ମାଲକାନଗିରି ୧୩।୧୦ : ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ୬ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାରେ ସକ୍ରିୟ ଥିବା ୪ ଜଣ ଓ ପଶ୍ଚିମ ବସ୍ତର ଡିଭିଜନର ୨ ଜଣ ହାର୍ଡକୋର ମାଓବାଦୀ ରହିଛନ୍ତି ।

ଓଡ଼ିଶା କ୍ୟାଡରର ୪ ଜଣ ମାଓବାଦୀ ନକ୍ସଲ ସଂଗଠନର PPCM ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କ ନାମରେ ପୋଲିସ ୩୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ସକ୍ରିୟ ରହିଥିବା ବେଳେ ଓଡିଶାରେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି । ଓଡିଶାରେ ତାଙ୍କର ଶେଷ ଠିକଣା ଗଜପତି ଜିଲ୍ଲା ଥିଲା ବୋଲି ବିଜାପୁର ଏସପି କହିଛନ୍ତି ।

Also Read:-Major fire in Cuttack: ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ବଡ଼ ଧରଣର ଅଗ୍ନିକାଣ୍ଡ, ଜଳିଗଲା ଦୋକାନ ସହ ଟ୍ରାକ୍ଟର ଡାଲା

ତେବେ ଛତିଶଗଡ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ବିଜାପୁର SPଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ ଛତିଶଗଡ ପୋଲିସର ଆତ୍ମସମର୍ପଣ ନୀତି ଅନୁସାରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଜାପୁର SP କହିଛନ୍ତି ।