କଟକ ୨୫।୦୭ : ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା । କ୍ରାଇମବ୍ରାଞ୍ଚ ପକ୍ଷରୁ ଜୋରଦାର ଚାଲିଛି ତଦନ୍ତ ।ହେଲେ ସୌମ୍ୟଙ୍କ ସାଙ୍ଗ ହାପି କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କ ଦେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।ତାଙ୍କ ମତରେ, ସୌମ୍ୟ ଖୁବ ଚାପରେ ରହୁଥିଲେ । ବହୁ ଜାଗାରେ ତାଙ୍କ ଟଙ୍କା ଫସି ରହିଥିଲା । ସେ ହତାଶା ଭିତରେ ସମୟ ବିତାଉଥିଲେ ବୋଲି କ୍ରାଇମବ୍ରାଞ୍ଚ ଆଗରେ କହିଛନ୍ତି ହାପି । ତେଣେ ମାମଲାରେ ସମ୍ପୃକ୍ତ ଅନେକ ପ୍ରମୁଖ ଅଭିଯୁକ୍ତ କାହିଁକି ଏଯାଏଁ ଗିରଫ ହୋଇନାହାଁନ୍ତି ବୋଲି ଦାବି କରିଛନ୍ତି ମୃତ ସୌମ୍ୟଙ୍କ ଅନ୍ୟତମ ବନ୍ଧୁ।

ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ଖୁବ ଚାପରେ ଥିଲେ। ଗୋଟିଏ କିମ୍ବା ୨ ଟି ନୁହେଁ ପାଖାପାଖି ୪ ଟି ଜିମର ପରିଚାଳନା ଦାୟିତ୍ୱଭାର ତାଙ୍କ କାନ୍ଧରେ ଥିଲା। ଯେଉଁଥି ପାଇଁ ଲକ୍ଷାଧିକ ଟଙ୍କା ଭିନ୍ନ ଭିନ୍ନ ଜାଗାରେ ଫସି ରହିଥିଲା। ପୁଣି ବିଭାଗୀୟ ଚାପ, ଏବଂ କିଛି ବଡବାଡିଆଙ୍କ ନାଲିଆଖି ଆଗରେ ସେ ଯେମିତି ଅଣ ନିଶ୍ୱାସୀ ହୋଇ ପଡୁଥିଲେ। କ୍ରାଇମବ୍ରାଞ୍ଚରେ ହଜାର ହୋଇ, ତଦନ୍ତକାରୀ ଅଧିକାରୀଙ୍କୁ କିଛି ଏଭଳି କହିଛନ୍ତି ମୃତ ସୌମ୍ୟଙ୍କ ବାଲ୍ୟବନ୍ଧୁ ହାପି। ତା ବ୍ୟତୀତ ସୌମ୍ୟଙ୍କ ସହ ବାର୍ତାଳାପ ହୋଇଥିବା କିଛି ଅଡିଓ ରେକର୍ଡିଂ ଏବଂ ଭିଜୁଆଲ ମଧ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ହାପି।

Also Read:-ମାଲକାନଗିରିରେ ଠାବ ହେଲା ବଡ଼ ମାଓ ଡମ୍ପ୍, କମ୍ବିଂ ଅପରେସନ ଜୋରଦାର

ସେହିପରି ବାଲିଅନ୍ତା ହତ୍ୟା ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତାପୂର୍ବରୁ କମିଶନରେଟ ପୋଲିସ ମଧ୍ୟ କିଛିଟା କାର୍ଯ୍ୟାନୁଷ୍ଠାନ ନେଇସାରିଛି। ଏମିତି ଦେଖିଲେ ବାଲିଅନ୍ତା ଭିଡହିଂସା ମାମଲାରେ ଗିରଫଦାରୀ ସଂଖ୍ୟା ୨୦ରେ ପହଁଚିଛି। ହେଲେ ଘଟଣାର ଯିଏ ପ୍ରମୁଖ ଅଭିଯୁକ୍ତ ସେ କାହିଁକି ଏଯାଏଁ ଗିରଫ ହେଲାନି ବୋଲି ପ୍ରଶ୍ନ କରିଛନ୍ତି ମୃତ ସୌମ୍ୟଙ୍କର ଆଉ ଜଣେ ବନ୍ଧୁ। କେବଳ ଘଟଣା ବେଳେ ଉପସ୍ଥିତ ଥିବା ଲୋକ ନୁହଁନ୍ତି, ବରଂ ସୌମ୍ୟ ହତ୍ୟା ଘଟଣାରେ ପୋଲିସ ସମ୍ପୃକ୍ତ, କିଛି ବଡବଡିଆ ମଧ୍ୟ ସେ ଘଟଣା ପାଇଁ ଦାୟୀ, ତେଣୁ ସମସ୍ତଙ୍କୁ ମାମଲାରେ ପକ୍ଷଭୁକ୍ତ କରି ତଦନ୍ତ କରିବାକୁ ଦାବି ହୋଇଛି।

ବାଲିଅନ୍ତା ଭିଡ଼ ହତ୍ୟା ମାମଲାର ତଦନ୍ତ ପାଇଁ NHRC ଟିମ ମଧ୍ୟ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିସାରିଛି। ଅନେକଙ୍କୁ ପଚରାଉଚରା କରିସାରିଛି NHRC ଟିମ। ଏବେ ମାମଲାର ସତ୍ୟତା ଖୋଜିବା ସହିତ ପ୍ରକୃତ ଦୋଷୀଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ।