ଭୁବନେଶ୍ଵର: GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣାରେ ମାରାଥନ ତଦନ୍ତ ଚଳାଇଛନ୍ତି NHRC ଟିମ୍ । ଗତକାଲି ବାଲିଅନ୍ତାର ସେହି କ୍ରାଇମ ସ୍ପଟ୍ ଓ ଅଡ଼ଶପୁରରେ ସୌମ୍ୟଙ୍କ ଜିମକୁ ଯାଇ ତଦନ୍ତ କରିଥିବା ବେଳେ ମଉଜପୁରରେ ସୌମ୍ୟଙ୍କ ପରିବାରକୁ ଭେଟି ପଚରା ଉଚରା କରିଥିଲେ । ଆଜି ସକାଳ ୮ଟାରୁ ପୁଣି ଆରମ୍ଭ ହୋଇଥିଲା NHRC ଟିମର ତଦନ୍ତ । ପ୍ରଥମେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଯୁବତୀ । ପର୍ଯ୍ୟାୟକ୍ରମ ଆମ୍ବୁଲାନ୍ସ ଡ୍ରାଇଭର, ବାଲିଅନ୍ତାର ପୂର୍ବତନ ଥାନା ଅଧିକାରୀ ଅନୀଲ ପରିଡ଼ା, ସୌମ୍ୟଙ୍କ ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କରିଛନ୍ତି ।

ସୌମ୍ୟ ହତ୍ୟା ମାମଲା । ମାରାଥନ ତଦନ୍ତ ଚଳାଇଛି NHRC ଟିମ୍ । ଘଟଣାରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚାଲିଛି ପଚରା ଉଚରା । GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣାରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ମାରାଥନ ତଦନ୍ତ ଚଳାଇଛି NHRC ଟିମ୍ । ଗତକାଲି ବାଲିଅନ୍ତାର ସେହି କ୍ରାଇମ ସ୍ପଟ୍ ଓ ଅଡ଼ଶପୁରରେ ସୌମ୍ୟଙ୍କ ଜିମ୍କୁ ଯାଇ ତଦନ୍ତ କରିଥିବା ବେଳେ ମଉଜପୁରରେ ସୌମ୍ୟଙ୍କ ପରିବାରକୁ ଭେଟି ପଚରା ଉଚରା କରିଥିଲେ । ଆଉ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଥିଲା NHRC ଟିମ୍ର ଏନକ୍ବାରୀ ।

Also Read: ବଡ଼ସାହି ବିଡିଓଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନର

ଯେତେବେଳେ ସକାଳ ୮ଟାରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଯୁବତୀ । ଘଟଣା ଦିନ ପ୍ରକୃତରେ କ’ଣ ଘଟିଥିଲା ? ସେଦିନ ସୌମ୍ୟଙ୍କ ଆକ୍ଟିଭିଟି କ’ଣ ଥିଲା ? ସେ ସମ୍ପର୍କରେ ପ୍ରାୟ ଅଧଘଣ୍ଟା କାଳ ସଂପୃକ୍ତ ଯୁବତୀଙ୍କୁ ପଚରା ଉଚରା କରିଥିଲେ NHRC ଟିମ୍ ।ଏହାପରେ ସକାଳ ୮ଟା ୩୦ରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କୁ ନେଇ ଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର । ଘଟଣା ଦିନ ତାଙ୍କ ପାଖକୁ କେତେବେଳେ ଫୋନ୍ ଆସିଥିଲା ? ସେ କେଉଁ ସ୍ଥାନରୁ ସୌମ୍ୟଙ୍କୁ କେଉଁ ଜାଗାକୁ ନେଇଥିଲେ? ସୌମ୍ୟଙ୍କ ଅବସ୍ଥା ସେତେବେଳେ କ’ଣ ଥିଲା ? ତାଙ୍କ ସାଙ୍ଗରେ ଆଉ କିଏ କିଏ ଆମ୍ବୁଲାନ୍ସରେ ଯାଇଥିଲେ ? ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଠାରୁ ସେସବୁ ପ୍ରଶ୍ନର ଉତ୍ତର ଚାହିଁଥିଲେ NHRC ଟିମ୍ ।

ଏହାର ଅଧଘଣ୍ଟା ପରେ ଅର୍ଥାତ ସକାଳ ୯ଟାର NHRC ଟିମ୍ ସାମ୍ନାରେ ହାଜର ହୋଇଥିଲେ ବାଲିଅନ୍ତା ଥାନାର ତତ୍କାଳୀନ IIC ଅନୀଲ ପରିଡ଼ା । ସୌମ୍ୟଙ୍କ ଉପରେ ଆକ୍ରମଣ ଖବର କେତେବେଳେ ଓ କେମିତି ପାଇଲା ପୋଲିସ ? ପରବର୍ତ୍ତୀ ସମୟରେ ପୋଲିସର ଆକ୍ସନ କ’ଣ ଥିଲା ? ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା ବେଳକୁ ପରିସ୍ଥିତି କିଭଳି ଥିଲା ? ସୌମ୍ୟଙ୍କୁ ଉଦ୍ଧାର କରିବାକୁ ପୋଲିସ କ’ଣ ପଦକ୍ଷେପ ନେଇଥିଲା ? ସେସବୁ ପ୍ରଶ୍ନର ଉତ୍ତର ଚାହିଁଥିଲେ NHRC ଟିମ୍ । ସେହିଭଳି ସୌମ୍ୟ ହତ୍ୟା ଘଟଣାକୁ ନେଇ NHRCରେ ଅଭିଯୋଗ କରିଥିବା ଭଜମନ ବିଶ୍ବାଳ ମଧ୍ୟ NHRC ଟିମ୍ ପାଖରେ ତାଙ୍କର ତଥ୍ୟ ରଖିଥିଲେ ।

