ମୁମ୍ବାଇ: ପୁଣେର ବହୁଚର୍ଚ୍ଚିତ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାରେ ଏବେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ,  କେତନ ଅଗ୍ରୱାଲଙ୍କ ସହ ନିର୍ବନ୍ଧ ସରିବା ପରେ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ପ୍ରେମିକ ଚେତନ ଚୌଧୁରୀଙ୍କୁ ଗୋପନରେ ବିବାହ କରିଥିଲେ। ୨୦ ବର୍ଷୀୟା ସିୟା ଓ ୨୫ ବର୍ଷୀୟ କେତନଙ୍କ ବିବାହ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାର ଥିଲା। ମାତ୍ର ଗତ ଜୁନ୍ ୧୮ ତାରିଖରେ ପୁଣେର ଲୋହାଗଡ଼ ଦୁର୍ଗରୁ ଖସିପଡ଼ି କେତନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ସିୟା ଏହି ବିବାହ କରିବାକୁ ଚାହୁଁନଥିବାରୁ ସେ ହିଁ କେତନଙ୍କୁ ହତ୍ୟା କରିବା ପାଇଁ ସମ୍ପୂର୍ଣ୍ଣ ଚକ୍ରାନ୍ତ ରଚିଥିଲେ ବୋଲି ପୋଳିସ ତଦନ୍ତରୁ ଜଣାପଡ଼ିଥିଲା । ପରେ ସିୟା ଏବଂ ଚେତନଙ୍କୁ ପୋଲିସ ଗିରଫ କରିଥିଲା ।

ଏବେ ଏହି ମାମଲାରେ ଆଉ ଏକ ଟ୍ବିଷ୍ଟ ଆସିଛି । ପ୍ରାୟ ୪ ମାସ ପୂର୍ବରୁ ସିୟା ଏବଂ ଚେତନ ସ୍ଥାନୀୟ ସବ୍-ରେଜିଷ୍ଟ୍ରାର ଅଫିସରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନୁସାରେ କୋର୍ଟ ମ୍ୟାରେଜ୍ କରିଥିବା ନେଇ ଜଣାପଡ଼ିଛି । ଯଦି ଏହି ମ୍ୟାରେଜ୍ ସାର୍ଟିଫିକେଟ୍ ସତ୍ୟ ପ୍ରମାଣିତ ହୁଏ, ତେବେ ଫେବୃଆରୀରେ କେତନଙ୍କ ସହ ହୋଇଥିବା ନିର୍ବନ୍ଧ ଆଇନଗତ ଭାବରେ ଅବୈଧ ବୋଲି ଧରାଯିବ। ସିୟାଙ୍କ କଲେଜର ଦୁଇଜଣ ସାଙ୍ଗ ଏହି କୋର୍ଟ ମ୍ୟାରେଜ୍‌ରେ ସାକ୍ଷୀ ଭାବେ ଦସ୍ତଖତ କରିଥିବା ଜଣାପଡ଼ିଛି। ପୋଲିସ ବର୍ତ୍ତମାନ ସେମାନଙ୍କୁ ମଧ୍ୟ ଜେରା କରୁଛି।

ସିୟା ଏବଂ ଚେତନ ବରମାଳା ପିନ୍ଧିଥିବା କିଛି ଫଟୋ ଏକ ପ୍ରାଇଭେଟ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ୍ କରାଯାଇଛି। ପୋଲିସର ବୈଷୟିକ ଟିମ୍ ସେହି ଫଟୋଗୁଡ଼ିକୁ ରିକଭର କରିବାକୁ ଚେଷ୍ଟା କରୁଛି। କେତନଙ୍କ ପରିବାର ଲୋକେ ଉଦୟପୁରରେ ଡେଷ୍ଟିନେସନ୍ ୱେଡିଂ ପାଇଁ ସିୟାଙ୍କର କିଛି ଜରୁରୀ କାଗଜପତ୍ର ମାଗିଥିଲେ। ଏହାପରେ ସେମାନଙ୍କର ଗୁପ୍ତ ବିବାହ ଧରାପଡ଼ିଯିବା ଭୟରେ ସିୟା ଓ ଚେତନ ତରବରିଆ ଭାବରେ ହତ୍ୟାକାଣ୍ଡର ଯୋଜନା କରିଥିବା ସନ୍ଦେହ କରାଯାଉଛି। ଏହାସହ ନିୟମିତ ସରକାରୀ ନୋଟିସକୁ ଏଡ଼ାଇ ଶୀଘ୍ର ବିବାହ ପ୍ରମାଣପତ୍ର ଜାରି କରିବା ପାଇଁ ଚେତନ କୌଣସି ଦଲାଲଙ୍କୁ ଟଙ୍କା ଦେଇଛନ୍ତି କି ନାହିଁ, ତାହା ଜାଣିବା ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି।