କିଭ୍, ୨୫/୦୮ : ଯୁଦ୍ଧରେ ସହାୟତା କରିବା ଲାଗି ବ୍ରିଟେନ୍ ୟୁକ୍ରେନକୁ ନିଜର ଗୋପନ ମିସାଇଲ୍ ଟେକ୍ନୋଲୋଜି ପ୍ରଦାନ କରିବ। ଫଳରେ କିଭରେ ହିଁ ଦୀର୍ଘ ଦୂରଗାମୀ ସ୍କାଲ୍ପ କ୍ରୁଜ ମିସାଇଲ ନିର୍ମାଣର ପଥ ସୁଗମ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ ସୋମବାର ନିଜ ପ୍ରଥମ ବିଦେଶ ଯାତ୍ରାରେ ୟୁକ୍ରେନ୍ ପହଞ୍ଚିଥିଲେ। ଏହି ଅବସରରେ ମିସାଇଲ୍ ଟେକ୍ନୋଲୋଜି ସେୟାର କରିବା ସଂପର୍କରେ ଘୋଷଣା କରାଯାଇଛି। ସେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଇତିମଧ୍ୟରେ ଫ୍ରାନ୍ସ ଏବଂ ୟୁକ୍ରେନ୍ ମିଶି ଚଳିତବର୍ଷ ଶେଷ ସୁଦ୍ଧା ୟୁକ୍ରେନରେ ସ୍କାଲ୍ପ ମିସାଇଲର ଏକ ଉତ୍ପାଦନ ଲାଇନ୍ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏହାଦ୍ୱାରା ୟୁକ୍ରେନକୁ ମିସାଇଲର ଟେକ୍ନୋଲୋଜି ବୁଝିବା ଏବଂ ତାକୁ ସ୍ବଦେଶରେ ନିର୍ମାଣ କରିବାରେ ସହାୟତା ମିଳିବ ।

ସେପଟେ ବ୍ରିଟେନର ଏହି ନିଷ୍ପଭି ନେଇ ରୁଷ୍ କଡ଼ା ଅସନ୍ତୋଷ ପ୍ରକାଶ କରିଛି। ବ୍ରିଟେନରେ ଥିବା ରୁଷ୍ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ବ୍ରିଟେନ୍ ଜାଣିଶୁଣି ୟୁକ୍ରେନ୍ ଯୁଦ୍ଧକୁ ଆହୁରି ବଢ଼ାଉଛି। ଯୁଦ୍ଧରେ ବ୍ରିଟେନର ଭାଗିଦାରୀ ଯେତେ ଅଧିକ ବଢ଼ିବ ତାକୁ ସେତେ ଅଧିକ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଏଥିନେଇ ଆଣ୍ଡି ବର୍ନହାମ୍ କହିଛନ୍ତି ଯେ, ୟୁକ୍ରେନର ସୁରକ୍ଷା ବ୍ରିଟେନର ସୁରକ୍ଷା ସହ ଜଡ଼ିତ । ତେଣୁ ତାଙ୍କ ଦେଶ ୟୁକ୍ରେନ୍ ସହ ଦୀର୍ଘ ସମୟ ଯାଏ ଛିଡ଼ା ହେବ।

Also Read :- ଗୋଟିଏ ଘଣ୍ଟାରେ ଦର୍ଶନ କରିବେ ୮-୧୦ ହଜାର ଲୋକ, ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା

ସ୍କାଲ୍ପ ମିସାଇଲକୁ ‘ଷ୍ଟର୍ମ ଶ୍ୟାଡୋ’ ବୋଲି କୁହାଯାଇଥାଏ। ବ୍ରିଟେନ୍ ଏବଂ ଫ୍ରାନ୍ସ ମିଶି ଏହାକୁ ବିକଶିତ କରିଛନ୍ତି। ଏହା ବିମାନରୁ ମାଡ଼ କରାଯାଉଥିବା ଦୀର୍ଘ ଦୂରଗାମୀ କ୍ରୁଜ ମିସାଇଲ୍। ଏହାର ମାରକ କ୍ଷମତା ପ୍ରାୟ ୫୫୦ କିମି। ଏଥିରେ ପ୍ରାୟ ୪୦୦ କିଲୋ ଭାରୀ ବିସ୍ଫୋରକ ଲଗାଇ ହେବ। ମିସାଇଲର ଓଜନ ପ୍ରାୟ ୧୩୦୦ କିଲୋ ହୋଇଥିବାବେଳେ ଲମ୍ବା ପ୍ରାୟ ୫.୧୦ ମିଟର। ପୂର୍ବ ନିର୍ଦ୍ଧାରିତ ଠିକଣା ଉପରେ ଆକ୍ରମଣ ଲାଗି ଏହାକୁ ବନାଯାଇଛି। ସବୁ ପ୍ରକାର ପାଗରେ ଉଭୟ ଦିନ ଏବଂ ରାତିରେ ଏହା ଆକ୍ରମଣ କରିବାରେ ସକ୍ଷମ। ତେବେ ବ୍ରିଟେନଠାରୁ ଗୋପନ ଟେକ୍ନୋଲୋଜି ପାଇବା ସତ୍ତ୍ୱେ ୟୁକ୍ରେନ୍ରେ ତୁରନ୍ତ ଏହି ମିସାଇଲର ବ୍ୟାପକ ଉତ୍ପାଦନ ହୋଇପାରିବ ନାହିଁ । ଏଥିଲାଗି ୟୁକ୍ରେନ୍କୁ ବହୁ ବର୍ଷ ଲାଗିଯିବ।