ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କିରେଣ ରିଜିଜୁ ବଲିଉଡ ଅଭିନେତା ନଶିଋଦ୍ଦିନ ଶାହଙ୍କୁ ‘ବିପଦଜନକ ଅର୍ବାନ ମାନସିକ ନକ୍ସଲ’ ଓ ତାଙ୍କ ଚିନ୍ତାଧାରା ଭାରତୀୟ ଗଣତନ୍ତ୍ର ଲାଗି ଅତ୍ୟନ୍ତ ହାନୀକାରକ ବୋଲି କହିଛନ୍ତି। ଏହି ବିବାଦ ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ ୭୬ ବର୍ଷ ବୟଷ୍କ ଶାହ ଫେସବୁକ୍ ରେ ଏକ ଭିଡିଓ ପୋଷ୍ଟ ରେ ‘ଗର୍ବର ସହିତ କହୁଛି ମୁଁ ମାନସିକ ନକ୍ସଲ’ ଉଲ୍ଲେଖ କରି ସରକାରଙ୍କୁ ଟାର୍ଗେଟ କରିଥିଲେ। ଏଥିରେ ସେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ, ଶିକ୍ଷା ପ୍ରଣାଳୀ ତଥା ଗଣତାନ୍ତ୍ରିକ ସ୍ଥିତିକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ।

ଏହା ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁ ଓ କିଛି ବିଜେପି ନେତା ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଏଥିରେ ରିଜିଜୁ ଅଭିନେତାଙ୍କୁ ‘ବିନାଶକାରୀ ବୁଦ୍ଧିଜୀବୀ’ ବୋଲି କହିଛନ୍ତି। ରିଜିଜୁ ଏକ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘ମୁଁ ନଶିଋଦ୍ଧିନ ଶାହଙ୍କୁ ସମ୍ମାନ କରେ ଓ ପସନ୍ଦ ମଧ୍ୟ କରେ। ଭାବୁଥିଲି ସେ ଜଣେ ସାଧାରଣ ଅଭିନେତା ହୋଇଥିବେ। ହେଲେ ମୋର ଅନ୍ଦାଜ ନଥିଲା ସେ ଜଣେ ବିପଦଜନକ ଅର୍ବାନ ନକ୍ସଲ ଓ ବିନାଶକାରୀ ବୁଦ୍ଧିଜୀବୀ ଅଟନ୍ତି। ମୋତେ ତାଙ୍କ ଅସଲ ଚରିତ୍ର ବିଷୟରେ ବହୁତ ପରେ ଜଣା ପଡିଲା, ସେ ଭାରତର ଗଣତନ୍ତ୍ର ଲାଗି ଅତ୍ୟନ୍ତ ହାନିକାରକ ଅଟନ୍ତି’।

ଶାହ ତାଙ୍କ ସୋସିଆଲ ମିଡିଆ ଭିଡିଓରେ କହିଛନ୍ତି ଯେ ‘ସେ ଏହି ଲେବୁଲକୁ ଆପଣାଇବାକୁ ପ୍ରସ୍ତୁତ ଓ ସରକାରଙ୍କୁ ସମାଲୋଚନା କରୁଥିବା ଲୋକଙ୍କ ଲାଗି ଉପଯୋଗ ହେଉଥିବା ଶବ୍ଦ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ମୁଁ ଗର୍ବର ସହ କହୁଛି ‘ମୁଁ ଜଣେ ଦିମାଗୀ ନକ୍ସଲ’। ନାଶିଋଦ୍ଦିନ ଶାହ କହିଛନ୍ତି ଯେ ‘ମୁଁ ଜାଣେନା ଏହି ଚୌକିଦାରମାନେ ମୋ ଭଳି ଲୋକଙ୍କୁ ଆଉ କେଉଁ କେଉଁ ନାଁ ଦେଇଛନ୍ତି, ଯେପରି ରାଷ୍ଟ୍ରବିରୋଧୀ, ଟୁକଡେ ଟୁକଡେ ଗ୍ୟାଙ୍ଗ ଆହୁରି ଅନେକ କିଛି,’। ଶାହ ଯୁବ ଓ ଶିକ୍ଷା ସଂସ୍ଥାଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ କହିଛନ୍ତି ‘ଆପଣ ଆମ ଦେଶର ଯୁବକଙ୍କ ମନବଳ ଭାଙ୍ଗିବା, ଶିକ୍ଷା ପ୍ରଣାଳୀକୁ ବରବାଦ କରିବା ଓ ଆମ ଗଣତନ୍ତ୍ରକୁ ବିପଦରେ ପକାଇବା ପାଇଁ ଆଉ କଣ କଣ କରିବେ? କେତେ କରିବେ? କେଉଁ ପର୍ଯ୍ୟନ୍ତ ଯିବେ?’

ନଶିଋଦ୍ଦିନ ଶାହଙ୍କ ଏପରି ଟିପ୍ପଣୀ ଉପରେ ବିଜେପି ନେତାମାନେ କଟୁ ମନ୍ତବ୍ୟ ଦେଉଛନ୍ତି। କିଛି ନେତା ଜାତୀୟ ସୁରକ୍ଷା ପ୍ରସଙ୍ଗରେ ତାଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମହାରାଷ୍ଟ୍ର ମନ୍ତ୍ରୀ ନୀତେଶ ରାଣେ ତାଙ୍କୁ ମାନସିକ ନକ୍ସଲ କହିଥିବା ବେଳେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛନ୍ତି। ରାଣେ ଚଳଚିତ୍ର ଉଦ୍ୟୋଗରେ ଶାହଙ୍କ ପ୍ରାସଙ୍ଗିକତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।