ବଡବିଲ ୦୭/୦୮: ବ୍ୟାଙ୍କରୁ ଲୁଟିଥିଲେ ବାପ-ପୁ୍ଅ । ଜାଲ୍ ଦସ୍ତଖତ ଓ ଚେକ୍ ବହି ବ୍ୟବହାର କରି ହଡପ କରୁଥିଲେ ଟଙ୍କା । କିଛି ଦିନର ଲୁଚକାଳି ଖେଳ ପରେ ଶେଷରେ ଠକ ବାପ-ପୁ୍ଅଙ୍କ ଖେଳ ଖତମ କରିଛି ପୋଲିସ । ଉଭୟଙ୍କୁ ଗିରଫ କରି ପୁରା ଠକେଇ ମାମଲାର ପର୍ଦ୍ଦାଫାଶ କରିଛି । ବଡ଼ବିଲ ICICI ବ୍ୟାଙ୍କରୁ ଜାଲିଆତି କରି ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ପୋଲିସକୁ ବଡ଼ ସଫଳତା। ଜାଲ୍ ଦସ୍ତଖତ ଓ ନକଲି ଚେକ୍ ବହି ବ୍ୟବହାର କରି ଗ୍ରାହକଙ୍କ ଆକାଉଣ୍ଟରୁ ୪୨ ଲକ୍ଷ ଟଙ୍କା ହଡ଼ପ୍ କରିଥିବା ବ୍ୟାଙ୍କର ପୂର୍ବତନ ରିଲେସନସିପ୍ ମ୍ୟାନେଜର ଓ ତାଙ୍କ ପିତାଙ୍କୁ ଗିରଫ କରିଛି ବଡ଼ବିଲ ଥାନା ପୋଲିସ। ଗିରଫ ୨ ଅଭିଯୁକ୍ତ ବଡ଼ବିଲ ମ୍ରିନାଲ୍ କଲୋନୀ ବାସିନ୍ଦା ଜସପ୍ରିତ ସିଂହ ଓରଫ୍ ଜସି ଏବଂ ତାଙ୍କ ପିତା ବିକ୍ରମ ସିଂହ।

ସନ୍ଦେହ ଘେରକୁ କେମିତି ଆସିଲେ ?

ଗତ ମାର୍ଚ୍ଚ ୧୪ ତାରିଖ । ମ୍ରିନାଲ୍ କଲୋନୀର ମହିଳା ଅନୀତା ଅଗ୍ରୱାଲ ଜାଣିବାକୁ ପାଇଲେ ତାଙ୍କର ICICI ବ୍ୟାଙ୍କର ସେଭିଙ୍ଗସ୍ ଆକାଉଣ୍ଟରୁ ଜାଲ୍ ଦସ୍ତଖତ ଓ ନକଲି ଚେକ୍ ବହି ମାଧ୍ୟମରେ ପ୍ରାୟ ୧୬ ଲକ୍ଷ ଟଙ୍କା କେହି ହଡପ କରିଛି । ଏ ସଂପର୍କରେ ସେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିପରି ତାଙ୍କ ଅଜାଣତରେ ICICI ପ୍ରୁଡେନ୍ସିଆଲ୍ର ୨୦ ଲକ୍ଷ ଟଙ୍କାର ଜୀବନ ବୀମା ପଲିସିକୁ ସମୟ ପୂର୍ବରୁ ସେଟଲ୍ କରାଇ, ଦୁଇଟି କିସ୍ତିରେ ପ୍ରାୟ ୧୦ ଲକ୍ଷ ୩୪ ହଜାର ଟଙ୍କା ଉଠାଇ ନିଆଯାଇଥିଲା। । ଅଭିଯୋଗ ଆଧାରରେ ଛାନଭିନ୍ ଆରମ୍ଭ କରିଦେଇଥିଲା ବଡବିଲ ପୋଲିସ ।

