ଡେରାଡୁନ : ଏସଆଇଆରରେ ବ୍ୟାପକ ତ୍ରୁଟି । ବଡ଼ ବଡ଼ ଅଧିକାରୀ ବି ପଡ଼ିଲେନି ବାଦ୍ । ଏପରି କିଛି ଘଟଣା ସାମନାକୁ ଆସିଛି ଉତ୍ତରାଖଣ୍ଡରେ । ଏଠାରେ ଚାଲିଥିବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ବା ଏସଆଇଆର ପ୍ରକ୍ରିୟାରେ ବରିଷ୍ଠ ସରକାରୀ ଅଧିକାରୀ ଓ ବିଧାୟକଙ୍କୁ ନୋଟିସ ମିଳିଛି । ଭୋଟର ତାଲିକାରେ ଥିବା ତଥ୍ୟ ଯାଞ୍ଚ ଓ ତ୍ରୁଟି ସୁଧାର ପାଇଁ ତଥା ଅନ୍ୟ କିଛି ଅବ୍ୟବସ୍ଥା ପାଇଁ ଏହି ନୋଟିସ୍ ଜାରି କରାଯାଇଛି।

ରିପୋର୍ଟ ଅନୁସାରେ, ଉତ୍ତରାଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିଆରସି ପୁରୁଷୋତ୍ତମ, ବିଜେପି ବିଧାୟକ ସରିତା ଆର୍ଯ୍ୟ ଏବଂ କୁମାଉନ କମିଶନର ଦୀପକ ରାୱତଙ୍କ ଓ ଅନ୍ୟ କଛି ବ୍ୟକ୍ତିଙ୍କୁ ନୋଟିସ୍ ମିଳିଛି। ତେବେ ନୈନିତାଲ ବିଜେପି ବିଧାୟକ ସରିତା ଆର୍ଯ୍ୟଙ୍କୁ ମିଳିଥିବା ନୋଟିସର ବିଧାୟକ ଏବଂ ତାଙ୍କ ପୁଅଙ୍କ ଭୋଟର ତଥ୍ୟ ଯାଞ୍ଚ ପାଇଁ ସୂଚନା ମଗାଯାଇଛି। ସେହିପରି କୁମାଉନ କମିଶନର ଦୀପକ ରାୱତଙ୍କୁ ନୋଟିସ କରି ନିର୍ବାଚନ କମିଶନ କିଛି ତଥ୍ୟ ମାଗିଛନ୍ତି। ଖାଲି ଏତିକି ନୁହେଁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିଆରସି ପୁରୁଷୋତ୍ତମଙ୍କୁ ମଧ୍ୟ ଏକ ତ୍ରୁଟି ପାଇଁ ନୋଟିସ୍ ମିଳିଥିଲା। ଯାହା ପରେ ସେ ବିଏଲଓଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ।

ଅନ୍ୟଦିଗରେ ନୋଟିସକୁ ନେଇ ଭୋଟରମାନଙ୍କୁ ଭୟଭୀତ ନହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପୁରୁଷୋତ୍ତମ ଅପିଲ୍ କରିଛନ୍ତି। ନାମ, ଠିକଣା କିମ୍ବା ଅନ୍ୟାନ୍ୟ ତଥ୍ୟରେ ତ୍ରୁଟି ଥିଲେ ନିର୍ଦ୍ଧାରିତ ଡକ୍ୟୁମେଣ୍ଟ ଦାଖଲ କରି ଏହାକୁ ଠିକ୍ କରାଯାଇପାରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଏଭଳି ନୋଟିସ୍ ଜାରି ହେବା ଏକ ସାଧାରଣ ପ୍ରକ୍ରିୟା। ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ମଧ୍ୟ ନିୟମିତ ତ୍ରୁଟି ସମ୍ବନ୍ଧୀୟ ମାମଲାଗୁଡ଼ିକର ଯାଞ୍ଚ କରି ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୋଟ ୨୪.୩୦ ଲକ୍ଷ ନୋଟିସ୍ ଜାରି ହୋଇଛି। ଏଥିରୁ ପ୍ରାୟ ୨୦.୨୭ ଲକ୍ଷ ନୋଟିସ୍ ଭୋଟରଙ୍କ ପାଖରେ ପହଞ୍ଚିସାରିଛି। ଯେଉଁ ଭୋଟରମାନଙ୍କ ତଥ୍ୟ ହାସଲ ହୋଇପାରିନାହିଁ, ସେହି ମାମଲାଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯିବ। ଏଗୁଡ଼ିକୁ ବରିଷ୍ଠ ଅଧିକାରୀ ଯାଞ୍ଚ କରିବେ ।

ଏତତ୍ ବ୍ୟତୀତ ଆହୁରି ମଧ୍ୟ କୁହା ଯାଇଛି ଯେ, ଏସଆଇଆର ପ୍ରକ୍ରିୟାରେ ସାଧାରଣ ନାଗରିକ, ରାଜନେତା ଓ ପ୍ରଶାସନିକ ପଦରେ ଥିବା ବ୍ୟକ୍ତି ସମାନ । ସମସ୍ତଙ୍କ ପାଇଁ ଏହି ଯାଞ୍ଚ ପ୍ରକ୍ରିୟାର ନିୟମ ସମାନ ଭାବେ ଲାଗୁ ହେଉଛି। ତେଣୁ ଭୋଟରମାନେ ସ୍ଥାନୀୟ ବୁଥ ଅଧିକାରୀଙ୍କୁ ସହଯୋଗ କରି ଆବଶ୍ୟକ ତଥ୍ୟ ଓ ଡକ୍ୟୁମେଣ୍ଟ ଯୋଗାଇଦେବାକୁ ନୈନିତାଲ୍ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।