ଦୁଇ ଦେଶଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ କିନ୍ତୁ ସ୍ଥିର ରହିଛି।