ପୋଲିସ ତଦନ୍ତ

ତଦନ୍ତ ସମୟରେ ପୋଲିସ ହାତକୁ ଅନେକ କିଛି ଆସିଲା । ବ୍ୟାଙ୍କ ରେକର୍ଡ, ଖାତା ସମ୍ବନ୍ଧୀୟ ଦସ୍ତାବିଜ ଏବଂ କଲ୍ ଡିଟେଲ୍ ରେକର୍ଡ (CDR) ସମେତ ବିଭିନ୍ନ ଇଲେକ୍ଟ୍ରୋନିକ୍ ପ୍ରମାଣ ସଂଗ୍ରହ ଓ ଯାଞ୍ଚ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ମୁଖ୍ୟ ଅଭିଯୁକ୍ତ ଜସପ୍ରିତ ସିଂହ ଓରଫ୍ ଜସି ହିଁ ଟଙ୍କା ଉଠାଇ ନେଇଛନ୍ତି । ସେ ICICI ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ସମୟରେ ଗ୍ରାହକଙ୍କ ଦସ୍ତଖତ ଜାଲିଆତି କରିବା, ନକଲି ଫିକ୍ସଡ୍ ଡିପୋଜିଟ୍ (FD) ରସିଦ ପ୍ରଦାନ କରିବା, ପ୍ରକୃତ FDକୁ ସମୟ ପୂର୍ବରୁ ବନ୍ଦ କରିବା, ଅନୁମତି ବିନା ରେଜିଷ୍ଟର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିବା, ଗ୍ରାହକଙ୍କ ଖାତାକୁ ବେଆଇନ ଭାବେ ପରିଚାଳନା କରିବା ଏବଂ ବିଭିନ୍ନ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଅର୍ଥ ସ୍ଥାନାନ୍ତର କରି ଏହି ଠକେଇ କାର୍ଯ୍ୟ କରୁଥିଲେ ।

କେଉଁଠି ଲୁଚିଥିଲେ ?

ପୋଲିସ ତାଙ୍କୁ ସନ୍ଦେହ କରୁଥିବା ଜାଣି ଜସପ୍ରିତ ଫେରାର୍ ହୋଇ କୋଲ୍‌କାତାରେ ଲୁଚିଥିଲେ ।ପୋଲିସ ତାଙ୍କୁ କୋଲକାତାର ଆଲିପୁର ଥାନା ଠାକୁର ପୁଖୁର ଅଞ୍ଚଳରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଥିଲା । ପରେ ପଚରାଉଚରାରୁ ବାପାଙ୍କ ଲିଙ୍କ ସାମ୍ନାକୁ ଆସିଲା । ପୁରା ମାମଲାରେ ବାପା ବିକ୍ରମ ସିଂହଙ୍କ ସଂପୃକ୍ତି ସ୍ପଷ୍ଟ ହେବା ପରେ ପୋଲିସ ଚଢ଼ାଉ କରି ପିତା ବିକ୍ରମ ସିଂହଙ୍କୁ ବଡ଼ବିଲ ମ୍ରିନାଲ୍ କଲୋନୀ ସ୍ଥିତ ଘରୁ ଗିରଫ କରିଛି।

ତେବେ ବାପ-ପୁ୍ଅଙ୍କ ଜାଲରେ କେବଳ ଅନୀତା ଅଗ୍ରୱାଲ ପଡିନଥିଲେ , ଅନ୍ୟ ୩ ଜଣ ଗ୍ରାହକ ସତ୍ୟାନନ୍ଦ ମହାନ୍ତ, ବଚ୍ଚି ଦେବୀ ଓ ଦେବସ୍ମିତା ଜେନାଙ୍କ ଆକାଉଣ୍ଟରୁ ମଧ୍ୟ ସମାନ ଢଙ୍ଗରେ ପ୍ରାୟ ୧୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ଜସପ୍ରୀତ ଓ ବିକ୍ରମଙ୍କୁ କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ରାକେଟରେ ବ୍ୟାଙ୍କର ଅନ୍ୟ କେଉଁ କର୍ମଚାରୀ ସାମିଲ ଅଛନ୍ତି କି ନାହିଁ, ସେ ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ

Also Read:ଆଗ ନିଜ ଛୁଆଙ୍କୁ ଖାଇଲା, ପରେ ଭାଇ-ଭଉଣୀଙ୍କୁ ଆକ୍ରମଣ କରି ମାରିଦେଲା ଭାଲୁ...