ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ୧ ନଭେମ୍ବର ଇଣ୍ଡିମେଣ୍ଟ ରାଲି ପାଇଁ ଶନିବାର ସହରବାସୀଙ୍କ ପାଇଁ ଟ୍ରାଫିକ ଆଡଭାଇଜରୀ ଜାରି ହୋଇଛି। ଭୀଷଣ ଜନସମାଗମକୁ ନଜରରେ ରଖି ଟ୍ରାଫିକ ପୋଲିସ୍ କେନ୍ଦ୍ରୀୟ ଦିଲ୍ଲୀରେ ବିଶେଷ ବ୍ୟବସ୍ଥା କରିଛି। ଏହା ପରେ ଯଦି ଆବଶ୍ୟକତା ପଡେ ତେବେ ୧୦ଟି ପ୍ରମୁଖ ସ୍ଥାନରେ ଟ୍ରାଫିକ ଡାଇଭର୍ସନ ମଧ୍ୟ କରାଯାଇ ପାରେ। ଟ୍ରାଫିକ ପୋଲିସ ଅନୁସାରେ ରାଜଧାନୀରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଶେଷ ଟ୍ରାଫିକ କଟକଣା ଲାଗୁ ରହିବ।

ସହରର ବାହାଦୂର ସାହ ଜାଫର ମାର୍ଗ, ଜବାହାରଲାଲ ନେହେରୁ ମାର୍ଗ, ଅଋଣା ଆସଫ ଅଲୀ ରୋଡ, ମିଣ୍ଟୋ ରୋଡ, ଡିଭିଜି ରୋଡ ଓ ବାରାଖମ୍ବା ରୋଡରେ ଟ୍ରାଫିକ ଜାମ ହେବାର ଆଶଙ୍କା କରାଯାଉଛି। ସେହିପରି କମଲା ମାର୍କେଟ ଓ ହମଦର୍ଦ ଚୌକ ଆଖପାଖରେ ଲୋକଙ୍କ ଗହଳି ହୋଇପାରେ। ନେତାଜୀ ସୁଭାଷ ମାର୍ଗ ଟି-ପଏଣ୍ଟ, ରାଜଘାଟ, ଦିଲ୍ଲୀ ଗେଟ୍, ଆଇଟିଓ ଏ-ପଏଣ୍ଟ, ଆଜମେରୀ ଗେଟ୍ ରେଡଲାଇଟ, ରାଣଜିତ ସିଂହ ଫ୍ଲାଇଓଭର, ଝଣ୍ଡେବାଲନ ଗୋଲେଇ, ତୁର୍କମାନ ଗେଟ୍ ଓ ମୀରଦର୍ଦ ଚୌକ ସମେତ ପ୍ରମୁଖ ସ୍ଥାନର ଯାତାୟାତ ଉପରେ ଟ୍ରାଫିକ ପୋଲିସ ନଜର ରହିବ।

କେନ୍ଦ୍ରୀୟ ଦିଲ୍ଲୀ ଟ୍ରାଫିକ ଏସିପି କେ. ରମେଶଙ୍କ ଅନୁସାରେ ଟ୍ରାଫିକ ପ୍ରବନ୍ଧନ ଲାଗି ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ହେବେ। ରାଲିକୁ ଆସୁଥିବା ଲୋକଙ୍କ ବାହନ ପାର୍କିଂ ଲାଗି ଏଲ.ଏନ.ହସ୍ପିଟାଲ ସାମ୍ନା ରେଳବାଇ ପାର୍କିଂ, ଡିଏମଆରସି ପାର୍କିଂ ଓ ରାଜଘାଟ ସମେତ କିଛି ସ୍ଥଳ ନିର୍ଦ୍ଧାରିତ ହୋଇଛି। ଏହା ଛଡା ପ୍ରମୁଖ ଛକମାନଙ୍କରେ ମଧ୍ୟ ବିଶେଷ ବ୍ୟବସ୍ଥା ରହିବ। ଜରୁରିକାଳୀନ ବାହନଙ୍କ ଯାତାୟାତ ନିମନ୍ତେ ଏଲ.ଏନ. ହସ୍ପିଟାଲ ଆଗକୁ ଅନ୍ୟ ରାସ୍ତା ତିଆରି କରାଯିବ। ଆବଶ୍ୟକତା ଅନୁସାରେ ଡିଟିସି ବସ୍ ଯାତାୟାତ ମଧ୍ୟ ନିୟନ୍ତ୍ରିତ କରାଯିବ। ରବିବାର ଜାତୀୟ ରାଜଧାନୀରେ ହେବାକୁ ଥିବା ଜନଗହଳିକୁ ନଜରରେ ରଖି ଷ୍ଟେସନ ଯିବାକୁ ଥିବା ଲୋକଙ୍କୁ ହାତରେ ଅତିରିକ୍ତ ସମୟ ରଖି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି।