ଭୋପାଳ: ସ୍ୱାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀ ରଖିଥିଲା କରୱା ଚୌଥ ବ୍ରତ। ହେଲେ ସେହି ସ୍ତ୍ରୀର ଆୟୂଷ ଛଡ଼ାଇ ନେଲା ରାକ୍ଷସ ସ୍ୱାମୀ। ସାମାନ୍ୟ ଘରୋଇ କଳିରୁ ପତ୍ନୀକୁ ଜୀବନରୁ ମାରିଦେଲା ତାର ଇହକାଳ ପରକାଳର ଦେବତା ବୋଲାଉଥିବା ଦାନବ। ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିୟରର ସହରରେ।

ଗୁରୁବାର ସକାଳେ ମୁରାର ଥାନା ଅଞ୍ଚଳ ଅନ୍ତର୍ଗତ ଡିଫେନ୍ସ ସ୍କୁଲ୍ ନିକଟସ୍ଥ ତ୍ୟାଗୀ ନଗରରେ ରହୁଥିବା ଆନନ୍ଦ ଶ୍ରୀବାସ୍ତବ ଘରୋଇ କଳିରୁ ଉତ୍କ୍ଷିପ୍ତ ହୋଇ ପତ୍ନୀ ମଧୁଙ୍କ ଗଳା ଚିପି ଦେଇଥିଲେ। ପରେ ଏକ ମସଲା କୁଟା ବାଡ଼ିରେ ମୁଣ୍ଡକୁ ପିଟି ପିଟି ଜୀବନରୁ ମାରିଦେଇଥିଲେ। ପତ୍ନୀକୁ ହତ୍ୟା କରିସାରିବା ପରେ ଆନନ୍ଦ ନିଜେ ପୁଲିସକୁ ଫୋନ୍ କରି ସବୁକଥା କହିଥିଲେ। ଏବଂ ସରେଣ୍ଡର କରିଥିଲେ।

ଆନନ୍ଦ ଓ ମଧୁଙ୍କର ୨୦୧୦ରେ ବିବାହ ହୋଇଥିଲା। ଦମ୍ପତିଙ୍କର ଗୋଟିଏ ପୁଅ ଓ ଝିଅ ବି ଅଛନ୍ତି। ଏହି ହତ୍ୟାକାଣ୍ଡ ସମୟରେ ଉଭୟ ପୁଅ ଓ ଝିଅ ଗୋଟିଏ ପଟ ଘରେ ରହିଥିଲେ। ସେମାନଙ୍କ ସହିତ ମଧୁଙ୍କର ଯାଆ ବି ଥିଲେ। ହେଲେ ସେମାନେ କେହି ବି କୌଣସି କାନ୍ଦ ବୋବାଳି ଶୁଣି ନଥିବା ପୁଲିସକୁ କହିଛନ୍ତି।

Also Read- ମାତ୍ର ୫ ଟଙ୍କିଆ ଲେଜ୍ ପ୍ୟାକେଟ୍ ପାଇଁ ୮ ହଜାର ଟଙ୍କାର ଫାଇନ ଗଣିଲା କମ୍ପାନୀ; ମାନିବାକୁ ପଡିବ ଗ୍ରାହକଙ୍କ ସାହସ, ପଢନ୍ତୁ ରୋଚକ ଖବର

ଆନନ୍ଦ ପତ୍ନୀକୁ ହତ୍ୟା କରିବା ପରେ ନିଜେ ପୁଲିସକୁ ଫୋନ କରିଥିଲା। ଏବଂ ପୁଲିସ ନ ପହଞ୍ଚିବା ପର୍ଯ୍ୟନ୍ତ ସେ ଘର କବାଟ ଖୋଲିବ ନାହିଁ ବୋଲି କହିଥିଲେ। ଏହାପରେ ପୁଲିସ ଆନନ୍ଦଙ୍କ ଘର ନିକଟରେ ରହୁଥିବା ଆକାଶ ରାଣାଙ୍କ ସହଯୋଗରେ ଅଭିଯୁକ୍ତ ଘରେ ପହଞ୍ଚିଥିଲା। ଏବଂ ପୂରା ଘଟଣାରେ ଆନନ୍ଦ ମଧ୍ୟ ପୁଲିସ ସହ ନିୟମିତ କଣ୍ଟାକ୍ଟରେ ରହିଥିଲା। ପୁଲିସ ସହିତ ଆକାଶ ରଣା ଯେତେବେଳେ କବାଟ ଖୋଲି ଘରେ ପଶିଲେ ସେତେବେଳେ ମଧୁଙ୍କ ମୃତଦେହ ତଳେ ପଡ଼ିଥିଲା।

ମାମଲାରେ ପୁଲିସ ଅଭିଯୁକ୍ତ ଆନନ୍ଦକୁ ଗିରଫ କରିବା ସହ ଶବ ବ୍ୟବଚ୍ଚେଦ ପାଇଁ ପଠାଇଛି। ଏବଂ ଫୋରନ୍ସିକ ଯାଞ୍ଚ ପାଇଁ ତଥ୍ୟ ପ୍ରମାଣ ଏକାଠି କରିଛି। ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ କଳି ହେଉଥିଲା କି ନାହିଁ ? ସେମାନଙ୍କ ଦାମ୍ପତ୍ୟ ଜୀବନ କେମିତି ଥିଲା ସେ ନେଇ ବିଭିନ୍ନ ଆଙ୍ଗଲରୁ ତଦନ୍ତ କରୁଛି। ତେବେ ଆନନ୍ଦ କାହିଁକି ପତ୍ନୀଙ୍କୁ ହତ୍ୟା କଲା ସେ ନେଇ କୌଣସି ଖୁଲାସା ହୋଇ ନାହିଁ।

ପଡ଼ୋଶୀଙ୍କ କହିବା କଥା ହେଲା ଆନନ୍ଦ ବେରୋଜଗାର ଥିବାରୁ ଘରେ ଅନେକ ସମୟରେ ପାଟିତୁଣ୍ଡ କରୁଥିଲା। ଏମିତିକି ସେ କିଛିଦିନ ତଳେ ଏକ କୁକୁରକୁ ମାରିଦେଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଗାଁ ଲୋକେ ପୁଲିସ ଆଗରେ କହିଛନ୍ତି। ଘଟଣାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।