ଲକ୍ଷ୍ନୌ, ୨୩।୦୭ : ଗାଈକୁ ରାଷ୍ଟ୍ରୀୟ ପଶୁ ମାନ୍ୟତା । ପୁଣି ଥରେ ଉତ୍ତର ପ୍ରଦେଶ ରାଜନୀତିରେ ଗାଈକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ସମାଜବାଦୀ ପାର୍ଟି ଲକ୍ଷ୍ନୌରେ ବଡ କାର୍ଯ୍ୟକ୍ରମର ଆୟୋଜନ କରୁଛି । ଦଳର ନେତ୍ରୀ ତଥା ବିଧାୟକ ପ୍ରାର୍ଥୀ ପୂଜା ଶୁକ୍ଳାଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ଗାଈକୁ ଜାତୀୟ ପଶୁ ମାନ୍ୟଦା ଦେବାକୁ ଦାବି ହୋଇଛି । ସମାଜବାଦୀ ପାର୍ଟିର କହିବାନୁସାରେ ଏହା କେବଳ ଲୋକଦେଖାଣିଆ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଜରିଆରେ ଜନସମର୍ଥନ ଲୋଡା଼ଯିବ । ଆଗକୁ ମଧ୍ୟ ଅଭିଯାନ ଜାରି ରହିବ ।

ଅନେକ ଦିନ ଧରି ସପା ନେତା ପୂଜା ଶୁକ୍ଳା ଗାଈକୁ ଜାତୀୟ ପଶୁ ମାନ୍ୟତା ଦାବି ଉଠାଉଛନ୍ତି । ଲକ୍ଷ୍ନୌର ଉତ୍ତର ବିଧାନସଭା କ୍ଷେତ୍ରରେ ଗାଈକୁ ରାଷ୍ଟ୍ରୀୟ ମାନ୍ୟତା ଘୋଷଣା ପାଇଁ କ୍ୟାମ୍ପେନ୍ ଚଲାଇଥିଲେ । ଏବେ ଦଳ ଏହି ଦାବିକୁ ସରୋଜନିନଗର ବିଧାନସଭା କ୍ଷେତ୍ର ଯାଏଁ ବିସ୍ତାର କରିବାକୁ ପ୍ରସ୍ତୁତି ଚଳାଇଛି । ଦିନକୁ ଦିନ ଅଧିକ ସମାଜବାଦୀ କର୍ମୀ ଏବଂ ଜନତା ଏଥିରେ ସାମିଲ ହେଉଛନ୍ତି । ଦାବି ପୂରଣ ପାଇଁ ସ୍ୱର ମଧ୍ୟ ଉତ୍ତୋଳନ କରୁଛନ୍ତି ।

Also Read :- ଗଠନ ହେବ ଫାଷ୍ଟ୍ ଟ୍ରାକ୍ କୋର୍ଟ୍, ନିଟ୍ ପେପର ଲିକ୍ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ

କାର୍ଯ୍ୟକ୍ରମ ପୂର୍ବରୁ ସମାଜବାଦୀ ପାର୍ଟି ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଥିଲା । ଦଳର ଅଭିଯୋଗ ହେଉଛି ଯେ, କାର୍ଯ୍ୟକ୍ରମର ଆୟୋଜନକୁ ଭଣ୍ଡୁର କରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି । ସରକାର ଗୋଶାଳା ଏବଂ ଗାଈର ସଂରକ୍ଷଣ ନେଇ ପର୍ଯ୍ୟାପ୍ତ କାର୍ଯ୍ୟ କରୁ ନାହାଁନ୍ତି । ଯଦି ସରକାର ବାସ୍ତବରେ ଗୋମାତାଙ୍କ ସୁରକ୍ଷା ବାବଦରେ ଚିନ୍ତା କରୁଛନ୍ତି ତାହାଲେ ତେବେ ରାଜନୈତିକ ବୟାନବାଜି ନକରି ଗୋଶାଳାର ସ୍ଥିତି ସୁଧାରିବାକୁ ପଦକ୍ଷେପ ନେବା ଦରକାର ।

ସୂଚନାଯୋଗ୍ୟ, ଗାଈକୁ ଅନେକ ସମୟରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ପଶୁ ମାନ୍ୟତା ଦେବାକୁ ଦାବି ହୋଇ ଆସୁଛି । ଏବେ ସମାଜବାଦୀ ପାର୍ଟି ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ଦାବି ହେଲା ପରେ ରାଜନୀତି ଜୋର୍ ଧରିଛି । ଉତ୍ତର ପ୍ରଦେଶରେ ଏବେ ବିରୋଧୀ ଆସନରେ ସପା ରହିଛି । ତେଣୁ ଦଳର କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ନଜର ରହିଛି ।