କଟକ ୨୫।୦୮: ଅଦାଲତି ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରିବା, କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଛନ୍ତି ହାଇକୋର୍ଟ। ସେ କିପରି ନିମ୍ନ ଅଦାଲତରେ ହାଜର ହେବେ, ସେନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା, ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଭଳି ସଂଗୀନ ଅଭିଯୋଗ ହୋଇଛି ସୌରିନଙ୍କ ବିରୋଧରେ। କଟକ ମହିଳା ଥାନାରେ ଏନେଇ ଏତଲା ଦାୟର ହେବା ପରେ ଆଗୁଆ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌରିନ। ସୌରିନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ। ପରେ କିନ୍ତୁ ସୌରିନ ଆଉ ମହିଳା ଥାନାରେ ହାଜର ହୋଇ ନଥିଲେ। ପୋଲିସ ବାରମ୍ବାର ଖୋଜି ନପାଇବା ପରେ ସୌରିନଙ୍କ ପୈତୃକ ଘରେ ଲଟକା ଜାରି ହୋଇଥିଲା। ପରେ କ୍ରାଇମବ୍ରାଞ୍ଚ ସହାୟତାରେ ମହିଳା ଥାନା ପୋଲିସ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା ।

Also Read:-ଋଷିଆକୁ ଧ୍ୱଂସ କରିବ ବ୍ରିଟେନ୍ ! ୟୁକ୍ରେନକୁ ଦେବ ନିଜର ସବୁଠୁ ସିକ୍ରେଟ୍ ମିସାଇଲ, ଚିନ୍ତାରେ ପୁଟିନ

୨୦୨୩ ମସିହାରେ ତାଙ୍କ ବିରୋଧରେ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା। ଯାହାକୁ ଚ୍ୟାଲେଞ୍ଜ କରି ସୌରିନ ପୁନର୍ବାର ହାଇକୋର୍ଟ ଆସିଥିଲେ। ହାଇକୋର୍ଟ ରହିତାଦେଶ ଜାରି କରିବା ସହିତ ନିମ୍ନ ଅଦାଲତରେ ସୌରିନଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦ ତାରିଖରେ ସୌରିନ ଆତ୍ମସମର୍ପଣ କରିବାର ଥିଲା। କିନ୍ତୁ ତାହା କଲେ ନାହିଁ। ତେଣୁ ହାଇକୋର୍ଟ କ୍ଷୁବ୍ଧ ହେବା ସହିତ NBW ଉପରେ ଜାରି ହୋଇଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ଏବଂ ଅଭିଯୁକ୍ତ ସୌରିନ ଭଟ୍ଟଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।