ନୂଆଦିଲ୍ଲୀ,୨୬ /୦୩: ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ନେତ୍ରୀ ସୋନିଆ ଗାନ୍ଧୀ । ତାଙ୍କୁ ମଙ୍ଗଳବାର ଦିଲ୍ଲୀର ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଡାକ୍ତରୀ ଟିମ୍ ସୋନିଆଙ୍କୁ ଆଣ୍ଟି ବାୟୋଟିକ୍ସ ଦେଉଛନ୍ତି । ତେବେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ସେନେଇ ହସ୍ପିଟାଲ ପକ୍ଷରୁ ହେଲଥ୍ ବୁଲେଟିନ୍ ଜାରି କରାଯାଇଛି ।

ରିପୋର୍ଟ ଅନୁସାରେ, ସାର୍ ଗଙ୍ଗାରାମ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଜୟ ସ୍ୱରୂପ କହିଛନ୍ତି ଯେ, ସୋନିଆଙ୍କ ପେଟ ଏବଂ ୟୁରିନାରୀ ଟାକ୍ଟରେ ସଂକ୍ରମଣ ହୋଇଥିବା ଯାଞ୍ଚ କରାଯାଉଛି । ଡାକ୍ତରଙ୍କ ଟିମ୍ ତାଙ୍କୁ ଆଣ୍ଟି ବାୟୋଟିକ୍ ପ୍ରଦାନ କରୁଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ହସ୍ପିଟାଲର ନିର୍ଦ୍ଦେଶକଙ୍କ ଅନୁସାରେ, ଡାକ୍ତର ଡିଏସ୍ ରାଣା, ଏସ୍ ନନ୍ଦୀ ଏବଂ ଅରୁପ ବସୁ ସୋନିଆଙ୍କ ଚିକିତ୍ସା କରୁଛନ୍ତି । ଏବେ ଆଣ୍ଟିବାୟୋଟିକରେ ଚିକିତ୍ସା ଚାଲିଛି । ଯେଉଁଥିରେ ସୁଫଳ ମିଳୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୋନିଆଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ରିପୋର୍ଟ ଆସିଲା ପରେ ହିଁ ପରବର୍ତ୍ତୀ ଚିକିତ୍ସା କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

Also Read :-Bus Accident : ଟ୍ରକକୁ ଧକ୍କା ଦେଇ ବସରେ ଲାଗିଗଲା ନିଆଁ : ଜଳିଗଲେ ୮ ଯାତ୍ରୀ

ସୋନିଆ ହସ୍ପିଟାଲରେ ଭର୍ତ୍ତି ହେଲା ପରେ ପୁଅ ରାହୁଲ ଗାନ୍ଧୀ ହସ୍ପିଟାଲରେ ପହଁଚିଥିଲେ । ତାଙ୍କୁ ଡାକ୍ତରମାନେ ସବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । କଂଗ୍ରେସ ନେତା ଏବଂ କର୍ମୀମାନେ ମଧ୍ୟ ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।