Also Read: Dhenkanal Temple Theft : ଚୋରି କରିବାକୁ ଆସି, ମନ୍ଦିରରେ ନିଦରେ ଘୁଙ୍ଗୁଡ଼ି ମାରୁଛି ଚୋର...

ସେହିଭଳି ଦିନ ୧୦ଟାରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ କ୍ୟାପିଟାଲ ହସ୍ପିଟାଲରେ ସୌମ୍ୟଙ୍କ ମୃତଦେହ ପୋଷ୍ଟମର୍ଟମ କରିଥିବା ଡାକ୍ତର ଏଲ.ଡି ବେହେରା । ସୌମ୍ୟଙ୍କ ଶରୀରରେ କେତେ କ୍ଷତ ଚିହ୍ନ ଥିଲା ? ସୌମ୍ୟଙ୍କ ମୃତ୍ୟୁର କାରଣ କ’ଣ ହୋଇପାରେ ? ସୌମ୍ୟଙ୍କ ଶରୀରରେ ଷ୍ଟେ-ରଏଡ୍ର ମାତ୍ରା କେତେ ଥିଲା ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଥିଲେ NHRC ଟିମ୍ ।

ସେହିଭଳି ଦିନ ୧୨ଟାରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କୁ ଘଟଣାସ୍ଥଳରୁ ନେଇ ଯାଇଥିବା ମିନିଟ୍ରକ୍ ଡ୍ରାଇଭର ସଫିଉଲ୍ଲା ଖାଁ । ସେ ନିଆଳିରୁ ବାଲିପାଟଣା ଯାଉଥିବା ବେଳେ ତାଙ୍କୁ ଜଣେ ପୋଲିସ କର୍ମୀ ଅଟକାଇବା ସହ ସୌମ୍ୟଙ୍କୁ ନେଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ କହିଥିଲେ । ଏମିତିକି ମିନି ଟ୍ରକରେ ତାଙ୍କ ସହ କ୍ୟାବିନରେ ସାଦା ପୋଷାକରେ ପୋଲିସ କର୍ମଚାରୀ ବସିଥିଲେ ବୋଲି କହିଛନ୍ତି ମିନି ଟ୍ରକ୍ ଡ୍ରାଇଭର ।

Also Read: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ, FIRରେ ନାଁ ନଥାଇ ବି ସୁଶାନ୍ତଙ୍କୁ ଥାନାକୁ ନେଇ ପିଟିଥିଲା ପୋଲିସ

ଏହା ପରେ ଦିନ ପ୍ରାୟ ଗୋଟାଏ ବେଳେ NHRC ଟିମ୍ ଆଗରେ ହାଜର ହୋଇଥିଲେ ଘଟଣାର ତଦନ୍ତ କରିଥିବା ସାଇଣ୍ଟିଫିକ୍ ଟିମ୍ର ଅଧିକାରୀ ଓ ସହକର୍ମୀ । ଘଟଣା ଦିନ ସେମାନେ କେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଘଟଣାସ୍ଥଳରୁ କ’ଣ ତଥ୍ୟ ସଂଗ୍ରହ କରିଥିଲେ ସେନେଇ ପଚାରି ବୁଝିଥିଲେ NHRC ଟିମ୍ ।

ଏସବୁ ଭିତରେ ଅପରାହ୍ଣ ୩ଟାରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣା ଦିନ ସୌମ୍ୟଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଥିବା ଦୁଇ ଯୁବତୀ । ସେମାନଙ୍କ ସହ ଥିଲେ ସୌମ୍ୟଙ୍କ ସାଙ୍ଗ ଓମ୍ ଏବଂ ଆମ୍ବୁଲାନ୍ସ ଡ୍ରାଇଭର । ଚାରି ଜଣଙ୍କୁ ସାମ୍ନା ସାମ୍ନି ବସାଇ ପଚରା ଉଚରା କରିଥିଲେ NHRC ଟିମ୍ । ପ୍ରାୟ ୨ରୁ ୩ଘଣ୍ଟା କାଳ ସେମାନଙ୍କୁ ପଚରା ଉଚରା କରାଯାଇଥିଲା ।

ସୌମ୍ୟ ହତ୍ୟା ଘଟଣାରେ ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା NHRC ଟିମ୍ ଘଟଣା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡାକି ପଚରା ଉଚରା ଚଳାଇଛନ୍ତି । ଆସନ୍ତାକାଲି ମଧ୍ୟ ଆଉ କିଛି ବ୍ୟକ୍ତିଙ୍କୁ ପଚରା ଉଚରା କରାଯାଇପାରେ ।