ସାଲେପୁର ୨୩।୭: ବାପାଙ୍କ ମୃତ୍ୟୁକୁ ବର୍ଷେ ପୁରିନଥିବା ବେଳେ ମୋବାଇଲ ଦେଖିବାକୁ କେନ୍ଦ୍ରକରି ୧୦ମ ଶ୍ରେଣୀର ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ପୁଅର ମୃତ୍ୟୁ ଖବର ଶୁଣି ମାଆ ବିଷ ପିଇ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ତ୍ରିଲୋଚନପୁର ପଂଚାୟତ ହାତୀଖାନା ଗ୍ରାମରେ । ମୃତ ନାବାଳକ ଛାତ୍ର ଜଣକ ହେଲେ ହାତୀଖାନା ଗ୍ରାମର ସ୍ଵର୍ଗତ ସୁଦାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁତ୍ର ଆୟୁଷ୍ମାନ ସାହୁ । ସ୍ଥାନୀୟ ପୂର୍ବକଚ୍ଛ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଚଳିତ ବର୍ଷ ୧୦ମ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି ।
ସୂଚନାଯୋଗ୍ୟ ଯେ, ବାପାଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧ ଥିବାରୁ ଆୟୁଷ୍ମାନ ସ୍କୁଲ ନଯାଇ ଘରେ ଥିଲେ । ଘରେ ରହି ମୋବାଇଲ ଦେଖିବାରେ ବ୍ୟସ୍ତ ଥିବାରୁ ମାଆ ତାଙ୍କୁ ବାରଣ କରିଥିଲେ । ଏଥିରେ ଆୟୁଷ୍ମାନ ବିରକ୍ତି ପ୍ରକାଶ କରିବା ସହ ଘରେ ଥିବା ଏକ କୀଟନାଶକ ଔଷଧ ପିଇ ଦେଇଥିଲେ । ପରିବାର ଲୋକେ ଆୟୁଷ୍ମାନକୁ ଘରେ ପଡିଥିବା ଦେଖି ଉଦ୍ଧାରକରି ପ୍ରଥମେ ଜଗତପୁର ସ୍ଥିତ ଘରୋଇ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Also Read:- ବଢ଼ୁଛି ହୀରାକୁଦର ଜଳସ୍ତର, ଖୋଲିଲା ଜଳଭଣ୍ଡାରର ଆଉ ୪ ଗେଟ୍
ଏକମାତ୍ର ପୁଅର ମୃତ୍ୟୁ ଖବର ପାଇ ମାଆ ମଧ୍ଯ ବିଷ ପିଇ ଦେଇଥିଲେ। ସ୍ଥାନୀୟ ଲୋକେ ମାଆଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଜଣାପଡିଛି । ଖବରପାଇ ଜଗତପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମେଡିକାଲରେ ପହଞ୍ଚି` ଆୟୁଷ୍ମାନର ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ନେଇ ସୂଚନା ମିଳିଛି ।
