• ବେଙ୍ଗଲର ନାମ ପରିବର୍ତ୍ତନ ପ୍ରସ୍ତାବରେ ମନ୍ତ୍ରୀମଣ୍ଡଳର ମୋହର ବାଜିଛି
  • ଶୀତ ଅଧିବେଶନରେ ସରକାର ପ୍ରସ୍ତାବ ଆଣିବେ
  • ଇଂରାଜୀରେ ମଧ୍ୟ ରାଜ୍ୟର ନାମ ‘ପଶ୍ଚିମବଙ୍ଗ’ ଲେଖାଯିବ

କୋଲକାତା: ବେଙ୍ଗଲର ନାମ ଏବେ ଇଂରାଜୀରେ ‘ୱେଷ୍ଟ ବେଙ୍ଗଲ’ ବଦଳେ ‘ପଶ୍ଚିମବଙ୍ଗ’ ଲେଖାଯିବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ) ବୈଠକ ପରେ ଏହି ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ନାମ ପରିବର୍ତ୍ତନ ପ୍ରସ୍ତାବରେ ମନ୍ତ୍ରୀମଣ୍ଡଳର ମୋହର ବାଜିଛି। ଏ ନେଇ ବିଧାନସଭାର ଆଗାମୀ ଶୀତ ଅଧିବେଶନରେ ସରକାର ଏଥି ପାଇଁ ପ୍ରସ୍ତାବ ଆଣିବେ। ଡିସେମ୍ବର ୯ ତାରିଖ ଦିନ ବିଧାନସଭାରେ ସରକାର ପ୍ରସ୍ତାବ ଉପସ୍ଥାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ପ୍ରସ୍ତାବ ବିଧାନସଭାରେ ଗୃହୀତ ହେବା ପରେ କେନ୍ଦ୍ରକୁ ପଠାଯିବ ଓ ସଂସଦୀୟ ପ୍ରକ୍ରିୟା ପୁରା କରାଯିବ।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଇଂରାଜୀରେ ମଧ୍ୟ ରାଜ୍ୟର ନାମ ‘ପଶ୍ଚିମବଙ୍ଗ’ ଲେଖାଯିବ। ସେ କହିଛନ୍ତି ଯେ ଏହା କେବଳ ରାଜ୍ୟର ନାମ ବଦଳାଇବାର ପ୍ରସଙ୍ଗ ନୁହେଁ, ବରଂ ୧୯୪୭ରେ ବଙ୍ଗ ବିଭାଜନ ଓ ପଶ୍ଚିମବଙ୍ଗ ଗଠନ ସହ ଜଡିତ ଇତିହାସର ବିଷୟ। ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ ରାଜ୍ୟର ନାମ ପରିବର୍ତ୍ତନ କାମ ଅନେକ ପୂର୍ବରୁ ହେବା କଥା। ତେବେ ରାଜ୍ୟରେ ଶାସନ ପରିବର୍ତ୍ତନର କିଛି ମାସ ପରେ ରାଜ୍ୟ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଘୋଷଣା କରିଥିଲେ ଯେ ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ସବୁ ଭାଷାରେ ପଶ୍ଚିମବଙ୍ଗର ଗୋଟିଏ ନାମ ‘ପଶ୍ଚିମବଙ୍ଗ’ ହିଁ ଲେଖାଯିବ ଓ ପଢାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୋମବାର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ସ୍ୱୀକୃତି ଦିଆଯାଇଛି। ଏବେ ସରକାର ବିଧାନସଭାରେ ପ୍ରସ୍ତାବ ଉପସ୍ଥାପନ କରି ଆଗାମୀ ସାମ୍ବିଧାନିକ ପ୍ରକ୍ରିୟା ପୁରା କରିବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟର ନାମ ପରିବର୍ତ୍ତନ ପକ୍ରିୟା ଆଗକୁ ବଢିବ। ତେବେ କେବଳ ମନ୍ତ୍ରୀମଣ୍ଡଳ ଅଥବା ବିଧାନସଭା ପ୍ରସ୍ତାବରେ ରାଜ୍ୟର ଅଧିକାରୀକ ନାମ ବଦଳିଯିବ ନାହିଁ। ଏଥିଲାଗି ସଂସଦର ସାମ୍ବିଧାନିକ ପ୍ରକ୍ରିୟା ଓ ଆବଶ୍ୟକ ମଞ୍ଜୁରୀ ପୁରା କରିବାକୁ ପଡିବ।