ନୂଆଦିଲ୍ଲୀ:ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପେଙ୍ଗୁଇନ ରାଣ୍ଡମ ହାଉସ୍ ଇଣ୍ଡିଆ ସହିତ ବିବାଦ ପରେ କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କ ସମସ୍ମରଣ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ର ପ୍ରକାଶନ ଅଧିକାର ହାର୍ପର କଲିନସ ଇଣ୍ଡିଆ ହାସଲ କରିନେଇଛି। ଏଣୁ ପୁସ୍ତକ ଭାରତରେ ୧୦ ନଭେମ୍ବର ୨୦୨୬ରେ ପ୍ରକାଶିତ ହେବ। ଏହି ପୁସ୍ତକ ଭାରତରେ କିପରି ପ୍ରକାଶନ ହେବ ଦୀର୍ଘ ସପ୍ତାହ ବ୍ୟାପୀ ଅଟକଳ ପରେ ହାର୍ପର କଲିନସ୍ ଏହି ପଦକ୍ଷେପ ଗ୍ରହଣ କରିଛି। ପେଙ୍ଗୁଇନ ରାଣ୍ଡମ ହାଉସ୍ ଇଣ୍ଡିଆ ଅନୁସାରେ କିଛି ସମ୍ପାଦକୀୟ ସୁପାରିଶକୁ ନେଇ ଗତିରୋଧ ସୃଷ୍ଚି ହୋଇଥିଲା, ଏଣୁ ଉଭୟ ପକ୍ଷଙ୍କୁ ପୃଥକ ହେବାକୁ ପଡିଥିଲା।

ଆରମ୍ଭରେ ଏହା ଏକ ଗୁଜବ ଥିଲା ଯେ ପାଣ୍ଡୁଲିପିରେ ପରିବର୍ତ୍ତନ ସମ୍ପର୍କିତ ସମ୍ପାଦକୀୟ ସୁପାରିଶକୁ ନେଇ କିଛି ପ୍ରସଙ୍ଗ ଥିଲା, ଯେଉଁଥି ପାଇଁ ଗତିରୋଧ ଉପୁଜିଥିଲା। ତେବେ ପେଙ୍ଗୁଇନ ସ୍ପଷ୍ଟ କରିଛି ‘କିଛି ଗୋପନୀୟ କଥାବାର୍ତ୍ତା’ ଗତିରୋଧ ସୃଷ୍ଟି କରିଥିଲା। ପେଙ୍ଗୁଇନ କହିଛି ଯେ ପୁସ୍ତକ ପ୍ରକାଶନ ପ୍ରବନ୍ଧନ ଲାଗି ପ୍ରସ୍ତୁତ ଥିବା ସତ୍ତ୍ୱେ ମାନକ ତଥ୍ୟ ଯାଞ୍ଚ ଓ ସମ୍ପାଦକୀୟ ବିଶେଷାଧିକାର ମଧ୍ୟରେ ତାଳମେଳ ବସାଇବା ଅସମ୍ଭବ ଥିଲା। ଆମେରିକାର ପେଙ୍ଗୁଇନ ରାଣ୍ଡମ ହାଉସ୍ ପ୍ରକାଶକ ଆଲଫ୍ରେଡ ଏ.ନୋପଫ ପୁସ୍ତକର ଘରୋଇ ପ୍ରକାଶନ ପାଇଁ ପ୍ରାରମ୍ଭିକ ଯୋଜନା ଘୋଷଣା କରିବା ପରେ ଏହି ଘଟଣା ଘଟିଥିଲା, ଯେଉଁଥିରେ ୨୦୨୬ ଶେଷ ଭାଗରେ ବିଶ୍ୱବ୍ୟାପୀ ପ୍ରକାଶନର ବିବରଣୀ ଦିଆଯାଇଥିଲା।

ନପଫଙ୍କ ଅଧିକାରୀକ ବିବୃତ୍ତିରେ ୭୯ ବର୍ଷ ବୟଷ୍କ କଂଗ୍ରେସ ନେତ୍ରୀ କହିଛନ୍ତି ଯେ ତାଙ୍କ ପୁସ୍ତକ ପାଠକମାନଙ୍କୁ ତାଙ୍କ ପରିବାରର ସାର୍ବଜନୀନ ପ୍ରତିଛବି ପଛରେ ଲୁଚି ରହିଥିବା ମାନବୀୟ ଭାବନାର ଗଭୀରତାକୁ ନେଇଯାଏ। ତାଙ୍କ ଶାଶୂ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଓ ୭ ବର୍ଷ ପରେ ସ୍ୱାମୀ ରାଜୀବ ଗାନ୍ଧିଙ୍କ ହତ୍ୟାରେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିଲା। ହୃଦୟବିଦାରକ କ୍ଷତି ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରୁ ବାହାରି କଂଗ୍ରେସ ଦଳର ନେତୃତ୍ୱ ଗ୍ରହଣ କରିବାକୁ ବାଧ୍ୟ କରିଥିଲା। ସେ ଦଳର ସବୁଠୁ ଦୀର୍ଘ ସମୟ ଧରି ସଭାପତି ଥିଲେ। ତେବେ ତାଙ୍କ ଦଳ ୨୦୧୪ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପର୍ଯ୍ୟନ୍ତ ସୋନିଆ କେବେବି ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିନଥିଲେ।

ଏହି ସ୍ମୃତି କଥା ପାଠକମାନଙ୍କୁ ଆମ ସମୟର ରାଜନୈତିକ ନେତାଙ୍କ ଦୃଷ୍ଟି କୋଣରୁ ଭାରତରେ ଛଅ ଦଶନ୍ଧୀ ଧରି ଚାଲିଥିବା ସବୁଠୁ ଗୋପନ ରାଜନୈତିକ ଅସ୍ଥିରତାର ଏକ ଅନନ୍ୟ ଝଲକ ପ୍ରଦାନ କରିବ। ଏବେ ହାର୍ପର କଲିନସ୍ ଇଣ୍ଡିଆ ପୁସ୍ତକର ସ୍ଥାନୀୟ ମାର୍କେଟିଂ ପ୍ରବନ୍ଧନ କରିବ। ବିଶେଷଜ୍ଞଙ୍କ ଅନୁସାରେ ନଭେମ୍ବରରେ ଉନ୍ମୋଚନ ହେବାକୁ ଥିବା ଆଗାମୀ ପୁସ୍ତକ ପାଇଁ ଦେଶରେ ପ୍ରବଳ ଚାହିଦା ରହିବ।