ନୂଆଦିଲ୍ଲୀ: ଏଥର ସଅଳ ଆସିବ ମୌସୁମୀ । ଭାରତୀୟ ପାଣିପାଗ ବିଭଗାର ପୂର୍ବାନୁମାନ ଅନୁସାରେ, ଆସନ୍ତା ମେ ୨୬ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ । ସାଧାରଣତଃ ଜୁନ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତରେ ପ୍ରବେଶ କରିଥାଏ । କିନ୍ତୁ ଚଳତ ବର୍ଷ ୬ଦିନ ପୂର୍ବରୁ ଏହାର ଆଗମନ ହେବ । ମୌସୁମୀ କେରଳରେ ପହଞ୍ଚିବା ସହ ଦେଶରେ ବର୍ଷା ଋତୁ ଆରମ୍ଭ ହୋଇଥାଏ ।

ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ, ମୌସୁମୀ ମେ ୧୬ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବାର ଦ୍ୱୀପପୁଞ୍ଜ ଆଡ଼କୁ ଅଗ୍ରସର ହୋଇପାରେ । ସାଧାରଣତଃ ଏହି ପ୍ରକ୍ରିୟା ମେ ୨୦ ତାରିଖ ବେଳକୁ ହେଉଥିବା ବେଳେ ଚଳିତ ଥର ଚାରି ଦିନ ପୂର୍ବରୁ ମୌସୁମୀ ଆଗ୍ରସର ହେବ ।

ଆଇଏମ୍‌ଡି ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି, "ଏହି ବର୍ଷ, ଦକ୍ଷିଣ ପଶ୍ଚିମ ମୌସୁମୀ ମେ ୨୪ ତାରିଖରେ କେରଳରେ ପ୍ରବେଶ କରିବାର ସମ୍ଭାବନା ଅଛି, ଯାହାର ମଡେଲ ତ୍ରୁଟି ±୪ ଦିନ ରହିବ ।" ଜୁନ୍-ସେପ୍ଟେମ୍ବର ଋତୁରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିବାରୁ ଚଳିତ ବର୍ଷ ମୌସୁମୀକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଛି ।

ପାଣିପାଗ ବିଭାଗ ଏହା ମଧ୍ୟ କହିଛି ଯେ ଗତ ୨୧ ବର୍ଷ (୨୦୦୫-୨୦୨୫) ମଧ୍ୟରେ କେରଳରେ ମୌସୁମୀ ଆସିବାର ତାରିଖ ବିଷୟରେ ଏହାର ପୂର୍ବାନୁମାନ ସଠିକ୍ ପ୍ରମାଣିତ ହୋଇଛି । କେବଳ ୨୦୧୫ରେ ଏଥିରେ ବ୍ୟତିକ୍ରମ ଦେଖାଯାଇଥିଲା ।

ଆଇଏମଡି କହିଛି, " କେରଳରେ ମୌସୁମୀ ପହଞ୍ଚିବା ଭାରତୀୟ ମୁଖ୍ୟ ଭୂମିରେ ମୌସୁମୀର ଆଗମନକୁ ଦର୍ଶାଏ । ଏହା ଉଷ୍ମ ଏବଂ ଶୁଷ୍କ ଋତୁରୁ ବର୍ଷା ଋତୁକୁ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ।" ମୌସୁମୀ ଉତ୍ତର ଦିଗକୁ ଅଗ୍ରସର ହେବା ସହିତ ଅଞ୍ଚଳଗୁଡ଼ିକରେ ପ୍ରଚଣ୍ଡ ରୌଦ୍ର ଚାପରୁ ମୁକ୍ତି ମିଳେ । ଏକ ପରିସଂଖ୍ୟାନ ମଡେଲ ଉପରେ ଆଧାର କରି ଆଇଏମଡି ୨୦୦୫ ମସିହାରୁ କେରଳରେ ମୌସୁମୀ ଆସିବାର ତାରିଖ ପାଇଁ କାର୍ଯ୍ୟକ୍ଷମ ପୂର୍ବାନୁମାନ ଜାରି କରିଆସୁଛି ।

ବର୍ଷ (Year) ପୂର୍ବାନୁମାନ ତାରିଖ  ମୌସୁମୀ ଛୁଇଁବା ତାରିଖ
୨୦୨୦ ଜୁନ୍ ୫ ଜୁନ୍ ୧
୨୦୨୧ ମେ' ୩୧ ଜୁନ୍ ୩
୨୦୨୨ ମେ' ୨୭ ମେ' ୨୯
୨୦୨୩ ଜୁନ୍ ୪ ଜୁନ୍ ୮
୨୦୨୪ ମେ' ୩୧ ମେ' ୩୦
୨୦୨୫ ମେ' ୨୭ ମେ' ୨୪