ନୂଆଦିଲ୍ଲୀ: ସାମାଜିକ ତଥା ପରିବେଶ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍ ସୋମବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ବାହାରି ସେ ପତ୍ନୀ ଗିତାଞ୍ଜଳି ୱାଙ୍ଗମୋଙ୍କ ସହ ପ୍ରଥମେ ଦିଲ୍ଲୀ ରାଜଘାଟସ୍ଥିତ ମହାତ୍ମା ଗାନ୍ଧିଙ୍କ ସମାଧିକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପରେ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଯଦି ଆନ୍ଦୋଳନ ସଫଳ ହୋଇ ନଥାନ୍ତା ତେବେ ସେ କୌଣସି ପିଲା ଅଥବା ବୟଷ୍କା ମହିଳାଙ୍କ ହାତରେ ଅନଶନ ସମାପ୍ତ କରାଇଥାନ୍ତେ। ତେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ତାଙ୍କୁ ସୁପ୍ ପିଆଇ ଅନଶନ ଭଙ୍ଗ କରିଥିଲେ।

ସୋନମ ୱାଙ୍ଗଚୁକ୍ ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ ତାଙ୍କ ଅନଶନ ଭଙ୍ଗ କଥା ଉଲ୍ଲେଖ କରିଛନ୍ତି। କହିଛନ୍ତି ଲଦ୍ଦାଖ ସାମାଜିକ ଜୀବନରେ ଏବଳି ଘଟଣାରେ ନେତୃତ୍ୱ ସ୍ଥାନୀୟ ଅଥବା ସମ୍ମାନଜନକ ଲୋକଙ୍କ ହାତରେ ଅନଶନ ଭଙ୍ଗ କରାଯାଏ। ଏହାକୁ ଲଦ୍ଦାଖରେ ସମ୍ମାନର କଥା ବୋଲି କୁହାଯାଏ। ନିଟ୍-ୟୁଜି ପେପର ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟି ଆହ୍ୱନରେ ଦିଲ୍ଲୀ ଜନ୍ତର-ମନ୍ତରରେ ସୋନମ ୱାଙ୍ଗଚୁକ୍ ଦୀର୍ଘ ୨୬ ଦିନ ଅନଶନରେ ବସିଥିଲେ।

ଶେଷରେ ସରକାର ତାଙ୍କ ଦାବି ମାନି ନେବା ସହ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ସରକାରଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ଜୁଲାଇ ୨୩ ତାରିଖ ଦିନ ଜେ.ପି.ନଡ୍ଡା ତାଙ୍କ ଅନଶନ ସମାପ୍ତ କରାଇଥିଲେ। ତେବେ ଅନଶନରେ ରହିବା ଯୋଗୁ ୱାଙ୍ଗଚୁକ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ପ୍ରଥମେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ଓ ପରେ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।