ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ୨୮ ମେ ଗୁରୁବାର ଇସ୍ତଫା ଦେଇଛନ୍ତି। ବେଙ୍ଗାଲୁରୁସ୍ଥିତ ସରକାରୀ ବାସଭବନରେ ଆୟୋଜିତ ବ୍ରେକଫାଷ୍ଟ ମିଟିଂ କାଳରେ ସିଦ୍ଦରମୈୟା ତାଙ୍କ ମନ୍ତ୍ରୀମଣ୍ଡଳ ସହଯୋଗୀଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ସେ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଇସ୍ତଫାପତ୍ର ନେଇ ଯାଇଥିଲେ। ତେବେ ରାଜ୍ୟପାଳ ଥାବରଚନ୍ଦ ଗହଲୋତ ରାଜଭବନରୁ ବାହାରେ ଥିବା କାରଣରୁ ସିଦ୍ଦରମୈୟା ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବ ପ୍ରଭୁ ଶଙ୍କରଙ୍କୁ ପ୍ରଦାନ କରିଛନ୍ତି। ଏହା ପରେ ସିଦ୍ଦରମୈୟା ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ତାଙ୍କ ଇସ୍ତଫା ପୁଷ୍ଟି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଦ୍ଦରମୈୟା ଏକ ସାଧାରଣ ପୃଷ୍ଠଭୂମିରୁ ଆସିଥିଲେ ମଧ୍ୟ ରାଜନୀତିରେ ତାଙ୍କର କିପରି ଉତ୍ଥାନ ହୋଇଥିଲା ତାହା କହିଛନ୍ତି। ଏହି ଅବସରରେ ସେ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଜଣାଇବା ସହ ଗଣମାଧ୍ୟମ କର୍ମୀମାନଙ୍କୁ କହିଛନ୍ତି ଯେ ତାଙ୍କ ସରକାର ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଓ ଗ୍ୟାରେଣ୍ଟି ଦେଇଥିଲା ତାହା ଗୋଟିଗୋଟି କରି ପୂରଣ କରିଛି। ସେହିପରି ବିରୋଧୀ ଦଳ ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ଭୁଲ ତଥ୍ୟ ଦେଉଥିବାର ଅଭିଯୋଗ ଆଣି କହିଛନ୍ତି ଯେ ରାଜ୍ୟର ରାଜସ୍ୱ ହ୍ରାସ ପାଇଁ କେନ୍ଦ୍ର ସରକାର ମଧ୍ୟ ସମପରିମାଣରେ ଦାୟି। ଏହା ଛଡା ସେ କହିଛନ୍ତିଯେ ସକ୍ରିୟ ରାଜନୀତିରୁ ସେ ଏବେ ଦୂରେଇବେ ନାହିଁ ଓ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶରେ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଲଢିବେ।

ତେବେ ଏହା ପୂର୍ବରୁ ପୂର୍ବାହ୍ନରେ ବ୍ରେକଫାଷ୍ଟ ମିଟିଂରେ ମନ୍ତ୍ରୀମଣ୍ଡଳ ସହଯୋଗୀଙ୍କୁ ତାଙ୍କ ଇସ୍ତଫା ସୂଚନା ଦେଇ ସେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଜଣାଇଥିଲେ। ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ସେ ଇସ୍ତଫା ଦେଉଥିବା ସୂଚିତ କରିଥିବା ବେଳେ ସିଦ୍ଦରମୈୟା ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ବିଭିନ୍ନ ଉପଲବ୍ଧି ଓ ସେ ସମ୍ମୁଖୀନ ହୋଇଥିବା ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ ଓ ସହଯୋଗ ନିମନ୍ତେ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। କଂଗ୍ରେସ ସୂତ୍ରରୁ ଏହା ବି ସୂଚନା ମିଳୁଛି ଯେ କଂଗ୍ରେସ ବିଧାୟକ ଦଳ ବୈଠକ ୨୯ ମେ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିରେ ସିଦ୍ଦରମୈୟା ତାଙ୍କର ସମ୍ଭାବିତ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିପାରନ୍ତି ନଚେତ ବିଧାୟକ ଦଳ ସେମାନଙ୍କ ନେତା ନିର୍ବାଚନ କରିବେ।

୪ ଦଶନ୍ଧୀରୁ ଅଧିକ କାଳ ହେଲା ପ୍ରଭାବଶାଳୀ ଜନନେତା ଥିଲେ ସିଦ୍ଦରମୈୟା
ରାଜନୈତିକ କ୍ୟାରିୟରରେ ହୁଏତ କ୍ୱଚିତ ଏକ ଶରଳରେଖାରେ କେହି ଆଗକୁ ବଢିଥାନ୍ତି। ତେବେ ସିଦ୍ଦରମୈୟାଙ୍କ ପାଞ୍ଚ ଦଶନ୍ଧୀର ରାଜନୈତିକ କ୍ୟାରିୟର ଓ ସାର୍ବଜନିକ ଜୀବନ ରାଜନୈତିକ ମୋଡ଼ ଓ ନାଟକୀୟ ପୁନନର୍ମାଣରେ ଭରା ରହିଛି, ଯାହାର ସମାପନ କର୍ଣ୍ଣାଟକର ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେବା କରିଥିବା ମୁଖ୍ୟମନ୍ତ୍ରୀ ରୂପେ ଡି.ଦେବରାଜ ଉର୍ସଙ୍କ ପରେ ଦ୍ୱିତୀୟ ନେତା ଭାବେ ପରିଗଣିତ ହୋଇଛନ୍ତି। ଦୀର୍ଘ ସମୟ ମୁଖ୍ୟମନ୍ତ୍ରୀ ରହିବାରେ ସିଦ୍ଦରମୈୟା ଉର୍ସଙ୍କୁ ପଛରେ ପକାଇଛନ୍ତି। ୧୯୮୦ ଦଶକ ମଧ୍ୟଭାଗରୁ କର୍ଣ୍ଣାଟକ ରାଜନୀତିର କେନ୍ଦ୍ର ରହି ଆସିଥିବା ସିଦ୍ଦରମୈୟା ଦୀର୍ଘ ଦଶନ୍ଧୀ ଧରି ସାବଧାନତା ପୂର୍ବକ ପ୍ରସ୍ତୁତ କରାଯାଇଥିବା ସାମାଜିକ ମେଣ୍ଟ ଓ କଲ୍ୟାଣ ସମାବେଶିତା ଉପରେ ପର୍ଯ୍ୟବେଶିତ ଶାସନ ମଡେଲ ମାଧ୍ୟମରେ ରାଜ୍ୟର ଜଟିଳ ରାଜନୈତିକ ପରିଦୃଶ୍ୟକୁ ସମ୍ଭାଳିଥିଲେ।