ପୁଣେ: ଲୋହାଗଡ଼ ଦୁର୍ଗ ହତ୍ୟା ମାମଲା ଏବେ ଆଉ ଏକ କୋର୍ଟ ରୁମ୍ ଲଢେଇରେ ପରିଣତ ହୋଇଛି । ଅଭିଯୁକ୍ତ ସିୟା ଗୋୟଲଙ୍କ ପ୍ରତିନିଧିତ୍ବ କରିବାକୁ ନେଇ ଦୁଇଜଣ ଆଇନଜୀବୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ଆଇନଜୀବୀ ଆଶୁତୋଷ ଶ୍ରୀବାସ୍ତବ, ସିୟାଙ୍କ ଭାଇ ସାହିଲ ଗୋୟଲଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ନୋଟିସ୍ ଜାରି କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି ଆଇଏଏନଏସକୁ ପ୍ରତିକ୍ରିୟା ଦେଇ ଶ୍ରୀବାସ୍ତବ କହିଛନ୍ତି, ସିଆ ଗୋୟଲଙ୍କ ପ୍ରତିନିଧିତ୍ୱ କରିବା ପାଇଁ ତାଙ୍କୁ ଅଧିକାର ଦେଇଥିବା ଦସ୍ତାବିଜ୍ ପୂର୍ବରୁ କୋର୍ଟରେ ଦାଖଲ କରାଯାଇଛି ଏବଂ ଏହା ନ୍ୟାୟିକ ରେକର୍ଡର ଅଂଶ । ଆଡଭୋକେଟ୍ ଶ୍ରୀବାସ୍ତବଙ୍କ ଦାବି ଯେ ସିୟା ଗୋୟଲ ଜଣେ ସାବାଳିକା ଏବଂ ସେ ନିଜ ଇଚ୍ଛାରେ ଜୁନ୍ ୨୫ରେ ଏକ ଓକିଲାତିନାମା ସ୍ବାକ୍ଷର କରିଛନ୍ତି, ଯାହା ଅଦାଲତରେ ଦାଖଲ ଏବଂ ରେକର୍ଡଭୁକ୍ତ ହୋଇସାରିଛି ।

ସାହିଲ ଗୋୟଲଙ୍କୁ ପଠାଇଥିବା ୧୦ କୋଟି ଟଙ୍କାର ନୋଟିସ୍ ଉପରେ ସେ କହିଛନ୍ତି, ମିଥ୍ୟା ଅଭିଯୋଗ ଦ୍ୱାରା ଯଦି କୌଣସି ନାଗରିକଙ୍କ ସମ୍ମାନକୁ କ୍ଷତି ହୁଏ ତେବେ ସେମାନଙ୍କର ଆଇନଗତ ରାସ୍ତାର ଅଧିକାର ଅଛି । ସେ କହିଛନ୍ତି, "ଯଦି କୌଣସି ବ୍ୟକ୍ତି ଅନୁଭବ କରନ୍ତି ଯେ ସେମାନଙ୍କର ପ୍ରତିଷ୍ଠା କ୍ଷତିଗ୍ରସ୍ତ ହୋଇଛି, ମିଥ୍ୟା ଗୁଜବ ପ୍ରସାରିତ ହୋଇଛି, କିମ୍ବା ସେମାନଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରାଯାଇଛି, ତେବେ ଆଇନଗତ ନୋଟିସ୍ ହେଉଛି ସେମାନଙ୍କର ଅଧିକାର । ଆମେ ବିଶ୍ୱାସ କରୁଛୁ ଯେ ଏହା ସ୍ପଷ୍ଟ ଭାବରେ ମାନହାନିର ଏକ ମାମଲା, ତେଣୁ ଆମେ ନୋଟିସ୍ ପଠାଇଛୁ ।" ନୋଟିସ୍ରେ ଉଲ୍ଲେଖ କରାଯାଇଛି ଯେ ଯଦି ସାହିଲ ସର୍ବସାଧାରଣରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ନକରନ୍ତି, ତେବେ ତାଙ୍କ ବିରୋଧରେ ସିଭିଲ୍ ଏବଂ କ୍ରିମିନାଲ୍ ମାନହାନି ମାମଲା ରୁଜୁ କରାଯିବ ।

ଅନ୍ୟପଟେ, ସିୟାଙ୍କ ଭାଇ ସାହିଲ ଗୋୟଲ ଗଣମାଧ୍ୟମକୁ କହିଥିଲେ ଯେ ପରିବାର ପକ୍ଷରୁ ଶ୍ରୀବାସ୍ତବଙ୍କୁ ନିଯୁକ୍ତ କରାଯାଇ ନାହିଁ । ସେ କହିଥିଲେ, "ଆମେ ଆଡଭୋକେଟ୍ ଶ୍ରୀବାସ୍ତବଙ୍କୁ ସିୟାଙ୍କ ପ୍ରତିନିଧିତ୍ବ କରିବା ପାଇଁ ରଖିନାହୁଁ । ସେ କେଉଁ ଆଧାରରେ ଏହି ଦାବି କରୁଛନ୍ତି ସେ ବିଷୟରେ ମୁଁ ଅବଗତ ନାହିଁ ।" ଅନ୍ୟ ଜଣେ ଆଇନଜୀବୀ ବିପୁଲ ଡୁସିଙ୍ଗ୍ ମଧ୍ୟ ଦାବି କରିଛନ୍ତି ଯେ ଅଭିଯୁକ୍ତଙ୍କ ପରିବାର ତାଙ୍କୁ ହିଁ ଏହି ମାମଲା ପରିଚାଳନା କରିବାକୁ ଦାୟିତ୍ବ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କେତନ ଅଗ୍ରୱାଲଙ୍କୁ ଜୁନ ୧୮ରେ ଲୋହଗଡ଼ ଦୁର୍ଗର ଏକ ପାହାଡ଼ ଉପରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଜୁନ୍ ୨୩ରେ ମୃତ କେତନଙ୍କ ଭବି ସ୍ତ୍ରୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଗିରଫ କରିଥିଲା । ବର୍ତ୍ତମାନ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଜୁଲାଇ ୩ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଛନ୍ତି ।