ଭୁବନେଶ୍ୱର: ସାବଧାନ! ଆପଣ ସୋସିଆଲ ମିଡିଆରେ ନିଜର ସୁନ୍ଦର ଫଟୋ ପୋଷ୍ଟ କରୁଛନ୍ତି କି? ତେବେ ହୋଇଯାନ୍ତୁ ସତର୍କ। କାରଣ ଆପଣଙ୍କ ଫଟୋକୁ ନେଇ ଚାଲିପାରେ ଦେହବେପାରର ଡିଲ୍! ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଭୟଙ୍କର 'ଏସ୍କର୍ଟ ସର୍ଭିସ୍' (Escort Service) ବା ସାଇବର ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ତମାଣ୍ଡୋ ଥାନା ପୋଲିସ। ଦଲାଲଙ୍କ ଟାର୍ଗେଟରେ ଥିଲେ ପ୍ରାୟ ଦେଢ଼ ହଜାର ନିରୀହ ଯୁବତୀ। ଆସନ୍ତୁ ଜାଣିବା ପୂରା ଘଟଣା।

ଏସ୍କର୍ଟ ସର୍ଭିସ୍ ରାକେଟ୍ ତଦନ୍ତରେ ବଡ଼ ଖୁଲାସା। ପ୍ରାୟ ୧୫୦୦ ଯୁବତୀଙ୍କ ସୋସିଆଲ ମିଡିଆ ଫଟୋ ବ୍ୟବହାର କରି ଗ୍ରାହକଙ୍କୁ ଆକୃଷ୍ଟ କରାଯାଉଥିଲା। ଟାର୍ଗେଟରେ ଥିଲା। ଇନଷ୍ଟାଗ୍ରାମ୍, ଫେସବୁକ୍ ଆଇଡିରୁ ମାଳମାଳ ଫଟୋ ଡାଉନଲୋଡ କରିଥିଲେ । କେହି ଉତ୍ତେଜକ ଫଟୋଚିତ୍ର ପୋଷ୍ଟ କଲେ, ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ରେ ଡିମାଣ୍ଡ ବେଶୀ ରହୁଥିଲା । ୪ ଅଭିଯୁକ୍ତ ଗିରଫ ପରେ ଏହି ଚାଞ୍ଚଲ୍ୟକର ଖୁଲାସା ହୋଇଛି।

ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ ବେଳେ ସତର୍କ ରହିବାକୁ ପୁଲିସ ଯୁବତୀମାନଙ୍କୁ ଚେତାଇଛି । ସବୁବେଳେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟର ଗୋପନୀୟତା ବଜାୟକୁ ରଖିବାକୁ ପରାମର୍ଶ ଦେଇଛି । ତମାଣ୍ଡୋ ଥାନା ପୁଲିସ ମାମଲାରେ ୪ ଅଭିଯୁକ୍ତ (ଉମାକାନ୍ତ ଦଳେଇ ଓରଫ, ବାବୁନି ଓରଫ ସମ୍ୱିତ ଓରଫ ପୁଅ, ଚିତ୍ତରଞ୍ଜନ ମହାନ୍ତି ଓରଫ ପେନୁ, ତୋଫାନ ପ୍ରଧାନ ଓ କୁମାରୀ ମିଞ୍ଜି ଭୋଇ) ଙ୍କୁ କୋର୍ଟଚାଲାଣ କରିଛି । ପୋଲିସ ଏମାନଙ୍କ କବଳରୁ ଦୁଇ ଜଣ ପୀଡ଼ିତାଙ୍କୁ ଉଦ୍ଧାର କରି ସର୍ଟ ଷ୍ଟେ ହୋମକୁ ପଠାଇଛି। ଅଭିଯୁକ୍ତଙ୍କ ନାଁରେ ସାଙ୍ଘାତିକ ବିଏନଏସ୍ (BNS) ଦଫା ଏବଂ ଆଇଟି ଆକ୍ଟ (IT Act) ଲଗାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଜୋନ୍-୩ ଏସିପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ଏମାନେ ଜଣେ ଗରାଖ ପିଛା ୫ ହଜାରରୁ ୨୦ ହଜାର ଟଙ୍କା ଡିମାଣ୍ଡ କରୁଥିଲେ । ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟର ୫ ବର୍ଷିଆ ବିବରଣୀର ଖୋଳତାଡ଼ ଚାଲିଛି । ୟୁପିଆଇ ଆକାଉଣ୍ଟ, ମୋବାଇଲ୍, ହ୍ୱାଟସ୍ଆପ୍କୁ ଯାଞ୍ଚ କରାଯାଇଛି । ସେମାନଙ୍କଠାରୁ ଗୋଟିଏ କାର ସହ ୯ଟି ଫୋନ୍ ଓ ୧୨ଟି ସିମକାର୍ଡ ଜବତ କରାଯାଇଛି । କଳିଙ୍ଗବିହାରର ଅଭିଯୋଗକାରୀଙ୍କ ଭଳି ଅନ୍ୟ ଯୁବତୀମାନେ ଏସ୍କର୍ଟ ସର୍ଭିସ୍ରେ ଆଦୌ ସମ୍ପୃକ୍ତ ନୁହନ୍ତି । ଏମାନଙ୍କ ଫଟୋଚିତ୍ରକୁ ବ୍ୟବହାର କରି ଦଲାଲମାନେ ଗ୍ରାହକଙ୍କୁ ଆକୃଷ୍ଟ କରନ୍ତି ବୋଲି ସେ ସୂଚାଇଛନ୍ତି ।

ବଡ଼ କଥା ହେଲା, ନାମୀ ଦାମୀ ଗ୍ରାହକଙ୍କ ନାମ ଓ ଠିକଣା ପୁଲିସ ହାତରେ ଲାଗିଛି । ସମ୍ବିତର ମୋବାଇଲ୍ ହ୍ୱାଟସ୍ଆପ୍ରେ ଏକ ଲମ୍ବା ତାଲିକା ଅଛି । ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ବିଲ୍ଡର ଓ ରାଜନେତା । ସେପଟେ ଘର ମାଲିକଙ୍କୁ ପଚରାଉଚରାରୁ ଜଣାପଡି଼ଛି ଯେ ସମ୍ବିତ୍ ନିଜକୁ ସଫ୍ଟୱେର ଇଞ୍ଜିନିୟର ପରିଚୟ ଦେଇ ଘର ଭଡ଼ା ନେଇଥିଲେ । ଚିତ୍ତରଞ୍ଜନଙ୍କୁ ନିଜର ଡ୍ରାଇଭର ବୋଲି ଦର୍ଶାଉଥିଲେ । କୁମାରି ମିଞ୍ଜିକୁ ଘରୋଇ ସହାୟିକା ଭାବେ ରଖିଥିଲେ ବୋଲି ଘର ମାଲିକ ପୁଲିସକୁ ସୂଚନା ଦେଇଛନ୍ତି ।