ନବରଙ୍ଗପୁର,୦୭/୦୮ଛତିଶଗଡ କାଙ୍କେର ଜିଲ୍ଲା ମର୍କାଟୋଲା ଗାଁରେ ଭାଲୁ ଆକ୍ରମଣରେ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗାଁର ହଲାଲଖୋର ଜୁରି,ଚାମାରୋନ ବାଈ ଓ ଗୁରୁତର ହେଲେ ଖୋରିନା ବାଈ। ପୋଲିସ ଓ ବନ କର୍ମଚାରୀ ମୃତାହତଙ୍କୁ ଉଦ୍ଧାର କରି ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଆକ୍ରମଣରେ ଭାଲୁ ଗୁରୁତର ହୋଇଛି।

ସୂଚନା ଅନୁସାରେମଙ୍ଗଳବାରରୁ ଏକ ମାଈ ଭାଲୁ ମର୍କାଟୋଲା ଗାଁ ଭିତରେ ପଶି ଆତଙ୍କ ସୃଷ୍ଟି କରିଥିଲା । ନିଜ ଛୁଆକୁ ମାରି ଝୁଣି ଖାଇଥିଲା। ବୁଧବାର ଅପରାହ୍ନରେ ହଲାଲଖୋର ତାଙ୍କ ଚାଷଜମିରେ ବସିଥିବା ବେଳେ ଭାଲୁ ଆସି ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା। ହଲାଲଖୋରଙ୍କ ଚିତ୍କାର ଶୁଣି ନିକଟରେ ଥିବା ଭଉଣୀ ଚାମାରୋନ୍ ପହଞ୍ଚି ବଞ୍ଚାଇବାକୁ ଉଦ୍ୟମ କରି ନିଜେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଉଭୟ ଭାଇଭଉଣୀଙ୍କ ଚିତ୍କାର ଶୁଣି ଅନ୍ୟ ଭଉଣୀ ପହଞ୍ଚି ଲଢିଥିଲେ।

Also Read :- ମହାନଦୀ ସୁଅରେ ଭାସିଗଲା ଦନ୍ତା ! କଣ୍ଟିଲୋରୁ ସିଧା ବଡମ୍ବାରେ ପହଁଚିଲା...

ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ୨ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ପହଞ୍ଚି ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଭାଲୁଙ୍କୁ ଘଉଡାବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଭାଲୁ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଥିବା ଦେଖି ଗ୍ରାମବାସୀ ଉତ୍ତ୍ଯକ୍ତ ହୋଇପଡିଥିଲେ। ପରିସ୍ଥିତିକୁ ଗୁରୁତ୍ବ ଦେଇ ଶେଷରେ ବନ ବିଭାଗ ରାୟପୁରରୁ ଟ୍ରାଙ୍କୁଲାଇଜର ଟିମକୁ ଡକାଇଥିଲା। ଭାଲୁଙ୍କୁ ନିଶ୍ଚେତକ ଦେଇ କାବୁ କରିବା ପରେ ସେ ଅଚେତ ହୋଇପଡିଥିଲା।

ଅଚେତ ହେଲା ପରେ ଉତ୍ୟକ୍ତ ଗ୍ରାମବାସୀ ଭାଲୁକୁ ପିଟି ପିଟି ରାଗ ଶୁଝାଇଥିଲେ। ଏଥିରେ ଭାଲୁ ମଧ୍ୟ ଗୁରୁତର ଆହତ ହୋଇଛି। ଆହତ ଭାଲୁକୁ ବୁଧବାର ବିଳମ୍ବିତ ରାତିରେ କାକେର ନେଇ ସ୍ବାସ୍ଥ୍ୟପରୀକ୍ଷା କରାଯାଇଛି।